ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ
କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ଅଳାଇଲୋ ଗ୍ରାମର ରମେଶ ଦାସଙ୍କ ପତ୍ନୀ ଶଶ୍ମିତା ଦାସ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କର ସାଢେ ୩ବର୍ଷର ଝିଅ ଅନ୍ନପୂର୍ଣ୍ଣାକୁ ସେ ପ୍ରଥମେ ମହାକାଳପଡା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ସେଠାରୁ ରେଫର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ୱାର୍ଡରେ ସୋମବାର ପୂର୍ବାହ୍ନରେ ଆଡମିସନ କରିଥିଲେ । କିନ୍ତୁ ତାଙ୍କର ଅନୁରୋଧ ସତ୍ୱେ ଦୀର୍ଘ ଏକ ଘଂଟାରୁ ଉଦ୍ଧ୍ୱର୍ ତାଙ୍କ ଝିଅକୁ କୈାଣସି ଡାକ୍ତର କିମ୍ବା ନର୍ସ ଦେଖିବାକୁ ନଆସିବାରୁ ତାଙ୍କ ଝିଅ ଅନ୍ନପୂର୍ଣ୍ଣାର ମୃତ୍ୟୁ ହୋଇଯାଇଥିଲା । ତେଣୁ ଏଭଳି ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ତାଙ୍କ ଝିଅର ମୃତ୍ୟୁ ହୋଇଥିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଏଭଳି ଚିକିତ୍ସାରେ ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏହା ବିରୋଧରେ କୈାଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଯୋଗୁ ଏଭଳି ଘଟଣା ବାରମ୍ବାର ଘଟୁଥିବାର ଅଭିଯୋଗ ହେଉଛି ।