ଡଙ୍ଗା ବୁଡ଼ି ୧୧ ମୃତ; ୪ ନିଖୋଜ
ଭୋପାଲ: ଡଙ୍ଗାରେ ମଝି ନଈକୁ ଯାଇଥିଲେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ । ହେଲେ ବିଧିର ବିଧାନ ଅଲଗା । ମୂର୍ତ୍ତି ତ ବିସର୍ଜନ କଲେ, ହେଲେ ଉଛୁଳା ନଈରେ ଭାରସାମ୍ୟ ହରାଇ ତା’ ତଳେ ଚାପି ହାଇଗଲେ ବହୁ ଶ୍ରଦ୍ଧାଳୁ । ଉଦ୍ଧାରକାରୀ ଦଳ ପହଞ୍ଚି ୧୧ଟି ମୃତଦେହ ବାହାର କରିବା ସହ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି । ଏହି ଦୁର୍ଘଟଣାରେ ୪ ଜଣ ନିଖୋଜ ଅଛନ୍ତି । ଏଭଳି ଦୁଃଖଦ ଘଟଣା ଆଜି ଭୋର ପ୍ରାୟ ସାଢ଼େ ଚାରିଟା ସମୟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଲର ଖଟଲାପୁରା ମନ୍ଦିର ଘାଟରେ ଘଟିଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଡଙ୍ଗାଟି ଛୋଟ ଥିବା ବେଳେ ଗଣେଶ ମୂର୍ତ୍ତି ବଡ଼ ଥିଲା । ମୂର୍ତ୍ତି ବିସର୍ଜନ ନିମନ୍ତେ ଉକ୍ତ ଡଙ୍ଗାରେ ବହୁ ଶ୍ରଦ୍ଧାଳୁ ଯାଇଥିଲେ । ଯେତେବେଳେ ଶ୍ରଦ୍ଧାଳୁମାନେ ମୂର୍ତ୍ତିଟିକୁ ବିସର୍ଜନ କରିଥିଲେ, ସେତେବେଳେ ଡଙ୍ଗାଟି ଏକ ତରଫା ହାଇ ଓଲଟି ପଡି଼ଥିଲା । ଉକ୍ତ ସମୟରେ ମଝି ନଈରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମଧ୍ୟ ମୂର୍ତ୍ତି ତଳେ ଚାପି ହାଇଯାଇଥିଲେ । ଖବର ପାଇ ପୁଲିସ୍ ଓ ପ୍ରଶାସନ ଅଧିକାରୀ, ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମଧ୍ୟପ୍ରଦେଶର ଜନସମ୍ପର୍କ ମନ୍ତ୍ରୀ ପିସି ଶର୍ମା କହିଛନ୍ତି,“ଡଙ୍ଗା ବୁଡ଼ି ଘଟଣାର ତଦନ୍ତ ହେବ । ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ ।


