ଡ଼ା. ବୈଷ୍ଣବ ପରିଡା ଥିଲେ ସର୍ବୋଚ୍ଚ ମାନବୀୟ ଆଦର୍ଶର ରୂପକାର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଡ଼ାକ୍ତର ବୈଷ୍ଣବ ପରିଡା ଥିଲେ ସର୍ବୋଚ୍ଚ ମାନବୀୟ ଆଦର୍ଶ ସେବା, ସଂକଳ୍ପ ଓ ଉତ୍ସର୍ଗର ସର୍ବଶ୍ରେଷ୍ଠ ରୂପକାର । ତାଙ୍କ ପରି ମଣିଷ ଆଜିର ସଂସାରରେ ବିରଳ ଓ ସମାଜର ଅମୂଲ୍ୟ ସମ୍ପଦ ବୋଲି ନିସ୍ୱାର୍ଥପର ସେବକ ଡାକ୍ତର ବୈଷ୍ଣବ ଚରଣ ପରିଡାଙ୍କ ୨ୟ ବାର୍ଷିକ ସ୍ମରଣ ସଭା ଅବସରରେ ସଂକଳିତ ସ୍ମରଣିକା “ଫେରିଆସ ଡାକ୍ତର”ର ଉନ୍ମୋଚନ ଉତ୍ସବରେ ମୁଖ୍ଯ ଅତିଥି ରୂପେ ଯୋଗଦେଇ ଶାନ୍ତି ନିକେତନ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ଚରଣ ସାମଲ ମତବ୍ୟକ୍ତ କରିଛନ୍ତି । ଏଥିସହିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଶ୍ରମିକନେତା ମୁକ୍ତାର ଖାଁ, ଛାତ୍ରନେତା ସାର୍ଥକ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପରିଡାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବିଶିଷ୍ଟ ସମାଜସେବୀ ଭଜକୁଷ୍ଣ ରାଉତଙ୍କ ସଭାପତିତ୍ୱରେ ଡାକ୍ତର ପରିଡାଙ୍କ ଜନ୍ମମାଟି ନେମ୍ବରା ଠାରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଡ଼ଃ. ବାସୁଦେବ ଦାସ, ଅଧ୍ୟାପକ ଅଜୟ ସାମଲ, ଗାୟକ ଭୂଷଣ ଗୋପବନ୍ଧୁ ନାଥ ଏବଂ ସଂକଳିତ ସ୍ମରଣିକାର ସମ୍ପାଦକ ଆଦିକନ୍ଦ ରାଉଳ ଡାକ୍ତର ପରିଡାଙ୍କ ବହୁମୁଖୀ ପ୍ରତିଭା ସହ ନିଃସ୍ୱାର୍ଥପର ସେବାର ଅବତାରଣା କରି ତାଙ୍କର ସ୍ମୃତି ରକ୍ଷା ନିମନ୍ତେ ସ୍ଥାୟୀ ବ୍ୟବସ୍ଥା କରିବାକୁ ଉଦ୍ୟୋକ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ, ପ୍ରତାପ କୁମାର ନାୟକ, ସରପଞ୍ଚ ପ୍ରଭାତ ରଞ୍ଜନ ଦାସ, ଚିତ୍ତରଞ୍ଜନ କବି, ଡଃ. ଗିରୀଶ ଚନ୍ଦ୍ର ପାତ୍ର, ପ୍ରମୋଦ କୁମାର ଚୌଧୁରୀ, ଆଶ୍ରିତ କୁମାର ଦାସ, ସୁନ୍ଦରରାମ ସାହୁ ପ୍ରମୁଖ ଡାକ୍ତର ପରିଡାଙ୍କ ସ୍ମୃତି ଚାରଣ କରିଥିଲେ । କନିଷ୍ଠ ପୁତ୍ର ଇଂ. ଦେବବ୍ରତ ପରିଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉମାକାନ୍ତ ପତି ଓ ଡାକ୍ତର ପ୍ରିୟବ୍ରତ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


