ଡକାୟତି ଯୋଜନା ପଣ୍ଡ ୧୦ ଗିରଫ , ବିଭିନ୍ନ ମାରଣାସ୍ତ୍ର ସହ ୬ ଟି ଅଫୁଟା ବୋମା ଜବତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ବଡ଼ ଧରଣର ଡ଼କାୟତି ପାଇଁ ଯୋଜନା ପ୍ରସ୍ତୁତ ଚାଳିଥିବା ବେଳେ ପାଟପୁର ପୋଲିସ ଅତର୍କିତ ଭାବ ଚଢାଉ କରି ୧୦ ଜଣ ଯୁବକ ଙ୍କୁ ଗିରଫ ସହ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଅଫୁଟା ବୋମା ଜବତ ହୋଇଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି (ବୁଧୁବାର) ଏସ ଆଇ ସନ୍ତ୍ନୁନୁ କୁମାର ଦିଗାଲ ଏବଂ ପୋଲିସ କର୍ମଚାରୀ ମାନଙ୍କୁ ନେଇ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପି ରାମଚନ୍ଦ୍ରପୁର ପଞ୍ଚାୟତ ଜଗନ୍ନାଥପୁର ଛକ ରେ ପେଟ୍ରୋଲିଙ୍ଗ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଗ୍ରାମ ଯାତ୍ରୀ ବିଶ୍ରାମାଗାରରେ ବିଳମ୍ବିତ ରାତିରେ ଜାତୀୟ ରାଜପଥରେ ଡକାୟତି ପାଇଁ ଅସାମାଜିକ ଯୁବକଙ୍କ ଦ୍ବାରା ଯୋଜନା ଚାଲିଥିବା ବେଳେ ପାଟପୁର ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ଘଟଣାସ୍ଥଳରୁ ପୋଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ,ଖଣ୍ଡା , କଟୁରି, ଛୁରୀ,ସମେତ ଦୁଇଟି ବାଇକ୍ , ମଦ ବୋତଲ , ଲଙ୍କାଗୁଣ୍ଡ ଭଳି ଅନେକ ସାମଗ୍ରୀ ଜବତ କରିଥିବା ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି । ଗିରଫ ଯୁବକ ମାନଙ୍କ ମଧ୍ୟରେ ପାଟପୁର ଥାନା କଙ୍କୋରଡା ଗ୍ରାମର ଲକ୍ଷ୍ମଣ ସେଠୀ , ରାଘବ ପ୍ରଧାନ , ଅମିନ ପରିଡା , ପି . ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ , ଏସ୍ . ଗୋପାଳପୁର ଗ୍ରାମର କାହ୍ନା ପ୍ରଧାନ , ହିଞ୍ଜିଳି ଥାନା ଖରୀଡା ଗ୍ରାମର ନିଲୁ ବିଷୋୟୀ , ଆସିକା ଥାନା ଭେଟନେଇ ଗ୍ରାମର ଜିତେନ୍ଦ୍ର ନାହାକ ଓରଫ୍ ପାଣ୍ଡୁ ଏବଂ ବାଦଲ ଦାସ , କେ. ନୂଆଗାଁ ଥାନା ବମକୋଇ ଗ୍ରାମ ଲକ୍ଷ୍ମୀନଗରର ଶିବ ଗୈାଡ ଓ ଜଗନ୍ନାଥ ପ୍ରଧାନ ରହିଥିବା ଜଣାପଡିଛି । ଘଟଣାରୁ ଜଣାପଡ଼ିଛି ରାତି ପ୍ରାୟ ୨ ଘଣ୍ଟା ୨୦ ମିନିଟ ସମୟରେ ପେଟ୍ରୋଲିଂ ସାରି ଫେରୁଥିବା ସମୟରେ ପୋଲିସ ଏକ ବିଶେଷ ସୂତ୍ରରୁ ଖବରପାଇଲା ଯେ , ଉକ୍ତ ଯାତ୍ରୀ ବିଶ୍ରାମାଗାରରେ ୧୦ ରୁ ୧୩ ଜଣ ଅସାମାଜିକ ଯୁବକ ମଦ୍ୟପାନ କରିବା ସହ ହାତରେ ମାରଣାସ୍ତ୍ର ଧରି ଜାତୀୟ ରାଜପଥରେ ଡକାୟତି କରିବା ପାଇଁ ଯୋଜନା କରୁଛନ୍ତି । ଯାହାଫଳରେ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗାଡ଼ିକୁ ଅଳ୍ପ କିଛି ଦୂରରେ ରଖି ଯାତ୍ରୀ ବିଶ୍ରାମାଗାର ଚାରିପଟେ ପୋଲିସ ଘେରିଥିଲେ । ପରେ ପୋଲିସର ଅତର୍କିତ ଚଢ଼ାଉ କରାଯିବା ସମୟରେ ୩ ଜଣ ଯୁବକ ୨ ଟି ବାଇକରେ ଶେରଗଡ଼ ଅଭିମୁଖେ ଦ୍ରୁତ ଗତିରେ ପଳାଇଥିବା ବେଳେ ପୋଲିସ ଅନ୍ୟ ୧୦ ଜଣ ଯୁବକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ପୋଲିସ ଏକ ବଡ଼ ଧରଣର ଡ଼କାୟତି ଯୋଜନାକୁ ପଣ୍ଡ କରି ବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ଏକ ଗ୍ଳାମର ବାଇକ୍ ( ଓଡି୦୭ ୱଇ ୩୨୪୪) ଏବଂ ଏକ ନମ୍ବର ବିହୀନ ବାଇକ୍ ସମେତ ଖଣ୍ଡା ୭ ଗୋଟି , ହାତତିଆରି ବୋମା ୬ ଗୋଟି , ସାଇକେଲ ଚେନ୍ ୨ ,ଖାଲି ମଦବୋତଲ , ମହମବତୀ , ଦିଆସିଲି , ପ୍ଲାଷ୍ଟିକ ଗ୍ଳାସ , ଲଙ୍କାଗୁଣ୍ଡ ଏବଂ ୭ ଗୋଟି କଳା ମୁଖା ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଥାନା ମାମଲା ନଂ ୨୮୪/୨୨ ଅନୁସାରେ ମକଦ୍ଦମା ରୁଜୁ କରାଯାଇ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ତେବେ ପୋଲିସ ଘଟଣାରେ ସଂପୃକ୍ତ ଅନ୍ଯ ଅଭିଯୁକ୍ତ ମାନଙ୍କୁ ଖୁବଶିଘ୍ର ଗିରଫ କରିବା ପାଇଁ ତଦନ୍ତ ଚଳାଇଥିବା ଜଣାପଡ଼ିଛି । ତେବେ ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣଙ୍କ ନାମରେ ଅନେକ ଥାନା ଦିଗପହଣ୍ଡି , ଆସିକା , ପାଟପୁର , ଶେରଗଡ଼ , ହିଞ୍ଜିଳି , ବଡଗଡ , ଗାଙ୍ଗପୁର ଭଳି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ଡକାୟତି , ଛିନତାଇ ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ସଙ୍ଗୀନ ଅପରାଧିକ ମାମଲା ରହିଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।


