ଡରାଉଛି ମେ : ବୈଶାଖରେ ବଢୁଛି ବାତ୍ୟା ଆଶଙ୍କା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ବୈଶାଖ ମାସର ପ୍ରଚଣ୍ଡ ଖରାରେ ଲୋକେ ତ୍ରାହି ତ୍ରାହି ଡାକ ପକାଉଥିବା ବେଳେ ଏବେ ବାତ୍ୟା ଭୟ ଘାରିଲାଣି । ପାଣିପାଗ ବିଭାଗ ସୂଚନା ମୁତାବକ ଶୁକ୍ରବାର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ପରେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହି ସାମ୍ଭାବ୍ୟ ବାତ୍ୟା – ୧୦ ତାରିଖରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବିଶେଷକରି ଗଞ୍ଜାମ ଜିଲ୍ଲା ସମେତ ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି । ତେବେ ବାତ୍ୟା ହେବ କି ନାହିଁ ଏଯାବତ ସଠିକ୍ ତଥ୍ୟ ଜଣାପଡିନାହିଁ । ଯଦି ବାତ୍ୟାର ରୂପ ନିଏ ତାହଲେ ଏହାର ଗତିପଥ କଣ ରହିବ ତାହା ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ଗତ ୩ ବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ ମେ ମାସରେ ହେଉଥିବା ବାତ୍ୟାର ତିବ୍ରତା ଅଧିକ ରହୁଥିବା ଜଣାପଡିଛି । ୨୦୧୯ ମେ ମାସ ୨୦ ତାରିଖରେ ବାତ୍ୟା ‘ଫନି’ ଓଡିଶା ଉପକୂଳକୁ ମାଡି ଆସିଥିଲା । ପ୍ରଥମେ ଏହା ଗୋପାଳପୁର ମୁହାଁ ହୋଇଥିବା ବେଳେ ଶେଷ କିଛି ମୁହୁର୍ତ୍ତରେ ହଠାତ ଦିଗ ବଦଳାଇ ପୂରୀରେ ଉପକୂଳ ଛୁଇଁବା ସହ ତାଣ୍ଡବ ରଚିଥିଲା । ୨୦୨୦ ମେ ମାସ ୧୬ ତାରିଖରେ ବାତ୍ୟା ଅମ୍ଫାନର ପ୍ରଭାବ ପଡୋଶୀ ପଶ୍ଚିମବଙ୍ଗ ରେ ଅଧିକ ରହିଥିଲା । ୨୦୨୧ ମେ ୨୭ ତାରିଖରେ ବାତ୍ୟା ୟାଶ୍ ବାଲେଶ୍ୱରରେ ଅଧିକ କ୍ଷୟକ୍ଷତି ଘଟାଇଥିଲା । ପୁଣି ଚଳିତ ବର୍ଷ ମେ ମାସରେ ଆଉ ଏକ ବାତ୍ୟା ସମୁଦ୍ରରେ ଦାନା ବାନ୍ଧୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ କିଛି ବର୍ଷ ହେଲା ଏଭଳି ମେ ମାସରେ ବାତ୍ୟା ସୃଷ୍ଟି ହେଉଥିବାରୁ ଲେଶକଙ୍କ ମନରେ ଛନକା ଦେଖାଦେଇଛି ।