ଡାକ୍ତର ପଦବୀ ଖାଲି ଯୋଗୁଁ ରୋଗୀ ସେବା ବିପର୍ଯ୍ୟସ୍ତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାର ୧୧ ଟି ବ୍ଲକ ରେ ଥିବା ୧୬ ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ,୪୭ ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଡାକ୍ତର ପଦବୀ ଖାଲି ପଡ଼ିଛି । ସମୁଦାୟ ୩୨୪ ଅନୁମୋଦିତ ଡାକ୍ତର ପଦବୀ ମଧ୍ୟରୁ ୧୨୮ ନିୟମିତ ଡାକ୍ତର ରହିଛନ୍ତି ।ଚୁକ୍ତି ଭିତ୍ତିକ ଭାବେ ୧୦୦ ଜଣ ଡାକ୍ତର ଙ୍କୁ ନିଯୁକ୍ତି ଦିଆଯାଇଛି ।୭ ଜଣ ଡାକ୍ତର ଦୀର୍ଘ ଦିନ ଧରି କାର୍ଯ୍ୟରେ ଯୋଗ ଦେଇନାହାନ୍ତି ।ଦୁଇ ଜଣ ଡ଼ାକ୍ତର ଲମ୍ବା ଛୁଟିରେ ଯାଇଥିବା ବେଳେ ୩୫ ଜଣ ସ୍ମାତକୋତ୍ତର ଏବଂ ବିଶେଷଜ୍ଞ ଶିକ୍ଷା ପାଇଁ ଯାଇଛନ୍ତି ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଗୋଟିଏ ମହିଳା ଓ ପ୍ରସୂତୀ ରୋଗ ବିଶେଷଜ୍ଞ ,ଗୋଟିଏ ଶିଶୁ ରୋଗ ବିଶେଷଜ୍ଞ ,ଜଣେ ନିଶ୍ଚେତକ, ଗୋଟିଏ ଅସ୍ଥିଶଲ୍ୟ ବିଶେଷଜ୍ଞ, ଗୋଟିଏ ଚର୍ମ ରୋଗ ବିଶେଷଜ୍ଞ, ଏବଂଗୋଟିଏ ମାନସିକ ରୋଗ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି ।ସତ୍ୟବାଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ମହିଳା ଓ ପ୍ରସୂତୀ ରୋଗ ,ଶିଶୁରୋଗ ଭେଷଜ ଓ ସର୍ଜରୀ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି । ଅଳଗୁମ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଅଧିକ୍ଷକ ,ଶିଶୁରୋଗ ,ଭେଷଜ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି ।ନିମାପଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ,ଚାରିଛକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚାରିଟି ଡାକ୍ତର ପଦବୀ ଖାଲିପଡ଼ିଛି । ବଳଙ୍ଗା ଡାକ୍ତରଖାନା ରେ ଗୋଟିଏ ଡାକ୍ତର ପଦବୀ ଖାଲି ପଡ଼ିଛି ।ବାଙ୍ଗୁରିଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଅଧିକ୍ଷକ ପଦ ସମେତ ଶିଶୁରୋଗ ,ଭେଷଜ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି । ଗୋପ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ରେ ଶିଶୁ ଓ ଭେଷଜ ବିଶେଷଜ୍ଞ ନାହାନ୍ତି ।ଅସ୍ତରଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ରେ ମହିଳା ଓ ପ୍ରସୂତି ଏବଂ ଶିଶୁ ରୋଗ ବିଶେଷଜ୍ଞ ପଦ ଖାଲି ରହିଛି ।ଏହି ସବୁ ଡାକ୍ତର ପଦବୀ ପୂରଣ ଲାଗି ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ପରିବାର କଲ୍ୟାଣ ବିଭାଗ ସେଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି ।ଫଳରେ ସମଗ୍ର ପୁରୀ ଜିଲ୍ଲା ଅଞ୍ଚଳ ରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଡାକ୍ତର ନଥିବାରୁ ବହୁ ରୋଗୀ କଟକ ଭୁବନେଶ୍ବର ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି ।ଗତ ଏକ ତାରିଖରେ ଚାରିଛକ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ନିଯୁକ୍ତି ଲାଗି ଏକ ଦାବିପତ୍ର ନେଇ ସମାଜ ସେବି ଟୁଲୁ ମଲ୍ଲିକ ଚାରିଛକ ରୁ ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ପଦଯାତ୍ରା କରି ଅଭିଯୋଗ ପତ୍ର ଦେଇ ଆସିଥିଲେ । ଏକ ମାସ ମଧ୍ୟରେ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲାପାଳ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।ମାତ୍ର ଏକ ମାସ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସେ ଚାରିଛକ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।


