ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ପୁଣି ଏକ ନବଜାତକର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ତନ୍ତିଆପାଳ ଥାନା ଅନ୍ତର୍ଗତ ଚକଡାଗୋଗୁଆ ଗ୍ରାମର କ୍ଷୀରୋଦ ଜେନାଙ୍କ ବୋହୁ ଅର୍ଥାତ ପୁଅ କାଳନ୍ଦୀ ଜେନାଙ୍କ ପତ୍ନୀ ସାବିତ୍ରୀ ଜେନା(୨୩)ଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଗୁରୁବାର ସକାଳେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ପକ୍ଷରୁ ଅଣାଯାଇଥିଲା । ଡାକ୍ତରଖାନାରେ ପହଁଚିବା ପରେ ସାବିତ୍ରୀଙ୍କୁ ସ୍ତ୍ରୀ ଓ ପ୍ରସୁତି ବିଭାଗ ଡାକ୍ତର କର୍ଣ୍ଣ ନାୟକ ପରୀକ୍ଷା ନିରୀକ୍ଷା କରିବା ପରେ ସଂପୃକ୍ତ ମହିଳାଙ୍କ ଡେଲିଭରି ୪୦ଦିନ ପରେ ହେବ ବୋଲି କହିଥିଲେ । ଏହାପରେ ସାବିତ୍ରୀକୁ ନେଇ ପରିବାର ଲୋକେ ଘରକୁ ଫେରିଯାଇଥିଲେ । କିନ୍ତୁ ସେହିଦିନ ରାତି ପ୍ରାୟ ୨ଟାରେ ପୁନର୍ବାର ସାବିତ୍ରୀର ଗର୍ଭ ଯନ୍ତ୍ରଣା ହେବାରୁ ତାକୁ ପ୍ରଥମେ କୁରୁତୁଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବା ସମୟରେ କେନ୍ଦ୍ରାପଡା ସହରର ସାନମଙ୍ଗଳାଛକ ନିକଟରେ ପୁତ୍ର ସନ୍ତାନଟିଏ ଗାଡିରେ ଜନ୍ମ ହୋଇଥିଲା । ଏହାପରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେହି ରାତିରୁ ଶନିବାର ସକାଳ ୯ଟା ପର୍ଯ୍ୟନ୍ତ କୈାଣସି ଡାକ୍ତର ସାବିତ୍ରୀ କିମ୍ବା ତା’ର ନବଜାତକ ପୁତ୍ର ସନ୍ତାନକୁ ଦେଖିବାକୁ ଡାକ୍ତରଖାନା ବେଡକୁ ନଆସିବାରୁ ପରିବାର ପକ୍ଷରୁ ଶେଷରେ ନବଜାତକକୁ ଡାକ୍ତରଙ୍କ ପାଖକୁ ନେଇ ଦେଖାଇବାରୁ ଡାକ୍ତର ଶିଶୁଟି ମୃତ ବୋଲି ଘୋଷଣା କରିଥିଲେ । ସ୍ତ୍ରୀ ଓ ପ୍ରସୁତି ବିଭାଗ ଡା. ନାୟକଙ୍କ ଠାରୁ ଆରମ୍ଭ କରି ଡାକ୍ତରଖାନାର ନର୍ସଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସାବିତ୍ରୀ ଓ ତାଙ୍କ ନବଜାତକର ଚିକିତ୍ସା ନିମନ୍ତେ ନଗଦ ଅର୍ଥ ଦିଆଯାଇଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ଅଭାବରୁ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସାବିତ୍ରୀଙ୍କ ପରିବାର ପକ୍ଷରୁ ମୃତ ନବଜାତକକୁ ଧରି ସିଡିଏମଓଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ସାବିତ୍ରୀ,ତାଙ୍କ ସ୍ୱାମୀ,ଶଶୁର ଓ ଶାଶୁ । ଖବରପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ପରିସ୍ଥିତ ଉପରେ ନଜର ରଖିଛି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଡାକ୍ତରଖାନା ଅଧିକ୍ଷକ ଡା.ନିର୍ମଳା ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି ଯେ ଏଭଳି ଅଭିଯୋଗ ସେ ପାଇଛନ୍ତି । କିନ୍ତୁ ସାବିତ୍ରୀଙ୍କ ଡେଲିଭରି ଏକ ଆବନରମାଲ ଡେଲିଭରି ଥିଲା । ନବଜାତକଟିର ଓଜନ ବହୁତ କମଥିଲା । ସେ ସମୟରେ ତାକୁ ଡାକ୍ତରଖାନାରେ ପ୍ରବେଶ କରାଇଥିବା ଡାକ୍ତର ଓ ଷ୍ଟାଫ ଶିଶୁର ଓଜନ କରାଇ ତାକୁ ପୃଷ୍ଟି ସାଧନ କେନ୍ଦ୍ରକୁ ପଠାଇବା କଥା ଯାହା ଏ କ୍ଷେତ୍ରରେ କରାଯାଇନାହିଁ । ଏହି ଘଟଣାର ତଦନ୍ତ କରାଯିବା ନିମନ୍ତେ ଏକ କମିଟି ଗଠନ କରାଯାଇଛି । କମିଟି ତଦନ୍ତକରି ରିପୋର୍ଟ ପ୍ରଦାନ କଲାପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଠାରେ ଏକ ପ୍ରଶ୍ନ ଉଠେ ଯେ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାରେ ଅପପୃଷ୍ଟିର ଶୀକାର ହୋଇଥିବା ଶିଶୁମାନଙ୍କୁ ଚିହ୍ନଟକରି ସେମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାକୁ କୁପୋଷଣମୁକ୍ତ କରିବାକୁ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀଙ୍କ ଏଭଳି କାରନାମା ଜିଲ୍ଲାପାଳଙ୍କ ଏକ ଆଦର୍ଶ ଅଭିଯାନକୁ କୁଠାରଘାତ କରିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଏଭଳି ଅଭିଯୋଗ ହୋଇ ଆସୁଥିବା ବେଳେ ଅଦ୍ୟାବଧି ଏହାର କୈାଣସି ପ୍ରତିକାର କରାଯାଇପାରୁନାହିଁ । ଏକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାରମ୍ବାର ଏଭଳି ଘଟିଚାଲିଥିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ