ଡଃ ରାମମନୋହର ଲୋହିଆଙ୍କର ୧୧୨ତମ ଜନ୍ମଜୟନ୍ତୀ ଓ ଭଗତ ସିଂଙ୍କର ୯୧ତମ ଫାଶି ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ପ୍ରଖର ସମାଜବାଦୀ ଚିନ୍ତକ, ସାମାଜିକ ନ୍ୟାୟ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଡଃ ରାମମନୋହର ଲୋହିଆଙ୍କର ୧୧୨ତମ ଜନ୍ମ ଜୟନ୍ତୀ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଲୋହିଆ ଭବନଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ଡଃ ଲୋହିଆ ଓ ସହିଦ-ଇ-ଆଜମ ଭଗତ ସିଂଙ୍କର ଫଟୋଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଏହାପରେ ଆଲୋଚନା ଆରମ୍ଭ କରି ସଭାପତି ଶ୍ରୀ ବେହେରା କହିଥିଲେ ଯେ, ‘ଦାମ୍ ବାନ୍ଧୋ, ରୋଜଗାର ଦୋ’ ଡଃ ଲୋହିଆଙ୍କର ୫୦ ଦଶକରେ ଯେଉଁ ନାରା ଥିଲା ତାହା ଆଜି ମଧ୍ୟ ପ୍ରଯୁଜ୍ୟ । ଆଜି ଯେତେବେଳେ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍‌ର ଦାମ ହୁ ହୁ ହୋଇ ବଢିଚାଲିଛି ତା ସାଙ୍ଗକୁ ଅଟା, ଚାଉଳ, ମଇଦା, ଖାଇବା ତେଲ ସମେତ ବିଭିନ୍ନ ଖାଦ୍ୟ ପଦାର୍ଥର ଦର ଆକାଶଛୁଆଁ ହୋଇଛି, ସେତିକିବେଳେ ଦେଶବାସୀଙ୍କ ପାଖରେ ଲୋହିଆଙ୍କ ଆଦର୍ଶ ଓ ତ୍ୟାଗ ଆହୁରି ନିକଟତର ହୋଇଛି । ଦରଦାମ ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରିବା ହିଁ ହେବ ଏହି ସମାଜବାଦୀ ଚିନ୍ତକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ସଞ୍ଜୟ ନାୟକ, ରବି ସୁନାନି, ମନୋରଞ୍ଜନ ମଲ୍ଲିକ, ଅଜୟ ସାହୁ, ଦେଶପ୍ରିୟ ଦାସ ଓ ସତ୍ୟବ୍ରତ ଜେନା ପ୍ରମୁଖ ଲୋହିଆ ଓ ଭଗତ ସିଂଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଦରଦାମ ବୃଦ୍ଧି ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆହ୍ୱାନ କରିଥିଲେ । ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ନିଜ ବକ୍ତବ୍ୟରେ ଡଃ ଲୋହିଆଙ୍କର ବକ୍ତବ୍ୟ-‘ରୁଟି କପଡ଼ା ଶସ୍ତି ହୋଗି, ପଢା ଦବା ମୁଫ୍‌ତି ହୋଗି’ ହିଁ ଆଜି ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ସେହିଭଳି ଯୁବ କ୍ରାନ୍ତିକାରୀ ଭଗତ ସିଂଙ୍କର ଫାଶି ଦିବସରେ ଭାରତବର୍ଷକୁ ଏକ ସମାଜବାଦୀ ରାଷ୍ଟ୍ରରେ ପରିଣତ କରିବାର ସଂଗ୍ରାମକୁ ଆଜି ଆଗେଇ ନେବାର ଆବଶ୍ୟକତା ଅଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜାତିଗତ ଜନଗଣନା ତୁରନ୍ତ ଓଡ଼ିଶାରେ ଆରମ୍ଭ କରିବା ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ଲୋହିଆଙ୍କ ୧୧୨ତମ ଜୟନ୍ତୀରେ ଓଡ଼ିଶା ସରକାରଙ୍କ ପାଖରେ ଦାବି କରାଯାଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ