ଡିଗ୍ରି ଇଞ୍ଜିନିୟର ବଡ଼ଦାଣ୍ଡର ଭିକାରି

ପୁରୀ : ସାମାଜିକ ସନ୍ତୁଳନ ବିଗିଡ଼ିବାରେ ଲାଗିଛି । ଯୋଗ୍ୟ ଲୋକଙ୍କୁ ତା’ ପସନ୍ଦର କାମ ଆଉ ମିଳୁ ନାହିଁ । ଉଚ୍ଚ ଶିକ୍ଷିତ ହୋଇ ବି ଜଣେ ତା’ର ଯୋଗ୍ୟତାକୁ ଖାପ ଖୁଆଇଲା ଭଳି କାମଟିଏ ପାଉନାହିଁ । ସରକାରୀ ଚାକିରି ହେଉ କି ଘରୋଇ ଚାକିରିରେ ପିଅନ ବା ଚତୁର୍ଥ ଶ୍ରେଣୀ ପଦ ପାଇଁ ବିଜ୍ଞାପନ ବାହାରିଲେ ସ୍ନାତକୋତ୍ତର ପାଠ ପଢ଼ିଥିବା ଯୁବକଙ୍କ ଶହ ଶହ ଆବେଦନ ଆସୁଛି । ଶିକ୍ଷା ବ୍ୟବସ୍ଥାରେ ତ୍ରୁଟି ଓ ନିଯୁକ୍ତି ସମସ୍ୟା ଯେ କେତେ ଭୟଙ୍କର ସ୍ଥିତିରେ ରହିଛି ଏଥିରୁ ଏ କଥା ପ୍ରମାଣିତ ହେଉଥିବା ବେଳେ ଆଜି ପୁରୀ ବଡ଼ଦାଣ୍ଡରେ ଅବାକ୍ ହେବା ଭଳି ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ଜଣେ ଡିଗ୍ରି ଇଞ୍ଜିନିୟର୍ ବର୍ଷ ବର୍ଷ ଧରି ବଡ଼ଦାଣ୍ଡରେ ଭିକ ମାଗିବା ଘଟଣା ସମସ୍ତଙ୍କୁ ହତବାକ୍ କରିଦେଇଛି । ଅନ୍ୟ ଭିକାରିଙ୍କ ଭଳି ଏହି ଦାଢ଼ି ଧାରି ବ୍ୟକ୍ତି ଜଣକ ଦୀର୍ଘ ଦିନ ହେଲା ସେ ବଡ଼ଦାଣ୍ଡରେ ବସି ଭିକ୍ଷା ବୃତ୍ତି କରୁଛନ୍ତି । ତେବେ ଶୁକ୍ରବାର ଏକ ଘଟଣା କ୍ରମରେ ଏହା ଲୋକଲୋଚନକୁ ଆସିଛି ।
ବଡ଼ଦାଣ୍ଡରେ ଜଣେ ରିକ୍ସା ଚାଳକଙ୍କ ସହିତ ଗଣ୍ଡଗୋଳ ହେବା ପରେ ସଂପୃକ୍ତ ଭିକାରି ରିକ୍ସା ଚାଳକଙ୍କୁ ମାରି ରକ୍ତାକ୍ତ କରିବା ସହିତ ନିଜେ ଆହତ ହୋଇଥିଲେ । ଭିକାରି ଜଣକ ଏ ନେଇ ପୁରୀ ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ତାଙ୍କ ଏତଲାରୁ ନୂଆ କଥା ସାମ୍ନାକୁ ଆସିଥିଲା । ଇଂରାଜୀରେ ସେ ଯେଉଁ ଏତଲାଟି ଲେଖିଥିଲେ ତାହା ଥିଲା ସଂପୂର୍ଣ୍ଣ ନିର୍ଭୁଲ ଓ ଉଚ୍ଚକୋଟୀର । ଭିକ୍ଷାବୃତ୍ତି କରୁଥିବା ଜଣେ ବ୍ୟକ୍ତି ନିର୍ଭୁଲ ଭାବେ ଏଭଳି ଏତଲା ଲେଖିବା ଘଟଣା ପରେ ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଜାଣିବାକୁ ପୁଲିସ ବାବୁଙ୍କ ଆଗ୍ରହ ବଢିଥିଲା ।
ଆଳୁ ଖୋଳୁ ମହାଦେବ ବାହାରିଲା ଭଳି ସଂପୃକ୍ତ ଭିକ୍ଷୁକ ନିଜର ପରିଚୟ ଦେବା ପରେ ପୁଲିସ କର୍ମଚାରୀ ପରସ୍ପର ମୁହଁକୁ ଅନାଇଥିଲେ । ଭିକ୍ଷା ବୃତ୍ତି କରୁଥିବା ଇଂଜିନିୟରିଂ ଡିଗ୍ରିଧାରୀ ଏହି ବ୍ୟକ୍ତି ଜଣକ ହେଲେ ଗିରିଜା ଶଙ୍କର ମିଶ୍ର । ତାଙ୍କ ବାପା ଜଣେ ପୁଲିସ ଡିଏସ୍ପି । ଘର ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ । ସେ ଜଣେ ମେଧାବୀ ଛାତ୍ର ଓ ରାଜ୍ୟର ଏକ ପ୍ରତିଷ୍ଠିତ କଲେଜରୁ ବିଏସସି ପାସ୍ କରିଥିଲେ । ପରେ ପୁଣି ଇଞ୍ଜିନିୟରିଂ ଆଡ଼କୁ ମନ ବଳାଇ ଡିଗ୍ରି ଇଞ୍ଜିନିୟରିଂ ମଧ୍ୟ କରିଥିଲେ । ପରେ ଏକ ପ୍ଲାଷ୍ଟିକ ଇଞ୍ଜିନିୟରିଂ କଲେଜରେ ତିନି ବର୍ଷ ପାଇଁ ଅଧ୍ୟାପନା ମଧ୍ୟ କରିଥିଲେ ।
ତେବେ ସେ ଚାକିରି ଛାଡ଼ି କାହିଁକି ବଡ଼ଦାଣ୍ଡରେ ଭିକ୍ଷାବୃତ୍ତିକୁ ଆପଣେଇଛନ୍ତି ସେ ସଂପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ କଥା ବୋଲି କହିବା ସହ ବେଳେବେଳେ ଅଜାଗା ଘା’ ଦେଖାଇ ହୁଏ ନାହିଁ ବୋଲି କହି କଥାକୁ ଟାଳି ଦେଇଥିଲେ । ତେବେ ଜଣେ ଡିଗ୍ରି ଇଂଜିନିୟର୍ କେଉଁ ପରିସ୍ଥିତିରେ ବଡଦାଣ୍ଡରେ ବର୍ଷ ବର୍ଷ ଧରି ଭିକାରିଙ୍କ ସହ ମିଶି ଭିକ୍ଷା ବୃତ୍ତି କରୁଛନ୍ତି ତାକୁ ନେଇ ଉତ୍ସୁକତା ବଢିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ