ଡଙ୍ଗା, ଜାଲ ସହାୟତା ତୁରନ୍ତ ଯୋଗାଇବାକୁ ଦାବି
ବ୍ରହ୍ମଗିରି ( (ଯୁଗାବ୍ଦ ନ୍ୟୁଜ୍)): ଫାନି ବାତ୍ୟାକୁ ପୂରିଛି ମାସେ । ବ୍ରହ୍ମଗିରି ସମେତ କୃଷ୍ଣପ୍ରସାଦ ବ୍ଲକର ଫାନି ଯୋଗୁ ନାହିଁ ନଥିବା କ୍ଷତି ଘଟିଛି । କୃଷ୍ଣପ୍ରସାଦ ବ୍ଲକର ସାନପାଟଣା ସମେତ ଅନେକ ଉପକୂଳୀୟ ଅଞ୍ଚଳର ଲୋକଙ୍କର ଡଙ୍ଗା ନଷ୍ଟ ହେବା ସହ ଜାଲ ଭାସିଯାଇଥିଲା । ଫଳରେ ସେମାନେ ଜୀବିକା ହରାଇ ବସିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ପୁରୀ ଜିଲ୍ଲା ଅତିରିକ୍ତ ମତ୍ସ୍ୟ ଅଧିକାରୀ ସାମୁଦ୍ରିକଙ୍କ ତରଫରୁ ତଦନ୍ତ କାର୍ୟ୍ୟ ସମାପ୍ତ ହୋଇଛି । ହିତାଧିକାରୀଙ୍କୁ ସହାୟତା ମିଳିବା ପାଇଁ ସରକାରୀ ସ୍ତରରେ କାଗଜାତ ପ୍ରସ୍ତୁତ ହୋଇଛି । ମାତ୍ର ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ ତଦନ୍ତରେ ତ୍ରୁଟି ଥିବା ସାନପାଟଣା ଗ୍ରାମର କିଛି ଲୋକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ନୂତନ ଭାବେ ପ୍ରସ୍ତୁତ କରିବାକୁ ଦାବି କରିଥିଲେ । କିନ୍ତୁ ସାନପାଟଣା ଗ୍ରାମର ଅନେକ ହିତାଧିକାରୀ ଉକ୍ତ ତଦନ୍ତ ରିପୋର୍ଟ ଠିକ୍ ଥିବା ଓ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଦାବି କରିଥିବା ସାନପାଟଣାସ୍ଥିତ ବାସନ୍ତୀ ଦୁର୍ଗା ପ୍ରାଥମିକ ମତ୍ସ୍ୟଜୀବୀ ମହାସଂଘ ସଂପାଦକ ହରିହର ଚେଲବରୀ ଜଣାଇଛନ୍ତି । ଘଟଣାର ତଦନ୍ତ କରାଯାଇ ତୁରନ୍ତ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।