ଡାଳିମ୍ବଗଢିଆ ମାଇନର କେନାଲ:ହେଉନି ତଦାରଖ,ଚାଲିଛି ନିମ୍ନମାନର କାର୍ଯ୍ୟ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌):ବନ୍ତ ଜଳସେଚନ କାର୍ଯ୍ୟାଳୟ ଅଧିନ ଡାଳିମ୍ବଗଢିଆ ମାଇନର କେନାଲ କାର୍ଯ୍ୟ ତଦାରଖ ଅଭାବରୁ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଚଳିତ ଆର୍ଥିକ ବର୍ଷରେ ବୈତରଣୀ ଡିଭିଜନ ଶାଳପଡା ଜଳସେଚନ ବିଭାଗ ପକ୍ଷରୁ ଏହି କେନାଲର ମରାମତି କାର୍ଯ୍ୟ ପାଇଁ ଟେଣ୍ଡର କରାଯାଇଥିଲା । ଜନୈକ ଠିକାଦାର ଉକ୍ତ କେନାଲର ମରାମତି କାର୍ଯ୍ୟ କରୁଛନ୍ତି । ବନ୍ତ-ବାରିକପୁର ରାସ୍ତାର ଘରପଦା କେନାଲ ପୋଲ ଠାରୁ ଗତ ସପ୍ତାହରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । କେନାଲ ବନ୍ଧକୁ ଉଚ୍ଚତା ଓ ପ୍ରଶସ୍ତ କରିବା ପାଇଁ ବାହାର ସ୍ଥାନରୁ ମାଟି ଆଣି ପକା ଯିବାକୁ ନିୟମ ଥିବା ବେଳେ ସଂପୃକ୍ତ ଠିକାଦାର ପୁରୁଣା ବନ୍ଧକୁ ଜେସିବି ମେସିନ୍ ଦ୍ୱାରା ଖୋଳି ସମତଳ କରୁଛନ୍ତି । ସେହିପରି ଅପରପାଶ୍ୱର୍ ବନ୍ଧର ପିଚୁ ରାସ୍ତାରେ ଅଳ୍ପ ପରିମାଣରେ ମେଣ୍ଟଲ ପକାଇ ମରାମତି କରାଯାଉଛି । ଯାହାକି ତାହା ଖୁବ୍ ଶିଘ୍ର ନଷ୍ଟ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି । ଉକ୍ତ ମରାମତି କାର୍ଯ୍ୟ ପାଇଁ ଆନୁମାନିକ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଆଶାନୁରୂପ କାର୍ଯ୍ୟ ହେଉନଥିବା ଅଭିଯୋଗ ହୋଇଛି । ମରାମତି କାର୍ଯ୍ୟ ବେଳେ କୌଣସି ଅଧିକାରୀ ଉପସ୍ଥିତ ନଥିବାରୁ ଠିକାଦାର ମନୋମୁଖୀ ଭାବେ କାର୍ଯ୍ୟ କରୁଥିବା ଜଣାଯାଇଛି । ସଂପୃକ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ