ଡାକ ଠିକଣା ଥିବା ଗଛ !

ଜର୍ମାନୀରେ ଅଛି, ଏଭଳି ଏକ ଓକ୍ ଗଛ, ଯାହାର ନିଜର ଡାକ ଠିକଣା ଅଛି । ଯିଏ ଚାହିଁବ, ବିଶ୍ୱର ଯେ କୌଣସି ଅଞ୍ଚଳରୁ, ଏହି ଠିକଣାରେ ଚିଠି ପଠାଇପାରିବ। ଏହି ଠିକଣାରେ ଓଡ଼ିଶାରୁ ବି ଚିଠି ପଠାଇଲେ, ଗଛ ପାଖରେ ପହଞ୍ଚିଯିବ । ପ୍ରତିଦିନ ଏହି ଠିକଣାରେ ପାଞ୍ଚ-ଛଅଟି ଚିଠି ଆସେ । ସାଧାରଣତଃ, ପ୍ରେମିକ ବା ପ୍ରେମିକା ସନ୍ଧାନରେ ଥିବା ମଣିଷ, ଏହି ଠିକଣାରେ ଚିଠି ପଠାନ୍ତି । ଆଉ ଚିଠି ପଠାଉଥିବା ମଣିଷଙ୍କ ଅଭିଳାଷ ପୂରଣ ହେଉଥିବା, ବିଶ୍ୱାସ ପ୍ରଚଳିତ । ଗଛଟିର ନାମ “ବ୍ରାଇଡ୍‌ଗ୍ରୁମ୍‌ସ୍ ଓକ୍‌’; ବୟସ ଅନ୍ୟୁନ ପାଞ୍ଚ ଶହ ବର୍ଷ ।
କିବଂଦନ୍ତି ଅନୁଯାୟୀ, ଜଣେ ସେଲ୍‌ଟିକ୍ ମୁଖିଆ, ଏହି ଗଛରେ ନିଜର ଅବାଧ୍ୟ ପୁଅକୁ ବାନ୍ଧିଦେଇଥିଲେ । ଆଉ ତାଙ୍କୁ ମୁକ୍ତ କରିଥିଲା, ଜଣେ ସ୍ଥାନୀୟ କିରସ୍ତାନ ଯୁବତୀ । ପରେ ଦୁହେଁ ବିବାହ କରିଥିଲେ । ଇତିହାସ ଅନୁଯାୟୀ, ଓର୍ଟ୍ ନାମା ଯୁବତୀ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ । ତେବେ ତାଙ୍କ ପିତା, ସେମାନଙ୍କ ବିବାହ କରାଇଦେଉ ନ ଥିଲେ । ତେଣୁ ସେମାନେ ଏହି ଗଛ କୋଟରରେ ଗୁପ୍ତରେ ପରସ୍ପର ପାଇଁ ପ୍ରେମ-ପତ୍ର ଛାଡ଼ୁଥିଲେ । ଘଟଣାକ୍ରମେ ୨ ଜୁନ୍ ୧୮୯୧ରେ ଏହି ଗଛ ତଳେ ସେମାନଙ୍କର ବିବାହ ହୋଇଥିଲା । ତାହା ପରଠାରୁ ଗଛର ନାମ “ବ୍ରାଇଡ୍‌ଗ୍ରୁମ୍‌ସ୍ ଓକ୍‌’ ହୋଇଛି । ଏହା ପରଠାରୁ ପ୍ରେମିକ-ପ୍ରେମିକାମାନେ ଗଛ କୋଟରରେ ପତ୍ର ଛାଡ଼ିବା ଆରମ୍ଭ କରିଥିଲେ । ଏହା ପ୍ରଚାର ହେବା ପରେ ଜର୍ମାନୀର ଡାକ ବିଭାଗ ୧୯୨୭ରେ ଗଛ ପାଇଁ ଠିକଣା ପଞ୍ଜୀକୃତ କରିଥିଲା । ଗଛର କୋଟର ଭୂମିଠାରୁ ତିନି ମିଟର୍ ଉପରେ ଅଛି । ସେଠାକୁ ଚଢ଼ିବା ପାଇଁ କାଠ ଶିଡ଼ି ପଡ଼ିଛି । ଚିଠି ପହଞ୍ଚାଇବା ଦାୟିତ୍ୱ ଡାକ ବିଭାଗର । ତେବେ ଯିଏ ଚାହିଁବ, କୋଟରରୁ ଚିଠି ଆଣି ପଢ଼ିବାରେ ସମସ୍ୟା ନାହିଁ । ସାଧାରଣତଃ ପ୍ରେମ ସନ୍ଧାନରେ ଥିବା ଯୁବକ-ଯୁବତୀ ଚିଠି ପଢ଼ି ପ୍ରେମିକ ବା ପ୍ରେମିକା ଖୋଜନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ