ଡିଆରଡିଓ ଦ୍ୱାରା ଓଡ଼ିଶା ଉପକୂଳରୁ ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଗୁରୁବାର ମଧ୍ୟାହ୍ନ ୧୨ଟାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ପରୀକ୍ଷଣ ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ଠାରେ ସମ୍ପାଦିତ ହୋଇଥିଲା । ପିନାକ ହେଉଛି ଏକ ତୋପ କ୍ଷେପଣାସ୍ତ୍ର ବ୍ୟବସ୍ଥା ଯାହା ସମ୍ପୂର୍ଣ୍ଣ ସଠିକତା ସହ ୭୫ କିମି ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲକ୍ଷ୍ୟସ୍ଥଳ ଭେଦ କରିବାରେ ସକ୍ଷମ ହେବ । ଅନ୍ତିମ ସଠିକତା ଏବଂ ଦୂରତା ବୃଦ୍ଧି ଲାଗି ପିନାକ ଏମକେ-୨ ରକେଟକୁ ଦିଗ ନିର୍ଣ୍ଣୟ, ନିୟନ୍ତ୍ରଣ ଓ ମାର୍ଗଦର୍ଶନ ବ୍ୟବସ୍ଥା ସହିତ ଏକ କ୍ଷେପଣାସ୍ତ୍ରର ରୂପ ଦିଆଯାଇଛି । ଏହି କ୍ଷେପଣାସ୍ତ୍ରର ଦିଗ ନିର୍ଣ୍ଣୟ ବ୍ୟବସ୍ଥାକୁ ଭାରତୀୟ ଆଂଚଳିକ ଦିଗ ନିର୍ଣ୍ଣୟ ଉପଗ୍ରହ ବ୍ୟବସ୍ଥା (ଆଇଆରଏନଏସଏସ) ପକ୍ଷରୁ ସହାୟତା ମିଳିଥିଲା । ଦୂରତା ବୃଦ୍ଧି, ସଠିକତା ଓ ଉପ-ବ୍ୟବସ୍ଥା କାର୍ଯ୍ୟକ୍ଷମତା ସମେତ ଏହି ମିଶନ ସମସ୍ତ ଲକ୍ଷ୍ୟ ହାସଲ କରିଥିଲା । ନିୟୋଜନ ସ୍ଥିତିରେ ପିନାକ ପ୍ରକ୍ଷେପଣ ବ୍ୟବସ୍ଥାରୁ ଏହି କ୍ଷେପଣାସ୍ତ୍ର ଛଡ଼ାଯାଇଥିଲା । ବିଭିନ୍ନ ରେଞ୍ଜ ଯଥା ଟେଲିମେଟ୍ରି, ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟାର୍ଗେଟ ସିଷ୍ଟମ ଆଦିରୁ ଏହି କ୍ଷେପଣାସ୍ତ୍ରକୁ ଠାବ କରାଯାଇଥିଲା । ଯାହା କ୍ଷେପଣାସ୍ତ୍ରର ପ୍ରଦର୍ଶନକୁ ସୁନିଶ୍ଚିତ କରିଥିଲା । ବିଭିନ୍ନ ଡିଆରଡିଓ ଲାବ୍ରୋଟୋରୀ ଯଥା ଆର୍ମାମେଂଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଂଟ ଏଷ୍ଟାବ୍ଲିସମେଂଟ (ଏଆରଡିଇ), ରିସର୍ଚ୍ଚ ସେଂଟର ଇମରାତ (ଆରସିଆଇ), ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଂଟ ଲାବ୍ରୋଟୋରୀ (ଡିଆରଡିଏଲ), ପ୍ରୁଫ ଆଣ୍ଡ ଏକ୍ସପେରିମେଂଟାଲ ଏଷ୍ଟାବ୍ଲିସମେଂଟ (ପିଏକ୍ସଇ) ଏବଂ ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବ୍ରୋଟୋରୀ (ଏଚଇଏମଆରଏଲ) ଦ୍ୱାରା ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ମିଳିତ ଭାବେ ବିକଶିତ କରାଯାଇଛି । ଆରସିଆଇ ନିର୍ଦ୍ଦେଶକ ଶ୍ରୀ ବିଏଚଭିଏସ ନାରାୟଣ ମୂର୍ତି, ଏଆରଡିଇ ନିର୍ଦ୍ଦେଶକ ଡ. ଭି. ଭେଙ୍କଟେଶ୍ୱର ରାଓ, ଆଇଟିଆର ନିର୍ଦ୍ଦେଶକ ଡ. ବିକେ ଦାସ ଓ ପିଏକ୍ସଇ ନିର୍ଦ୍ଦେଶକ ଶ୍ରୀ ଡି.କେ ଯୋଶୀଙ୍କ ତତ୍ୱାବଧାନରେ ଏହି ପରୀକ୍ଷଣ ସମ୍ପନ୍ନ ହୋଇଥିଲା । ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀ ଏହି ପରୀକ୍ଷଣ ପାଇଁ ଡିଆରଡିଓ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ