ଡାକ୍ତର ଦମ୍ପତିଙ୍କ ପଶୁପ୍ରେମ : ବୁଲା କୁକୁରର ସେବା କରି ପ୍ରଶଂସିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ଜନୈକ ଡାକ୍ତର ଦମ୍ପତିଙ୍କ ସାହିର ବୁଲା କୁକୁର ପ୍ରତି ଅହେତୁକ ସ୍ନେହ ଦେଖି ଗଜପତି ନଗର ୨ୟ ଗଳି ତଥା ଆଖପାଖ ଅଞ୍ଚଳ ବାସିନ୍ଦା ଖୁସି ବ୍ୟକ୍ତ କରିବା ସହ ଦମ୍ପତିଙ୍କ ପଶୁପ୍ରେମକୁ ଭୂରି ଭୂରି ପ୍ରଶଂସା କରୁଛନ୍ତି । ଘଟଣାରୁ ପ୍ରକାଶ ଗଜପତି ନଗର ୨ୟ ଗଳିରେ ରହୁଥିବ ବ୍ରହ୍ମପୁର ବଡ ମେଡିକାଲର ଚର୍ମ ଓ ଯୌନ ରୋଗ ବିଶେଷଜ୍ଞ ଡାକ୍ତର ସୁରଜିତ ନାୟକ ଓ ଉକ୍ତ ବିଭାଗରେ କାର୍ଯ୍ୟରତ ତାଙ୍କ ସହଧର୍ମିଣୀ ଡକ୍ଟର ବାସନ୍ତି ଆଚାର୍ଯ୍ୟ ବୁଲୁଥିବା ଏକ କୁକୁରକୁ ଦୀର୍ଘ ଚାରିମାସ ହେଲା ଖାଇବାକୁ ଦେଉଥିଲେ ଏବଂ ତାର ସେବା ଶୁଶ୍ରୁଷା କରି ଆସୁଥିଲେ । ଏପରିକି ଉକ୍ତ ବୁଲା କୁକୁରଟି ଯେବେବି ଅସୁସ୍ଥ ଅନୁଭବ କରିଥାଏ ତେବେ ସେ ଆସି ଡାକ୍ତର ଦମ୍ପତିଙ୍କ ଘର ବାରଣ୍ଡାରେ ପଡ଼ିରହିଥାଏ । ଡାକ୍ତର ଦମ୍ପତିଙ୍କ ମଧ୍ୟ ଉକ୍ତ କୁକୁରର କଷ୍ଟ ସହିନପାରି ତାର ଚିକିତ୍ସା ବ୍ୟବସ୍ଥା କରିଥାନ୍ତି । ଏପରି ସ୍ଥଳେ ଦମ୍ପତି ଓ ବୁଲା କୁକୁରଟିର ପରସ୍ପର ମଧ୍ୟରେ ସ୍ନେହ ବଢ଼ି ଚାଲିଥିଲା । ତେବେ ଦୁଃଖର ବିଷୟ ଗତ କିଛି ଦିନ ତଳେ ଉକ୍ତ କୁକୁରଟି ରୋଗରେ ପୀଡ଼ିତ ହୋଇ ଘୋଷାଡି ଘୋଷାଡି ଆସି ଦମ୍ପତି ବାରଣ୍ଡାରେ ପଡ଼ିରହିଥିଲା । ଡାକ୍ତର ଦମ୍ପତି ମଧ୍ୟ ଉକ୍ତ କୁକୁରଟିର ପ୍ରାଥମିକ ଚିକିତ୍ସା କରିବା ପରେ ସେ ପକ୍ଷାଘାତ ରୋଗରେ ପୀଡ଼ିତ ଥିବା ଜାଣି ପଶୁ ଚିକିତ୍ସକଙ୍କ ଆବଶ୍ୟକତା ରହିଥିବା ଅନୁଭବ କରିଥିଲେ । ଉକ୍ତ କୁକୁରଟିର ଚିକିତ୍ସା ପାଇଁ ପଶୁ ଡାକ୍ତରଙ୍କ ଆବଶ୍ୟକତା ଥିବା ଜାଣିବା ପରେ ତୁରନ୍ତ ସହକାରୀ ଜିଲ୍ଲାପାଳ ବିନୋଦ ବେହେରାଙ୍କ ସମେତ ବରିଷ୍ଟ ସାମ୍ବାଦିକ ଜଗନ ମୋହନ ମହାପାତ୍ରଙ୍କ ସହ ଯୋଗାଯୋଗ କରିଥିଲେ । ଦୁହେଁ କୁକୁରଟିର ତୁରନ୍ତ ଚିକିତ୍ସା କରିବା ପାଇଁ ପଶୁପ୍ରେମୀ  ଦୃଷ୍ଟି ଆକର୍ଷଣ କରିଥିଲେ । ପଶୁପ୍ରେମୀ ଶ୍ରୀ ଚୌଧୁରୀ ପଶୁ ଚିକିତ୍ସାଳୟର କର୍ମଚାରୀ ସାଇରାମ ରେଡ୍ଡୀ, ପ୍ରଣୟ ପ୍ରସାଦ ରେଡ୍ଡୀ ଓ ଡାକ୍ତର ସୌମିକ ସ୍ବାଇଁଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ପକ୍ଷାଘାତ କୁକୁରର ଚିକିତ୍ସା ଆରମ୍ଭ କରିଥିଲେ । ଡାକ୍ତର ଦମ୍ପତିଙ୍କ ବୁଲା କୁକୁରଟି ପ୍ରତି ସ୍ନେହ, ପଶୁପ୍ରେମୀ ଓ ସ୍ଵେଚ୍ଛାସେବୀଙ୍କ ସେବା ମନୋବୃତ୍ତି ଓ ପଶୁ ଚିକିତ୍ସାଳୟ କର୍ମଚାରୀଙ୍କ ସମୟୋଚିତ ପଦକ୍ଷେପକୁ ଅଞ୍ଚଳବାସୀ ଭୂୟଶ୍ରୀ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ