ଡକ୍ୟୁମେଣ୍ଟାରୀ ଫିଲ୍ମ ସୁଟିଂ ପାଇଁ ଗାଙ୍ଗପୁର ଥାନାରେ କେନ୍ଦ୍ରୀୟ ଟିମ୍
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଦେଶର ସର୍ବଶ୍ରେଷ୍ଠ ତିନି ଥାନା ମଧ୍ୟରେ ମାନ୍ୟତା ପାଇବା ପରେ ତିନିଦିନ ହେବ ଗାଙ୍ଗପୁର ଥାନା ପରିସର ପୂର୍ବପେକ୍ଷା ଅଧିକ ଚଳ ଚଞ୍ଚଳ ହୋଇ ଉଠିଛି I ଥାନା ଅଧିକାରୀ ଧୀରେଶ କୁମାର ଦାଶଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଥାନା ମଧ୍ୟକୁ ଉଚ୍ଚ ପଦାଧିକାରୀଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଧାଡି଼ ଲାଗିବା ସହ ବହୁ ଗଣ ମାଧ୍ୟମ ପ୍ରତିନିଧିମାନେ ଡ଼େରା ପକାଇଛନ୍ତି ଥାନା ପରିସରରେ I ଏହାରି ଭିତରେ ଥାନା କାର୍ଯ୍ୟକଳାପର ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ସୁଟିଂ କରିବା ପାଇଁ ଥାନାରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହ ବିଭାଗର ପାଞ୍ଚ ଜଣିଆ ଟିମ୍ I ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ଦ୍ଦେଶକ ଦାମନ୍ ଜିତ୍ ସିଂଙ୍କ ନେତୃତ୍ୱରେ ଏହି ଟିମ୍ ଦିଲ୍ଲୀରୁ ଆସି ଥାନା ଏବଂ ଏହାର ଆଖପାଖ କିଛି ଗ୍ରାମରେ ସୁଟିଂ ଜାରି ରଖିଛନ୍ତି I ଏହି ଟିମ୍ ବିଶେଷ କରି ଗାଙ୍ଗପୁର ଥାନାର ପରିବେଶ,ଥାନା କର୍ମଚାରୀଙ୍କ କାର୍ଯ୍ୟ ଶୈଳୀ,ଜନ ସାଧାରଣଙ୍କ ସହ ପୋଲିସ୍ ର ସମ୍ପର୍କ,ବ୍ଲକିଂ ଚେକିଂ, ହେଲମେଟ୍ ଯାଞ୍ଚ୍, ସଡ଼କ ସୁରକ୍ଷା ସଚେତନତା, ବେଆଇନ୍ ମଦ ବିରୋଧୀ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳରେ ଗୁଣିଗାରେଡ଼ି ଏବଂ ଅନ୍ଧ ବିଶ୍ୱାସ ବିରୋଧରେ ଜନ ସଚେତନତା, ମହିଳାଙ୍କ ଉପରେ ହିଂସା ରୋକିବା ଦିଗରେ ପୋଲିସ୍ ର ପଦକ୍ଷେପ,ଅସାମାଜିକ କାର୍ଯ୍ୟକ୍ରମ ନିୟନ୍ତ୍ରଣ,ପାଟ୍ରୋଲିଂ ଉପରେ ଫିଲ୍ମ ସୁଟିଂ ଜାରି ରଖିଛନ୍ତି I ଏହା ସହିତ ଏହି ଟିମ୍ ବଡ଼ବୋର୍ସିଂ ,କଣ୍ଟେଇପଲ୍ଲୀ ବିଟ୍ ହାଉସ୍ ସମେତ ଆଉ କିଛି ଗ୍ରାମାଞ୍ଚଳକୁ ଯାଇ ପୋଲିସ୍ ସହ ଜନ ସାଧାରଣଙ୍କ ଥିବା ସୁସମ୍ପର୍କ ଉପରେ ଫିଲ୍ମ ସୁଟିଂ କରିଥିଲେ I ଏହା ସହିତ ଅଞ୍ଚଳର ଜନ ସାଧାରଣ ନିର୍ଦ୍ୱନ୍ଦ୍ୱରେରେ ଥାନା ପରିସରରେ ପ୍ରାତଃ ଏବଂ ସନ୍ଧ୍ୟା ଭ୍ରମଣ କରିବା ସହ ସହ ଥାନା ଜଳାଶୟ ବୋଟିଂ କରିବା ଦୃଶ୍ୟକୁ ମଧ୍ୟ ଏହି ଟିମ୍ ନିଜ କ୍ୟାମେରାରେ କଏଦ୍ କରିଛନ୍ତି I ଏହି ଫିଲ୍ମ ସୁଟିଂ ହେବାପରେ ଆସନ୍ତା ୧୯ ତାରିଖରେ ଲକ୍ଷ୍ନୌ ଠାରେ ଆୟୋଜିତ ହେବାକୁ ଥିବା ଟ୍ରଫି ଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ଦେଶର ପୋଲିସ୍ ମୁଖ୍ୟ ମାନଙ୍କ ସମ୍ମୁଖରେ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି I ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ ଦେଶର ଅନ୍ୟ ଥାନା ମାନଙ୍କ ପାଇଁ ଉଦାହରଣ ଭାବେ ଉପସ୍ଥାପନ କରାଯିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ I ଏହି ଫିଲ୍ମ ସୁଟିଂ ଟିମ୍ କୁ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରୁଛନ୍ତି l


