ଡଃ ହରେକୃଷ୍ଣ ମହତାବଙ୍କୁ ଭାରତ ରତ୍ନ ଉପାଧି ଦିଆଯାଉ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନବ ଉତ୍କଳର ନିର୍ମାତା, ଭାରତୀୟ ମୁକ୍ତି ସଂଗ୍ରାମର ଅଗ୍ରଣୀ କେନ୍ଦ୍ରୀୟ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ, ଉତ୍କଳ କେଶରୀ ୰ ଡଃ ହରେକୃଷ୍ଣ ମହତାବଙ୍କର ୧୨୩ଜମ ଜନ୍ମଜୟନ୍ତୀ ପ୍ରତିବର୍ଷ ଭଳି ଚଳିତବର୍ଷ ରାଜ୍ୟସ୍ତରୀୟ “ଡଃ ହରେକୃଷ୍ଣ ମହତାବ ଜୟନ୍ତୀ କମିଟି’ ପକ୍ଷରୁ ଆସନ୍ତା ନଭେମ୍ବର ୨୧ ତାରିଖ ସୋମବାର ଦିନ ପାଳନ ହେବ ବୋଲି କମିଟିର ଆବାହାକ ତଥା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କେଦାରଗୌରୀସ୍ଥିତ ଗୁଆଝରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ଅବସରରେ ରାଜ୍ୟସ୍ତରୀୟ ଡଃ ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ନଭେମ୍ବର ୨୧ ତାରିଖ ସକାଳ ୬ ଘଟିକା ସମୟରେ ମନ୍ଦିର, ମସଜିଦ, ଚର୍ଚ୍ଚରେ ପୂଜାର୍ଚ୍ଚନା ହେବ । ସକାଳ ୮ ଘଟିକାରେ ଲୋୟର ପିଏମ୍‌ଜିରେ ପାଇକ ପ୍ରତିଯୋଗିତା ଏବଂ ଦିବା ୧୧ ଘଟିକା ସମୟରେ ସାଧାରଣ ସଭା ଆୟୋଜିତ ହେବ । ଓଡ଼ିଶ ଏବଂ ଓଡ଼ିଶା ବାହାର ଯଥା ପଞ୍ଜାବ, ଛତିଶଗଡ଼, କେରଳ, ତାମିଲନାଡୁରୁ ସମୁଦାୟ ୫୧ଟି ପାଇକ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ପାଇଁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ନିମନ୍ତ୍ରଣ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି । ସମ୍ମାନିତ ଅତିଥି ଭାବେ ଯୋଗ ଦେବା ପାଇଁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରଖୁ, ଭୁବନେଶ୍ୱର ମାନନୀୟା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଶରତ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜୟନ୍ତୀ କମିଟିର ସଭାପତି ତଥା ଆନ୍ଧ୍ରର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅଂଶଗ୍ରହଣ କରିବେ । ସାଧାରଣ ସଭା ପରେ ଲୋୟର ପିଏମ୍‌ଜିରୁ ଏକ ଶୋଭାଯାତ୍ରା ବାହାରି ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଯିବ । ସେଠାରେ ଦିବା ୧ ଘଟିକା ସମୟରେ ପାଇକ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାଉସୀ ମା’ ମନ୍ଦିର ପ୍ରାଙ୍ଗଣରେ ପୁରସ୍କୃତ କରାଯିବ । ଏହି ପୁରସ୍କାର ବିତରଣୀ ଉତ୍ସବରେ ଯୋଗ ଦେବା ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କ୍ରିଷ୍ଣା ରେଡ଼ିଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦୋବକୁ କମିଟିର ଆବାହକ ଶ୍ରୀ ରାଉତରାୟ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଉତରାୟ ଡଃ ହରେକୃଷ୍ଣ ମହତାବଙ୍କ କୀର୍ତ୍ତି ଓ କୃତ୍ତି ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ହରେକୃଷ୍ଣ ମହତାବଙ୍କ ଅବଦାନ ଅବିସ୍ମରଣୀୟ । ସେ ଥିଲେ ନବ ଉତ୍କଳର ନିର୍ମାତା । ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଶା ହାଇକୋର୍ଟ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ହିରାକୁଦ ଡ୍ୟାମ୍‌, ଓଡ଼ଶା ସାହିତ୍ୟ ଏକାଡ଼େମୀ, ସଙ୍ଗୀତ ନାଟକ ଏକାଡ଼େମୀ, ରବୀନ୍ଦ୍ର ମଣ୍ଡପ, ନନ୍ଦନକାନନ, ବାରବାଟୀ ଷ୍ଟାଡ଼ିୟମ ପ୍ରଭୃତି ନିର୍ମାଣରେ ଡଃ ମହତାବଙ୍କ ଅବଦାନକୁ ରାଜ୍ୟବାସୀ କେବେ ଭୁଲିପାରିବେ ନାହିଁ । ଓଡ଼ିଶାକୁ କୃଷି, ଶିକ୍ଷା, ଗମନାଗମନ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ସେ ତାଙ୍କ ଶାସନ କଳରେ ମହନୀୟ ପ୍ରଚେଷ୍ଟା କରିଥିଲେ । ପଣ୍ଡିତ ନେହେରୁ ଓ ବଲ୍ଲଭ ଭାଇ ପଟେଲଙ୍କ ସହ ମିଶି ଗଡ଼ଜାତ ମିଶ୍ରଣରେ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ । ଜୟନ୍ତୀ କମିଟି ଡଃ ହରେକୃଷ୍ଣ ମହତାବଙ୍କୁ ଭାରତରତ୍ନ ଉପାଧି ପ୍ରଦାନ ସହ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ତାଙ୍କ ନାମରେ ନାମିତ କରିବାକୁ ଦାବି କରୁଛି । ଏହି କାର୍ଯ୍ୟକ୍ରମରେ କମିଟିର ସଦସ୍ୟ କପିଳ ପଣ୍ଡା, ଶରତ ଚନ୍ଦ୍ର ପଣ୍ଡା, କାଳୁ ପତି, ବାବୁନା ପତିହାରୀ, ଶ୍ରୀପତି ଗରାବଡ଼ୁ, କୁନା ମୁଦୁଲି, ଜୟକୃଷ୍ଣ ମଲିଆ, ମନୋରଞ୍ଜନ ମଲିଆ, ସୁଧାଂଶୁ ପଟ୍ଟନାୟକ, ତ୍ରିଲୋଚନ ପ୍ରଧାନ, ନରେନ୍ଦ୍ର ସେଠୀ, ଟୁବୁ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ବାଟୁ ସେନାପତି, ପାଣୁ ମହରଣା, ନଗେନ ସିଂ, ତପନ ଚକ୍ରବର୍ତ୍ତୀ, ରବି ହରିଚନ୍ଦନ, ରମେଶ ଚନ୍ଦ୍ର ମହାପାତ୍ର ଓ ଲିଙ୍ଗରାଜ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ