ଡାକ୍ତର ଅନୁପସ୍ଥିତିରୁ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ ଶବକୁ ରଖି ୩ ଘଣ୍ଟା ରାସ୍ତା ଅବରୋଧ

ଦିଗପହଣ୍ଡି :  ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ସକାଳେ ଡାକ୍ତର ଅନୁପସ୍ଥିତ କାରଣରୁ ଜଣେ ଜରୁରୀକାଳୀନ ପରିସ୍ଥିତିରେ ଗୁରୁତର ଆହତ ହୋଇ ଆସିଥିବା ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ପାଟପୁର ଥାନା ଅଧିନସ୍ଥ ପାଇକ ରାମଚନ୍ଦ୍ରପୁର ଗ୍ରାମର ରଙ୍କ ପରିଡା (୬୭) । ଘଟଣାକୁ ନେଇ ମୃତକଙ୍କ ପରିବାର ବର୍ଗ ଓ ସ୍ଥାନୀୟ ବାସିନ୍ଦା କିଛି ସମୟ ଧରି ଉତ୍ତେଜନା ପ୍ରକାଶ କରିଥିଲେ । ଏପରିକି ଦୀର୍ଘ ୩ ଘଣ୍ଟା ଧରି ଶବଟିକୁ ରଖି ଦିଗପହଣ୍ଡି- ଚିକିଟି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ବୁଝା ସୁଝା କରିବା ପରେ ପରିସ୍ଥିତିରେ ଶାନ୍ତ ଫେରିଥିଲା । ଏନେଇ ପାଟପୁର ଥାନା ପୋଲିସ କେସନଂ ୪ା୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଟିର ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଅପରପକ୍ଷେ ସ୍ଥାୟୀ ଡାକ୍ତର ନିଯୁକ୍ତି ନହେଲେ ଜନଆନ୍ଦୋଳନ କରାଯିବ ବୋଲି ମେଡିକାଲ ସୁରକ୍ଷା ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।
ପ୍ରକାଶଯେ, ଶନିବାର ଭୋରରେ ରାମଚନ୍ଦ୍ରପୁୁର ଗ୍ରାମର ରଙ୍କ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଅସାବଧାନତା କାରଣରୁ ତାଙ୍କ ପୋଦ ଖସିଯିବାରୁ ସେ ପୋଖରୀରେ ବୁଡିଯାଇଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇ ଦିଗପହଣ୍ଡି ଅଗ୍ନିଶମବାହିନୀ ପହଞ୍ଚି ରଙ୍କଙ୍କୁ ପୋଖରୀ ମଧ୍ୟରୁ ଉଦ୍ଧାର କରିଥିଲେ । ରଙ୍କଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଥିବା ବେଳେ ସଜ୍ଞାହୀନ ଅବସ୍ଥାରେ ରହିଥିବା ହେତୁ ଆଶୁ ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ କୌଣସି ଡାକ୍ତର କିମ୍ବା କର୍ମଚାରୀଙ୍କ ଦେଖାନମିଳିବାରୁ ରଙ୍କଙ୍କ ପରିବାର ବର୍ଗ ଓ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ । ରଙ୍କ ଜୀବିତ କିମ୍ବା ମୃତ ତାହା ସ୍ପଷ୍ଟି କରଣ କେବଳ ଡାକ୍ତର ହିଁ କରିପାରିବା ହେତୁ ଅଗ୍ନିଶମ ବାହିନୀ ଓ ପରିବାର ବର୍ଗ ଡାକ୍ତରଙ୍କ ଆସିବା ସମୟ ନେଇ ଅପେକ୍ଷା କରି ରହିଥିଲେ । ସକାଳ ୬ ଘଣ୍ଟ ୩୦ ମିନଟରୁ ପୂର୍ବାହ୍ନ ୯ ଘଣ୍ଟ ୩୦ ମିନଟ୍ ଯାଏଁ ରଙ୍କଙ୍କ ମୃତ ଦେହକୁ ମେଡିକାଲ୍ ଛକ ରାସ୍ତା ଉପରେ ରଖିି ଆନ୍ଦୋଳନ ଆରମ୍ଭ କରିଥିଲେ । ପରେ ମେଡିକାଲ ସୁରକ୍ଷା ମଞ୍ଚ ପକ୍ଷରୁ ମୃତକଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବୀ, ଜରୁରୀକାଳୀନ ସମୟରେ ରୋଗୀ ସେବା ବିପର୍ଯ୍ୟସ୍ଥ ଆଦି ପ୍ରସଙ୍ଗକୁ ନେଇ ଦିଗପହଣ୍ଡି-ଚିକିଟି ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଥିଲା । ଖବରପାଇ ଘଟଣା ସ୍ଥଳରେ ଦିଗପହଣ୍ଡି ଥାନା ଆଇଆଇସି ଗୌରାଙ୍ଗ ଚରଣ ସାହୁ, ତହସିଲଦାର ଅଦ୍ୱୈତ କୁମାର ସ୍ୱାଇଁ, ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର ଖଜୁର୍, ଆରଆଇ ରତ୍ନାକର ସ୍ୱାଇଁ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ବୁଝା ସୁଝା କରିଥିଲେ ହେଁ କୌଣସି ଫଳପ୍ରଦ ହୋଇପାରିନଥିଲା । ଦିଗପହଣ୍ଡି ମୋଡିକାଲ୍ ଅଫିସର୍ ଇନଚାର୍ଜ ଡାକ୍ତର ସୁପ୍ରଭା ସାହୁ ମେଡିକାଲରେ ପହଞ୍ôଚ ରଙ୍କଙ୍କୁ ମୃତ ଘୋଷଣା କରିବା ପରେ ହୋହାଲ୍ଲା ବଢିଯାଇଥିଲା । କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ଯୋଗୁଁ ଜରୁରୀ କାଳୀନ ପରିସ୍ଥିତିରେ ଜଣେ ରୋଗୀ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇନପାରି ମୃତ୍ୟୁବରଣ କରିଥିବା ଅଭିିଯୋଗ ଆଣି ମେଡିକାଲ ପରିସରରେ ଉତ୍ତ୍ୟକ୍ତ ଲୋକମାନେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ପାଟପୁର ଥାନା ପୋଲିସ ପହଞ୍ଚି ଶବଟିର ପଞ୍ଚନାମା କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଇଥିଲେ । ପରେ ସିଡିଏମଓଙ୍କ ନିର୍ଦ୍ଦେଶାକ୍ରମେ ବମକେଇ ମେଡିକାଲ ଅଫିସର୍ ଇନଚାର୍ଜ ବିଜୟ ନାୟକ ଓ ଜିଲା ଯକ୍ଷ୍ମା ନିୟନ୍ତ୍ରଣ ବିଭାଗୀୟ ଅଧିକାରୀ ପ୍ରମୋଦ ପଣ୍ଡା ଦିଗପହଣ୍ଡି ମେଡିକାଲରେ ପହଞ୍ଚି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିଥିଲେ । ମେଡିକାଲରେ ସମ୍ପୃକ୍ତ ଡାକ୍ତରଙ୍କୁ ଅନୁପସ୍ଥିତ ରହିବା ଏବଂ ଜରୁରୀକାଳୀନ ସେବାରୁ ବଞ୍ଚିତ ରହିଥିବାର କାରଣ ପଚାରି ଫେରିଯାଇଥିଲେ । ସମ୍ପୃକ୍ତ ମେଡିକାଲ ଅଫିସର୍ ଇନଡାର୍ଜଙ୍କ ଅନ୍ୟତ୍ର ବଦଳି କରାଯିବା ସହିତ ତାଙ୍କ ସ୍ଥାନରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବା, ମେଡିକାଲରେ ସ୍ୱତନ୍ତ୍ର ଲାବ୍ରୋଟରୀ ଚଳ ଆମ୍ବୁଲାନ୍ସକୁ କାର୍ଯ୍ୟକ୍ଷମ, ରୋଗୀ କଲ୍ୟାଣ ସମିତିର ସମସ୍ତ ଅର୍ଥର ସଦବିିନିଯୋଗ କରି ସମସ୍ତ ଶଯ୍ୟା ଗୁଡିକରେ ନୂତନ ବେଡସିଟ୍ ଯୋଗାଇବା ସହିତ ପରିଛନ୍ନ ରଖିବା ଆଦି ଦାବୀ କରାଯାଇ ସିଡିଏମଓଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ପରେ ଦିଗପହଣ୍ଡି ତହସିଲଦାର ଏ.କେ.ସ୍ୱାଇଁ ସାନଖେମୁଣ୍ଡି ତହସିଲଦାରଙ୍କ ସହିତ ଯୋଗାଯୋଗ କରି ରେଡ୍ କ୍ରସ୍ରୁ ୫ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ରାଶି ଯୋଗାଇଦେବାର ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ମେଡିକାଲ ସୁରକ୍ଷା ମଞ୍ଚ ପକ୍ଷରୁ କରାଯାଇଥିବା ଉକ୍ତ ଆନ୍ଦୋଳନରେ କଂଗ୍ରେସ ନେତା ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, କେ.କୁନା, ନୀଳକଣ୍ଠ ପଟ୍ଟନାୟକ, ବିଘ୍ନରାଜ ପାଣିଗ୍ରାହୀ, ପ୍ରଶାନ୍ତ ପାଣିଗ୍ରାହୀ, ଭାଜପା ନେତା ଭିକାରୀ ସେଠୀ, କୁରେଶୁ ମହାରଣା, ପରେଶ ଚନ୍ଦ୍ର ରଥ, ମନୋଜ କୁମାର ପଣ୍ଡା, ପ୍ରଶାନ୍ତ ପୂଜାରୀ, ଭବାନୀ ଶଙ୍କର ପଣ୍ଡା, ଗଦାଧର ସ୍ୱାଇଁ ବାମପନ୍ଥୀ ନେତା ତପନ କୁମାର ମିଶ୍ର, ଭି.ଧର୍ମା ରାଜୁ, ଶ୍ୟାମା ରାଜୁ ପ୍ରମୁଖଙ୍କ ସମେତ ଶତାଧିକ ସହରବାସୀ ସାମିଲ ଥିଲେ । ଅପରପକ୍ଷେ ୭୭ ଜଣ ଡାକ୍ତରଙ୍କୁ ଗଞ୍ଜାମ ଜିଲାରେ ନୂତନ ନିଯୁକ୍ତି କରାଯାଇଛି ସେମାନେ କାର୍ଯ୍ୟରେ ଯୋଗଦାନ କରିବା ପରେ ରୋଗୀ ସେବାରେ ସୁଧାର ଆସିଯିବ ବୋଲି ସିଡିଏମଓ ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ