ଡମ୍ପର ଧକାରେ ଡ୍ରାଇଭର ଗୁରୁତର
ଯୋଡା (ସମୀର କୁମାର ଦାସ) : ଯୋଡା ଖଣିମଣ୍ଡଳ ତଥା ବାମେବାରୀ ଥାନା ଅନ୍ତର୍ଗତ ଟାଟାଷ୍ଟିଲର ଖଣ୍ଡବନ୍ଧ ଖଣି ପାର୍କିଂରେ ଏକ ଡମ୍ପର ଧକାରେ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ, ଶନିବାର ଅପରାହ୍ନ ପ୍ରାୟ ୨.୩୦ ମିନିଟ୍ ସମୟରେ ଡମ୍ପର ନଂ ଓଆର୦୯ କେ ୫୭୨୯ ର ଡ୍ରାଇଭର ଭୋଲା ଦାସ ଉକ୍ତ ଖଣିର ପାର୍କିଂ ସ୍ଥଳରେ ଡମ୍ପର ରଖି ଠିଆ ହୋଇଥିଲେ । ଏହି ସମୟରେ ଅନ୍ୟ ଏକ ଡମ୍ପର ଓଆର୦୯ ଏଫ ୦୬୨୬ ପାର୍କିଂ ଭିତରକୁ ପ୍ରବେଶ କରିବା ପାଇଁ ଡମ୍ପରଟିକୁ ପଛକୁ ନେଉଥିଲେ । ଏହି ସମୟରେ ପୂର୍ବରୁ ସେଠାରେ ଛିଡା ହୋଇଥିବା ଡ୍ରାଇଭର ଭୋଲା ଦାସ ଡମ୍ପର ଚକ ତଳେ ଚାପି ହୋଇଯାଇଥିଲେ । ତାଙ୍କୁ ବହୁ ବିଳମ୍ବରେ ପ୍ରାୟ ଅପରାହ୍ନ ୪ଟା ସମୟରେ ଗୁରୁତର ଅବସ୍ଥାରେ ଯୋଡା ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତି କରାଯାଇଥିବା ଗାଡି ମାଲିକ ଶିବାଜୀ ମିଶ୍ର କହିଛନ୍ତି ।ଅନ୍ୟ ପକ୍ଷରେ ଖଣିରୁ ବିପୁଳ ପରିମାଣରେ ଖଣିଜ ପରିବହନ ହେଉଥିଲେ ହେଁ, ବହୁ ସଂଖ୍ୟକ ଭାରିଯାନ ପାଇଁ ସେଠାରେ ପର୍ଯ୍ୟାପ୍ତ ପରିମାଣର ପାର୍କିଂ ସ୍ଥାନ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ଟ୍ରକ ମାଲିକ ଶୀବାଜୀ ମିଶ୍ର କହିଛନ୍ତି ।