ଡାକ୍ତରଖାନାରୁ ୪ଦିନର ଜନ୍ମିତ ଶିଶୁ ଚୋରି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ ଅଭାବନୀୟ ଏବଂ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏହି ଡାକ୍ତରଖାନାରେ ଗତ ୪ଦିନ ତଳେ ଜନ୍ମ ହୋଇଥିବା ଏକ ଶିଶୁ ସନ୍ତାନକୁ ଜଣେ ଅଜ୍ଞାତ ମହିଳା ଚୋରି କରି ଚମ୍ପଟ ମାରିଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଗତ ବୁଧବାର ଦିନ ଗଜପତି ଜିଲ୍ଲାର ନୁଆଗଡ ବ୍ଲକର ମାଣିକପୁର ଗ୍ରାମର କୁରି ପାଇକ ନାମକ ଜଣେ ମହିଳା ପ୍ରସବ ବେଦନାରେ ପାରଳାଖେମୁଣ୍ଡି ଠାତେ ଥିବା ଜିଲ୍ଲା ମହକୁମା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେହିଦିନ ହିଁ ମହିଳାଙ୍କର ଅସ୍ତ୍ରପୋଚାର କରାଯାଇଥିଲା । ଏଥିରେ ମହିଳା ଜଣକ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଥିଲେ । ମାଆ ଓ ଶିଶୁଟି ଜିଲ୍ଲା ମହକୁମା ଡାକ୍ତରଖାନାର ପ୍ରସୁତି ବିଭାଗର ୱାର୍ଡରେ ଚିକିତ୍ସାଧିନ ଥିଲେ । ଆଜି ମଧ୍ୟାହ୍ନ ୧୨ଘଣ୍ଟା ସମୟରେ କେହି ଜଣେ ଅଜ୍ଞାତ ମହିଳା ତାଙ୍କ ନିକଟକୁ ଆସି ଡାକ୍ତର ଶିଶୁକୁ ଧରି ଶିଘ୍ର ଆସିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ବୋଲି କହିଥିଲେ । ଏହି ସମୟରେ ଶିଶୁ ସନ୍ତାନର ମାଆ କୁରି ପାଇକ ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖି ସମ୍ପୃକ୍ତ ମହିଳା ଜଣକ ମୁଁ ଶିଶୁଟିକୁ ଧରି ଡାକ୍ତରଙ୍କ ପାଖକୁ ଯାଉଛି ତମେ ଖାଇସାରିବା ପରେ ସେଠାକୁ ଆସ ବୋଲି କହି ଶିଶୁଟିକୁ ଧରି ଚାଲିଯାଇଥିଲେ । ଅଳ୍ପ କିଛି ସମୟ ପରେ ଶିସୁଟିର ମାଆ ଓ ଆଇ ଦୌଡି ଡାକ୍ତରଙ୍କ ନିକଟକୁ ଯାଇଥିଲେ । ସେଠାରେ ତାଙ୍କର ଶିଶୁ ସନ୍ତାନ ନ ଥିବା ଦେଖି ବ୍ୟାକୁଳରେ ଡାକ୍ତରଙ୍କୁ ପଚାରିଥିଲେ । ଡାକ୍ତର କହିଥିଲେ ଯେ,ଶିଶୁଟିକୁ ମୁଁ କାହାକୁ ଆଣିବା ପାଇଁ କହି ନାହିଁ । ପରେ ଶିଶୁଟିର ମାଆ ଓ ଆଇ ଏବଂ ଡାକ୍ତରଖାନାର କର୍ମଚାରୀମାନେ ଡାକ୍ତରଖାନା ମଧ୍ୟରେ ଖୋଜାଖୋଜି କରିଥିଲେ । ତେବେ ଶିଶୁଟିର କୌଣସି ପତ୍ତା ମିଳିନଥିଲା । ପରେ ଡାକ୍ତରଖାନାରେ ଥିବା ସମସ୍ତ ସିସିଟିଭି ଫୁଟେଜକୁ ମଧ୍ୟ ଟିକିନିଖି ଭାବେ ଅନୁଧ୍ୟାନ କରାଯାଇଥିଲା । ହେଲେ କୌଣସି ଭାବେ ପିଲା ଚୋରି ଘଟଣାର କୌଣସି ତଥ୍ୟ ମିଳିପାରି ନ ଥିଲା । ଏ ଘଟଣା ନେଇ ଶିଶୁ ସନ୍ତାନର ପିତା ମଦନ ବଣୁଆ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ପାରଳାଖେମୁଣ୍ଡି ସହର ଠାରେ ଥିବା ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାରେ ସ୍ୱଷ୍ଟ ଦିବାଲୋକରେ ଏଭଳି ପିଲା ଚୋରି ଘଟଣା ଜିଲ୍ଲା ବାସୀଙ୍କ ଠାରେ ମୁଖ୍ୟ ଆଲୋଡିତ ବିଷୟ ପାଲଟିଥିବା ସହ ସାରା ଜିଲ୍ଲାରେ ଏ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।