ଡଭାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଚିକିଟି,(ଯୁଗାବ୍ଦ ନ୍ୟୁଜ୍ ) : ଡଭାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୧୯-୨୦ ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ ବିଦ୍ୟାଳୟ ସଭାପତି ନକୁଳ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଚିକିଟୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ବେହେରା ଏବଂ ସମ୍ମାନିତ ଅତିଥି ରୂପେ ଚାନ୍ଦପୁର ପଞ୍ଚାୟତର ଯୁବ ସରପଞ୍ଚ ମନୋଜ କୁମାର ସାହୁ, ପ୍ରାକ୍ତନ ସି ଆର ସି ସି ପ୍ରଦୀପ ସେଠୀ,ଏଲିମେଣ୍ଟାରୀ ଶିକ୍ଷକ ସଂଘ ସଭାପତି ହରିଶ୍ଚନ୍ଦ୍ର ବେହେରା, ଏବଂ ନୂଆପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କେ ଜଗନ୍ନାଥ ରାଓ ଏବଂ ଶିକ୍ଷାବିତ୍ ତଥା ଅବସର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀକାନ୍ତ ପାଢ଼ୀ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷକ ପ୍ରସାଦ କୁମାର ପ୍ରହରାଜ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ଆଗାମୀ ଶିକ୍ଷା ବର୍ଷ ଗୁଡିକରେ ବିଭିନ୍ନ ପ୍ରକାରର ଆନୁସଙ୍ଗିକ କାର୍ଯ୍ୟକ୍ରମ ହାତକୁ ନିଆଯିବାର ବ୍ୟବସ୍ଥା ରହିଥିବା କଥା ଉଲ୍ଲେଖ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ବେହେରା ପିଲାଙ୍କ ଚରିତ୍ର ଗଠନ ଏବେକାର ସମାଜ ଗଠନ ପାଇଁ ବିଶେଷ ସହାୟକ ବୋଲି ଉଦବୋଧନ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ସଂଗୀତ, କୁଇଜ୍, ରଚନା ଲିଖନ, ବକ୍ତୃତା ଏବଂ ବିଭିନ୍ନ ପ୍ରକାରର ଖେଳର ଫଳାଫଳ ଘୋଷଣା କରାଯାଇଥିଲା ଏବଂ ପ୍ରଥମ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ଏକ ସୁନ୍ଦର ସଚେତନଧର୍ମୀ ନାଟକ”ଲକ୍ଷେ ଶିବ ପୂଜି ପାଇଛି ତୋତେ”ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ଜାନୀ, ବିବେକାନନ୍ଦ ସେଠୀ,କୁରେଶ ସାହୁ ଓ ଶିକ୍ଷୟିତ୍ରୀ ପ୍ରେମାଞ୍ଜଳୀ ଖାଡଙ୍ଗା ସମେତ ଡଭାର ଗ୍ରାମବାସୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଶିକ୍ଷକ ନରେନ୍ଦ୍ର ସାହୁ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ