ଡିଏମଏଫ ରୁ ଛାତ୍ରଛାତ୍ରୀଙ୍କୁ ଅଣ୍ଡା ଦେବାକୁ ନେଇ ହରଡ ଘଣାରେ ଶିକ୍ଷକ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ମଧ୍ୟାହ୍ନ ଭୋଜନରେ ଡିଏମଏଫ ରୁ ଅଣ୍ଡା ପ୍ରଦାନକୁ ନେଇ ଶିକ୍ଷକମାନେ ହରଡଘଣାରେ ପଡିଛନ୍ତି । ମଧ୍ୟାହ୍ନ ଭୋଜନ ସାମଗ୍ରୀର ଅତ୍ୟଧିକ ଦରବୃଦ୍ଧି ହେତୁ ଶିକ୍ଷକମାନେ ମଧ୍ୟାହ୍ନ ଭୋଜନ ପରିଚାଳନା କରିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଅଣ୍ଡା ବଣ୍ଟନ ଯୋଜନା ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି । କେନ୍ଦୁଝର ଜିଲ୍ଲାରେ ଚାଲୁଥିବା ଡିଏମଏଫ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବାକୁ ନେଇ ନାନା ସମସ୍ୟା ଦେଖାଦେଇଛି । ଜିଲ୍ଲା ପ୍ରଶାସନ ଅଣ୍ଡା ପ୍ରତି ୫ଟଙ୍କା ୩୦ ଓ ଜାଳେଣୀ ପାଇଁ ୧୫ପଇସା ଯୋଗାଇ ଦେଉଥିବାବେଳେ ଏବେ ଅଣ୍ଡାର ବଜାର ଦର ୬ଟଙ୍କା ୫୦ ଓ ଗ୍ୟାସର ଦରବୃଦ୍ଧି ଶିକ୍ଷକ ମାନଙ୍କୁ ଚିନ୍ତାରେ ପକାଇଛି । ଡିଏମଏଫରେ ସପ୍ତାହକୁ ୪ଦିନ ଅଣ୍ଡା ଦେବାକୁ ଥିବାବେଳେ ଅଧିକାଶଂ ବିଦ୍ୟାଳୟରେ ଏବେ ସବୁଦିନ ଅଣ୍ଡା ଦିଆଯାଉ ନଥିବା ଦେଖିବାକୁ ମିଳିଛି । ସେହିପରି ପ୍ରଥମରୁ ୫ମ ପର୍ଯ୍ୟନ୍ତ ୫ଟଙ୍କା ୯୦ପଇସା ଓ ୬ଷ୍ଠରୁ ୮ମ ପର୍ଯ୍ୟନ୍ତ ୮ଟଙ୍କା ୮୨ପଇସା ଯୋଗାଇ ଦେଉଥିବାବେଳେ ତାହା ବର୍ତ୍ତମାନ ବଜାର ଦରକୁ ନେଇ ପର୍ଯ୍ୟାପ୍ତ ନୁହଁ । ଏବେ ବଜାରରେ ଡାଲି କିଲୋ ୧୨୦ଟଙ୍କା, ଆଳୁ କିଲୋ ୧୬ଟଙ୍କା, ପିଆଜ ୨୪ଟଙ୍କା, ରସୁଣ ୧୫୦ଟଙ୍କା, ଅଦା ୩୦୦ଟଙ୍କା, ବାଇଗଣ ୬୦ଟଙ୍କା, ଭଣ୍ଡା ୪୦ଟଙ୍କା, ବୋଇତାଳୁ ୧୫ଟଙ୍କା, ବିଲାତି ୧୪୦ଟଙ୍କା, ସୋରିଷତେଲ ୧୨୦ ହୋଇଥିବାରୁ ଶିକ୍ଷକମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ଉଚ୍ଚମାନର ଖାଦ୍ୟ ଦେବାରେ ବିଫଳ ହେଉଛନ୍ତି । ଅଣ୍ଡା ପାଇଁ ପକେଟରୁ ଖର୍ଚ୍ଚ କରୁଥିବାବେଳେ ଯଦି କୌଣସି ଦିନ ଅଣ୍ଡା ସିଝା ନଦେଉଛନ୍ତି ତେବେ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଉ ନାହାନ୍ତି । ଗତ ଦୁଇବର୍ଷ ତଳେ ମନ୍ତ୍ରୀ, ବିଧାୟକ, ସଚିବ ଓ ବରିଷ୍ଠ ଅଧିକାରୀ ମାନେ ପିଲା ମାନଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇ ମାନ ପରୀକ୍ଷା କରୁଥିବାବେଳେ ଏବେ ଆଉ କେହି ସ୍କୁଲ ବାରଣ୍ଡା ମାଡୁ ନାହାନ୍ତି । କିନ୍ତୁ ଏତେ କମ୍ ପଇସାରେ କିପରି ଖାଦ୍ୟର ମାନ ଠିକ୍ ହେବ ତାହାକୁ ନେଇ ଶିକ୍ଷକମାନେ ପ୍ରଶ୍ନ ଉଠାଇଛନ୍ତି । ମାର ମାର ଭଣ୍ଡାରିଆକୁ ମାର ନୀତିରେ ସବୁବେଳେ ଶିକ୍ଷକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାରୁ ଶିକ୍ଷକମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରୁ ଓହରି ଯିବାକୁ ନେଇ ବାରମ୍ବାର ଦାବି କରୁଛନ୍ତି । କିନ୍ତୁ ପ୍ରଶାସନ ମଧ୍ୟାହ୍ନ ଭୋଜନର ଦରବୃଦ୍ଧି ନକରି ପିଲା ମାନଙ୍କୁ ଉତ୍ତମ ଖାଦ୍ୟ ପ୍ରସ୍ତୁତ କରିବାକୁ କହିବା କେତେଦୁର ଠିକ୍ ତାହାକୁ ନେଇ ପ୍ରଶ୍ନ ଉଠିଛି । କେନ୍ଦୁଝର ଜିଲ୍ଲାପାଳ ଅଣ୍ଡାଦରର ସମୀକ୍ଷାକରି ଅଣ୍ଡାପାଇଁ ଡିଏମଏଫ ରୁ ଯୋଗାଉଥିବା ଅନୁଦାନ ରାଶି ବୃଦ୍ଧିକରିବାକୁ ଶିକ୍ଷକ ମହଲରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ