ଠିପିଖୋଲା ମଦ ଦୋକାନ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ)  : କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଡେରା ପଂଚାୟତର ଭାଟସାହି ଗ୍ରାମରେ ରଞ୍ଜନ ବାର ଏବଂ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ପତ୍ର ସଂଖ୍ୟା ୧୦୧୭ ଡିସେମ୍ବର ୧୩ ତାରିଖ ଦିନ ଅନୁମତି ପ୍ରଦାନ କରାଯାଇଥିବାରୁ ତାର ପ୍ରତିବାଦରେ ଡେରା ପଂଚାୟତର ସରପଂଚ ଓ ଜନସାଧାରଣ ଶୁକ୍ରବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ସେହି ମଦ ଦୋକାନ ସେଠାରେ ନଖୋଲିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସଂପୃକ୍ତ ସ୍ଥାନଟି ଗ୍ରାମାଚଂଳରେ ଅବସ୍ଥିତ । ଭାଟସାହି ଗ୍ରାମର ବାସିନ୍ଦାମାନେ ମୁଖ୍ୟତଃ କୃଷି ଉପରେ ନିର୍ଭର କରି ସେମାନଙ୍କ ଜୀବିକା ନିର୍ବାହ କରିଥାନ୍ତି । ନିକଟସ୍ଥ ୩ଟି ଗ୍ରାମ ପଂଚାୟତର ହଜାର ହଜାର ଲୋକ ଦୈନିକ ମଦ ଦୋକାନ ଖୋଲାଯିବାକୁ ଥିବା ସ୍ଥାନ ବାଟଦେଇ ଯିବା ଆସିବା କରିଥାନ୍ତି । ସେହି ସ୍ଥାନରୁ ଏକ କିଲୋମିଟର ଦ୍ୱର ମଧ୍ୟରେ ଅଷ୍ଟଶମ୍ଭୁ ସଂସ୍କୃତ ମହାବିଦ୍ୟାଳୟ ଅବସ୍ଥିତ । ଯଦି ସେଠାରେ ମଦ ଦୋକାନ ଖୋଳାଯାଏ ତେବେ ତାହା ସାଧାରଣ ଲୋକଙ୍କ ଦୈନ୍ୟଦିନ ଜୀବନକୁ ପ୍ରଭାବିତ କରିବ । ସ୍ଥାନୀୟ ଜନସାଧାରଣଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ସରପଂଚ ଏହାର ଦୃଡ ପ୍ରତିବାଦ କରିବା ସହିତ ଯଦି ମଦ ଦୋକାନ ସେଠାରେ ଖୋଲାଯାଏ ତେବେ ସେଠାରେ ଜନ ଆନ୍ଦୋଳନ ଗଢି ତୋଳିବ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ସେଠାରେ ମଦ ଦୋକାନ ନଖୋଲାଯିବା ନିମନ୍ତେ ଡେରା ସରପଂଚ ହେମଲତା ସାହାଣୀଙ୍କ ସହିତ ଦେବେନ୍ଦ୍ର କୁମାର ଜେନା,ସତ୍ୟବାଦି ରାଉତ,ସଞ୍ଜୟ କୁମାର ଦାସ,ଅରୁଣ କୁମାର ରାଉତ,ଜଗନ୍ନାଥ ମହାନ୍ତି,ମାୟାଧର ସ୍ୱାଇଁ,ପ୍ରଶାନ୍ତ ବେହେରା,ଶୁଭଜ୍ୟୋତି ସାହାଣୀ,ଉମାକାନ୍ତ ରାଉତ,ଅଲେଖ ସାମଲ ପ୍ରମୁଖ ଶତାଧିକ ପଂଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ସେମାନଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଯଦି ଆପଣମାନେ ବିରୋଧ କରୁଛନ୍ତି ତେବେ ସେଠାରେ ମଦ ଦୋକାନ ଖୋଲିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ