ଡଃ ଗୋପବନ୍ଧୁ ଦାଶଙ୍କ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, (ୱାଇଏନ୍ଏସ୍): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗ ଉପରେ ଡଃ ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତିକ ପୁସ୍ତକ ‘ଡାଇନାମିକସ୍ ଅଫ୍ ଇଣ୍ଡୋ-ସାଉଥ୍ ଆଫ୍ରିକାନ୍ କୋପରେସନ୍ ଇନ୍ ଏ ଚେଞ୍ଜିଂ ୱାର୍ଲ୍ଡ ’ ଆଜି ଲୋକାର୍ପିତ କରିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସଂପର୍କ ପ୍ରାଚୀନ ଓ ନିବିଡ । ଉପନିବେଶବାଦ ବିରୋଧରେ ଉଭୟ ଦେଶର ସଂଗ୍ରାମ ଉଭୟଙ୍କୁ ନିକଟତର କରିଛି । ମହାତ୍ମା, ମାଦିବା ଓ ଜାହାଜି ଭାଇ ମାନେ ଦୁଇ ଦେଶର ଭାବଗତ ସଂପର୍କର ନିଦର୍ଶନ ହୋଇଛି । ମହାତ୍ମାଗାନ୍ଧୀଙ୍କ ରାଜନୈତିକ ଜୀବନର ମୂଳଦୁଆ ଦକ୍ଷିଣ ଆଫ୍ରିକାରୁ ହିଁ ପଡିଥିଲା । ବର୍ଣ୍ଣବୈଷମ୍ୟବାଦ ବିରୋଧରେ ସେଠାରେ ତାଙ୍କର ଅହିଂସ ସଂଗ୍ରାମ ତାଙ୍କୁ ନୂଆ ପରିଚୟ ଦେଇଥିଲା । ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ସଂଖ୍ୟା ଏବେ ମୋଟ ଲୋକସଂଖ୍ୟାର ୩ ପ୍ରତିଶତ । ବର୍ଣ୍ଣବୈଷମ୍ୟବାଦର ଅବସାନ ପରେ ୧୯୯୪ ଠାରୁ ଉଭୟ ଦେଶ ଏନଏଏମ୍, ଜି-୭୭ ଓ ବ୍ର୍ର୍ରିକସ୍ ଆଦି ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଏକାଠି କାର୍ଯ୍ୟ କରି ସେମାନଙ୍କ ମଧ୍ୟରେ ଥିବା ଐତିହାସିକ ସଂପର୍କକୁ ସୁଦୃଢ କରିଛନ୍ତି । କୋଭିଡ଼ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଉଭୟ ରାଷ୍ଟ୍ର ଏକାଠି କାମ କରିଛନ୍ତି । ବର୍ତମାନର ପରିବର୍ତିତ ପରିସ୍ଥିତିରେ କସମୋପଲିଟାନିଜମ୍ ଓ ନେଟିଭିଜମ୍ ଉଭୟ ଦେଶ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ଡଃ ଦାଶ ତାଙ୍କ ପୁସ୍ତକରେ ମତବ୍ୟକ୍ତ କରିଛନ୍ତି । ଏହା ହିଁ ଆଗାମୀ ଦିନରେ ଭାରତ ଓ ଦକ୍ଷିଣ ଆଫ୍ରିକାର ସଂପର୍କକୁ ନୂଆ ସ୍ତରରେ ପହଂଚାଇବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।