ଡକାୟତି ଯୋଜନା ପଣ୍ଡ ବଲେରୋ ଗାଡି ଓ ମାରଣାସ୍ତ୍ର ଜବତ ସହ ୫ ଦୁର୍ବୁତ ଗିରଫ
ଯୋଡ଼ା (ଯୁଗାଦ୍ଦ) : ସହରର ବସ୍ଷ୍ଟାଣ୍ଡଠାରେ ରବିବାର ଭୋର ସମୟରେ ବଡଧରଣର ଡକାୟତି ଯୋଜନାକୁ ପୋଲିସ ପଣ୍ଡ କରିବା ସହିତ ଗୋଟିଏ ବଲେରୋ ଗାଡି ଓ ମାରଣାସ୍ତ୍ର ସହ ୫ ଜଣ ଦୁର୍ବୁତଙ୍କୁ ଗିରଫ କରିଛି । ରବିବାର ଭୋର ସମୟରେ ଯୋଡା ବସ୍ଷ୍ଟାଣ୍ଡ ନିକଟରେ ଏକ ବଲେରୋ ଗାଡି ନଂ ଓଆର ୦୨ ଏଆର ୯୨୯୫ ରେ ୫ ଜଣ ଦୁର୍ବୁତ ବିଭିନ୍ନ ମାରଣାସ୍ତ୍ର ସହ ଏକ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା ଚଳାଇଥିବା ବେଳେ , ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ଓ ଏସଆଇ ସୁନିଲ ସୋରେନ୍ ସଦଳବଳେ ଚଢାଉ କରି ସେମାନଙ୍କୁ କାବୁ କରିନେଇଥିଲେ । ପୋଲିସ ଦୁର୍ବୁତଙ୍କଠାରୁ , ସେମାନେ ବ୍ୟବହାର କରିଥିବା ଗୋଟିଏ ବଲେରୋ ଗାଡି, ଗୋଟିଏ ପିସ୍ତଲ, ଦୁଇ ରାଉଣ୍ଡ ଅଫୁଟା ଗୁଳି, ଦୁଇଟି ଛୁରି, ଗୋଟିଏ କତା , ଗୋଟିଏ ଖଣ୍ଡା ଓ ତିନୋଟି ମୋବାଇଲ ଫୋନ୍ ଜବତ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ବଡବିଲ ସାଧୁସିଂ ହଟିଂର ନରସିଂ ଚରଣ ସିଧିବିଗ୍ରହ, ଯୋଡା ଦୀପୁ ହାଟିଂର ଦୀପୁ ମୁଣ୍ଡା, ଦାମୁ ହାଟିଂର ଅନିଲ ପାତ୍ର, ସାନୁ ପାତ୍ର ଓ ଯୋଡା ସହିଦ ନଗର ଉଲି ହଟିଂର ବଳରାମ ବେହେରା । ପୋଲିସ ଏନେଇ କେଶ୍ ନଂ ୫୫/୨୦୨୦, ଦଫା ୩୯୯, ୪୦୨ ଆଇପିସି , ୨୫ ଆର୍ମଆକ୍ଟ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।


