ଡାକ୍ତରଙ୍କ ହସ୍ତଲିପି

ସ୍ପଷ୍ଟ ଏବଂ ଗୋଲ ଅକ୍ଷରରେ ସମସ୍ତେ ପଢିପାରିବା ଭଳି ଡାକ୍ତରୀ ଔଷଧ ଚିଠା (ପ୍ରେସ୍‌କ୍ରିପସନ୍‌) ଲେଖିବା ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ ସେବା ସଂସ୍ଥାର ଡାକ୍ତରମାନଙ୍କୁ ନିର୍ଦ୍ଦେଶନାମା ଜାରି କରିବା ନିମନ୍ତେ ଓଡିଶା ହାଇକୋର୍ଟ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବା ନିଶ୍ଚିତ ଯୋଗ୍ୟ ଏକ ଯୁଗାନ୍ତକାରୀ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ନିସନ୍ଦେହରେ କୁହାଯାଇପାରିବ । କହିବା ବାହୁଲ୍ୟ ଯେ, ଡାକ୍ତରମାନଙ୍କ ଅଙ୍କାବଙ୍କା ତଥା ଦୁର୍ବୋଧ ହସ୍ତାକ୍ଷର କୁପରିମାଣ କ’ଣ ହୋଇପାରେ ତାହା ହୃଦୟଙ୍ଗମ କରି ଉଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶନାମା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୧୫ରେ ସର୍ପଦଂଶନ ଯୋଗୁଁ ଢେଙ୍କାନାଳ ଜିଲ୍ଲା କଣସରା ଗ୍ରାମରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟର ଅସ୍ପଷ୍ଟ ହସ୍ତାକ୍ଷର ପଢିନପାରିବା ଏବଂ ଅର୍ଥ ନିର୍ଣ୍ଣୟ କରିନକରିପାରିବା ପାଇଁ ତାଙ୍କ ପରିବାରକୁ କ୍ଷତିପୂରଣ ଅସହାୟତା ମିଳିପାରିନଥିଲା । ଏ ନେଇ ସେ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଉଚ୍ଚ ନ୍ୟାୟାଳୟା ମାମଲାକୁ ଅତ୍ୟନ୍ତ ଗୁରୁତର ସହକାରେ ଗ୍ରହଣ କରି ଶବ ବ୍ୟବଚ୍ଛେଦ ରିପୋର୍ଟ ଲେଖିଥିବା ସମ୍ପୂର୍ଣ୍ଣ ଡାକ୍ତରଙ୍କୁ ଅଦାଲତ ଗଲା ଡିସେମ୍ବର ୭ ଦିନ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ । ସେ ଅଦାଲତରେ ହାଜର ହୋଇ ନିଜେ ଲେଖିଥିବା ରିପୋର୍ଟକୁ ପଢିବା ପରେ ସେଥିରେ କଣ ଲେଖା ହୋଇଥିଲା ଜଣାପଡିଥିଲା । କେବଳ ଏହି ଗୋଟିଏ ଘଟଣା ନୁହେଁ, ଏହା ପୂର୍ବରୁ ୨୦୨୦ରେ ବ୍ରହ୍ମପୁର ଜେଲରେ ବିଚାରଧୀନ କଏଦୀ ଥିବା ଜଣେ ବ୍ୟକ୍ତିଙ୍କର ପତ୍ନୀ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେବା ଲାଗି ଡାକ୍ତରଖାନାରେ ଭର୍ତୀ ହୋଇଥିବାବେଳେ ତାଙ୍କୁ ଦେଖାଶୁଣା କରିବାକୁ କେହି ନଥିଲେ । ରୋଗିଣା ପତ୍ନୀଙ୍କ ଦେଖାଶୁଣା କରିବା ପାଇଁ ପାଖରେ ରହିବାକୁ ଅନ୍ତରୀଣ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ଏଥିରେ ସେ ପତ୍ନୀଙ୍କର ରୋଗ ଏବଂ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଦାଖଲ କରିଥିଲେ । କିନ୍ତୁ ଡାକ୍ତରଙ୍କ ଅସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ ସ୍ୱୟଂ ବିଚାରପତି କିମ୍ବା ଅନ୍ୟ କେହି ପଢିପାରିନଥିଲେ । ଏହି ଘଟଣାରେ ମଧ୍ୟ ଉଚ୍ଚ ଅଦାଲତ ସେତେବେଳେ ଅନୁରୂପ ନିର୍ଦ୍ଦେଶ ଦେଇଥିଲେ । ଏହା ନିସନ୍ଦେହ ଯେ, ଡାକ୍ତରମାନଙ୍କ ଅଙ୍କାବଙ୍କା ଛଟା ଏବଂ ଅସ୍ପଷ୍ଟ ହସ୍ତାକ୍ଷର ସାଧାରଣ ଲୋକଟିଏ ଯେ, ପଢିବା ଦୂରର କଥା, ସ୍ୱୟଂ ନ୍ୟାୟାଧୀଶ ପଢି ତାହାର ଅର୍ଥ ବୁଝିପାରିଲେ ନାହିଁ । ଅସ୍ପଷ୍ଟ ତଥା ଅବୋଧ୍ୟଗମ୍ୟ ହସ୍ତାକ୍ଷରରେ ଲେଖା ଔଷଧ ଚିଠା ଯେ, ଜଣେ ରୋଗୀଙ୍କ ଜୀବନନାଶର କାରଣ ହୋଇପାରେ, ଏହା କହିବା ନିଷ୍ପ୍ରୟୋଜନ । ଅନେକ ସମୟରେ ଔଷଧ ଦୋକାନର କର୍ମଚାରୀ ଚିଠା ପଢିନପାରି ଭୁଲ ଔଷଧ ଦେବାର ନଜୀର ମଧ୍ୟ ରହିଛି । ଯାହାକି କେବଳ ରୋଗୀର ରୋଗକୁ କେବଳ ଜଟିଳ କରିନାହିଁ, ଅନ୍ୟ ରୋଗକୁ ଆମନ୍ତ୍ରଣ କରିବା ସହ ରୋଗୀର ଜୀବନ ନାଶର କାରଣ ମଧ୍ୟ ହୋଇଛି । ତେବେ ଡାକ୍ତରମାନଙ୍କ ଏପରି ଅସ୍ପଷ୍ଟ ତଥା ତରବରରେ ଔଷଧ ଲେଖାର କାରଣ ମଧ୍ୟ ଅନେକ ରହିଛି । ଡାକ୍ତରଖାନାରେ ଅତ୍ୟଧିକ ରୋଗୀ ଦେଖୁଥିବାରୁ ତରବରିଆ ଭାବେ ଚିଠା ଲେଖିବାକୁ ବାଧ୍ୟ ହେଉଥିବା କୁହାଯାଏ । ଆହୁରି ମଧ୍ୟ ସାଂପ୍ରତିକ ଗୁଗୁଲ’ ଯୁଗରେ ଡାକ୍ତରୀ ବିଦ୍ୟାକୁ ସର୍ବସାଧାରଣଙ୍କ ଠାରୁ ଦୂରରେ ରଖିବାକୁ ଡାକ୍ତରମାନଙ୍କର ଅସ୍ପଷ୍ଟ ହସ୍ତାକ୍ଷର ଏକ କୌଶଳ ହୋଇପାରେ ବୋଲି କୁହାଯାଇପାରେ । ଅବଶ୍ୟ ଆମ ଦେଶରେ ଡାକ୍ତରମାନଙ୍କ ଔଷଧ ଚିଠା ଏବଂ ବସ କଣ୍ଡକ୍ଟରଙ୍କ ହସ୍ତାକ୍ଷର କେହି ପଢିପାରନ୍ତି । ଔଷଧ ଚିଠା ଏବଂ ବସ ଟିକେଟ ଏପରି ଅସ୍ପଷ୍ଟ ଏବଂ ଛଟା ଅକ୍ଷରରେ ଲେଖା ହୋଇଥାଏ ଯେ, ସାଧାରଣ ଲୋକ ଏହାକୁ ପଢିବା ଦୂରର କଥା, ବେଳେବେଳେ ସେମାନେ ମଧ୍ୟ ପଢିପାରନ୍ତିନାହିଁ । ଅସ୍ପଷ୍ଟ ହସ୍ତାକ୍ଷରକୁ ନେଇ ଆମ ଦେଶରେ ଏକ ହସକଥା ରହିଛି । ହସକଥାଟି ହେଉଛି, ଜଣେ ଯୁବକ ପାଖକୁ ତା’ର ପ୍ରେମିକା ଏକ ଚିଠି ଲେଖିଥିଲା ଯୁବକ ଜଣକ ଚିଠିଟି ପଢିପାରିନଥିଲା । ଔଷଧ ଦୋକାନରେ କାମ କରୁଥିବା କର୍ମଚାରୀ ଜଣକ ସବୁ ଅଙ୍କାବଙ୍କା ଛଟା ଅକ୍ଷର ପଢିପାରୁଥିବା ତା (ପ୍ରେମିକ) ମନରେ ଧାରଣା ରହିଥିଲା । ସେ ସିଧା ନେଇ ଲେଖାଟି ଔଷଧ ଦୋକାନର କର୍ମଚାରୀଙ୍କୁ ଦେଇଥିଲା । ସେ ଲେଖାଟି ଦେଖି କିଛି ଔଷଧ ଧରାଇ ଦେଇଥିଲା । ଏହା ହିଁ ହେଉଛି ଅସ୍ପଷ୍ଟ ପଢି ହେଉନଥିବା ଲେଖାର କୁପରିଣତି । ସୁଖର କଥା ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତି ସଂଜୀବ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକୁ ରାଜ୍ୟ ମୁଖ୍ୟ ସଚିବ ଅବିଳମ୍ବେ ପାଳନ କରି ସ୍ୱାସ୍ଥ୍ୟ ବିଭାଗ ଉପରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଉଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁଯାୟୀ ଏଣିକି ଡାକ୍ତରମାନେ ଔଷଧ ଚିଠା, ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଚିକିତ୍ସା ଆଇନ ସମ୍ବନ୍ଧୀୟ ଦସ୍ତାବିଜ ଗୁଡିକ ସ୍ପଷ୍ଟ, ଗୋଲ, ଇଂରାଜୀ ବଡ (କ୍ୟାପିଟାଲ) ଅକ୍ଷରରେ ଲେଖିବେ । ସେହିପରି ଆବଶ୍ୟକ ଅନୁଯାୟୀ କମ୍ପ୍ୟୁଟରରେ ଡିଟିପିରେ ଲେଖିବେ । ଯାହାଫଳରେ ପଢିପାରିବା ସହ ବୋଧଗମ୍ୟ ହେବ । ଅସ୍ପଷ୍ଟ ହସ୍ତାକ୍ଷରର ଅର୍ଥ ନିର୍ଣ୍ଣୟ ପାଇଁ ହସ୍ତଲିପି ଅଧ୍ୟୟନକାରୀଙ୍କ ଆବଶ୍ୟକ ପଡିବ ନାହିଁ । ଓଡିଶା ହାଇକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରିପ୍ରେକ୍ଷୀରେ ମୁଖ୍ୟ ସଚିବଙ୍କ ତ୍ୱରିତ ଆଦେଶନାମା ଜାରି ଯୋଗୁଁ ଡାକ୍ତରଙ୍କ ଅସ୍ପଷ୍ଟ ଔଷଧ ଚିଠା ପାଇଁ ହଇରାଣ ହରକତ ହେଉଥିବା ଲକ୍ଷ ଲକ୍ଷ ହତଭାଗ୍ୟଙ୍କ ନିମନ୍ତେ ଆଶା ସଂଚାର କରିଛି । ଏଥିରେ ସନ୍ଦେହ ନାହିଁ । କିନ୍ତୁ ଏହାର ଖିଲାପକାରୀଙ୍କ ବିରୁଦ୍ଧରେ କୌଣସି ଦଣ୍ଡବ୍ୟବସ୍ଥା ନଥିବାରୁ ନିର୍ଦ୍ଦେଶର ଫଳପ୍ରଦ କାର୍ଯ୍ୟକାରିତା ନେଇ ଆଶଙ୍କା ସୃଷ୍ଟି କରିଛି । ଅତୀତରେ ତଥା ତିନି ବର୍ଷ ଓଡିଶା ହାଇକୋର୍ଟ ଏବଂ ଭାରତୀୟ ମେଡିକାଲ କାଉନସିଲ୍ ପୃଥକ ପୃଥକ ନିର୍ଦ୍ଦେଶ ଦେଇଥିବା ସତ୍ୱେ ତାହା କେବଳ ନିର୍ଦ୍ଦେଶ ମଧ୍ୟରେ ସୀମିତ ରହିଯାଇଛି । କିନ୍ତୁ ଏହା ନିଶ୍ଚିତ ଯେ, ଉଚ୍ଚ ନ୍ୟାୟାଳୟଙ୍କ ରାୟ ଏବଂ ମୁଖ୍ୟ ସଚିବଙ୍କ ଆଦେଶନାମା ସଫଳ କାର୍ଯ୍ୟକାରୀ ହୋଇପାରିଲେ ବୋଧହୁଏ ହସକଥାକୁ ସମସ୍ତେ ପାଶୋରୀଯିବେ ।

ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ