ଠିକାଦାରଙ୍କ ମରଣାନ୍ତକ ଆକ୍ରମଣରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁରୁତର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଠିକାଦାରଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହେଲେ ରଘୁପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୁଧିଷ୍ଠିର ବେହେରା। ଗୁରୁତର ଅବସ୍ଥାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି। ସୂଚନା ଅନୁସାରେ ଯୁଧିଷ୍ଠିର ବେହେରା ସମବାର ବୈଶିଙ୍ଗା ଅନ୍ତର୍ଗତ ରଘୁପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରୁ କାର୍ଯ୍ୟ ସାରି ଅପରାହ୍ନରେ ଘରକୁ ଫେରୁଥିବା ସମୟରେ କୁଜିଗୁଡି ବିଲ ରାସ୍ତାରେ ବିଜେପିର କର୍ମକର୍ତ୍ତା ମାନଙ୍କର ଆକ୍ରୋଶର ଶିକାର ହୋଇଛନ୍ତି। ରାସ୍ତାରେ ଯିବା ସମୟରେ ହଠାତ ରଘୁପୁର ଗ୍ରାମର ଅଜିତ ନାଥ, ମନୋଜ ନାଥ, ଚନ୍ଦ୍ରହାସ୍ୟ ପାଣିଗ୍ରାହୀ, ଲକ୍ଷ୍ମଣ ପରିଡା, ରମାକାନ୍ତ ଦାସ ଓ ଅନ୍ୟ ସାଥୀମାନେ ମିଶି ଠେଙ୍ଗା ବାଡ଼ି, ଭୁଜାଲି ଓ ଲୁହା ରୋଡ଼ରେ ମରଣାନ୍ତକ ଆକ୍ରମଣ କରିଥିଲେ। ପାଖରେ ଥିବା ୪୦ହଜାର ଟଙ୍କା ସହ ବେକରୁ ସୁନା ହାର ଛଡାଇ ନେଇଯାଇଥିଲେ। ଘଟଣା ସ୍ଥଳରେ ଯୁଧିଷ୍ଠିରଙ୍କ ଚେତାଶୂନ୍ୟ ହୋଇଥିବା ବେଳେ ପ୍ରଥମେ ବୈଶିଙ୍ଗା ପ୍ରାଥମିକ ଚିକିତ୍ସାଳୟ ଓ ପରେ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ବୈଶିଙ୍ଗା ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।