ଡିଗ୍ରୀକଲେଜ ଜମିକିଣା ଦୁର୍ନିତୀର ତଦନ୍ତ କରାଯିବାକୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ ମହାବିଦ୍ୟାଳୟର ନିଲମ୍ବିତ କନିଷ୍ଠ କିରାଣୀ ସଞ୍ଜୟ କୁମାର ପଣ୍ଡା ଉପଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ କଲେଜ ଜମିକିଣାରେ ଆର୍ଥିକ ଦୁର୍ନିତୀ ଯୋଗୁ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିଲା । ସେହି ଘଟଣାର ପୁନଃ ବିଚାର କରିବାକୁ ପଣ୍ଡା ଉପଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ କଲେଜ ଜମିକିଣା ବାବଦକୁ ଜମି ମାଲିକଙ୍କୁ ଚେକରେ ଅର୍ଥ ପ୍ରଦାନ କରିବାକୁ କଲେଜ ଅଧ୍ୟକ୍ଷା ତାଙ୍କୁ ନିର୍ଦେଶ ଦେଇଥିଲେ । ପଣ୍ଡା ଜମିକିଣା ବାବଦ ଚେକ ପ୍ରଦାନ କରିବା ପୂର୍ବରୁ କଲେଜ ଅଧ୍ୟକ୍ଷାଙ୍କୁ ଏସମ୍ପର୍କରେ କଲେଜ ପରିଚାଳନା କମିଟି ନିଷ୍ପତି ଓ ସଭାପତିଙ୍କ ଅନୁମୋଦନ ବିଷୟରେ ପଚାରିଥିଲେବି କଲେଜ ଅଧ୍ୟକ୍ଷା ତାଙ୍କୁ କହିଥିଲେ ଯେ ସେ ହେଉଛନ୍ତି କଲେଜର ମୁଖ୍ୟ । ତେଣୁ ତାଙ୍କ ନିର୍ଦେଶ ଅନୁଯାଇ କାମ ନକଲେ ପଣ୍ଡାଙ୍କୁ ନିଲମ୍ବନ କରିଦିଆଯିବ । ଏଥିସହିତ କଲେଜର କେତେକ କର୍ମଚାରୀ ମଧ୍ୟ ତାଙ୍କୁ ଏପରି କରିବାକୁ କହିଥିଲେ । ତେଣୁ ପଣ୍ଡା ବାଧ୍ୟ ହୋଇ କଲେଜ ଅଧ୍ୟକ୍ଷାଙ୍କ ନିର୍ଦେଶ ଅନୁଯାଇ ଜମିକିଣା ବାବଦ ଅର୍ଥ ଚେକ ପ୍ରଦାନ କରିଥିଲେ । ପରବର୍ତ୍ତି ସମୟରେ ପଣ୍ଡା ଜାଣିବାକୁ ପାଇଥିଲେ ଯେ ସେହି କଲେଜ ଜମିକିଣାରେ ଏକ ବଡ ଧରଣର ଘୋଟାଲା ହୋଇଛି ବୋଲି । ପୂର୍ବରୁ କଲେଜ ଇତିହାସ ବିଭାଗର ଅଧ୍ୟାପକ ରମେଶ ଜେଠୀ କଲେଜ ଗୃହ ମରାମତି ନିମନ୍ତେ ୩୦ହଜାର ଟଙ୍କା ଅଗ୍ରୀମ ଆକାରରେ ନେଇଥିବା ବେଳେ କୈାଣସି କାର୍ଯ୍ୟ ନକରି ସେହି ଅଗ୍ରୀମ ଅର୍ଥକୁ ମିଥ୍ୟା ଭାଉଚରରେ ଖର୍ଚ୍ଚ କରାଯାଇଛି ବୋଲି ଦର୍ଶାଇ ଆଡଜଷ୍ଟ କରିବାକୁ ଜେଠୀ ଓ ଅଧ୍ୟକ୍ଷା ତାଙ୍କ ଉପରେ ଚାପ ପକାଇଥିଲେବି ପଣ୍ଡା ଏଥିରେ ରାଜି ହୋଇନଥିଲେ । ତେଣୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇ ତାଙ୍କୁ ଫସାଇ ଦିଆଯିବା ସହ ଚାକିରୀରୁ ତାଙ୍କୁ ବିନା ଦୋଷରେ ନିଲମ୍ବନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତତକାଳିନ କଲେଜ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ପଣ୍ଡାଙ୍କୁ ଗତ ୨୦୧୮ମସିହା ଡିସେମ୍ବର ୨୨ତାରିଖ ନିର୍ଦେଶ ନମ୍ବର ୭୪୯୭ରେ ନିଲମ୍ବନ ଆଦେଶ ଦେଇଥିବା ବେଳେ କଲେଜ ଅଧ୍ୟକ୍ଷା ତାଙ୍କୁ ନିଲମ୍ବନ ନିର୍ଦେଶ ନଦେଇ ବରଂ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏଥିସହିତ କଲେଜ ଅଧ୍ୟକ୍ଷା ତତକାଳିନ କଲେଜ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ପତ୍ର ସଂଖ୍ୟା ୧୬୧ ତା ୧୦.୧.୨୦୧୯ରେ ତାଙ୍କର ତଦନ୍ତ ରିପୋର୍ଟ ପ୍ରଦାନକରି କନିଷ୍ଠ କିରାଣୀ ପଣ୍ଡା ସମ୍ପୂର୍ଣ୍ଣ ଦୋଷମୁକ୍ତ ବୋଲି ଦର୍ଶାଇଛନ୍ତି । ଗତ ୨୦୧୯ମସିହା ଜାନୁଆରୀମାସ ୨୨ତାରିଖରେ ପତ୍ର ସଂଖ୍ୟା -୨୬୯(୧)ରେ ଦାଇତ୍ୱ ହସ୍ତାନ୍ତର ପାଇଁ ପଣ୍ଡାଙ୍କୁ ନିର୍ଦେଶ ଦେଇଥିବା ବେଳେ ଗତ ୨୦୧୯ମସିହା ଫେବୃୟାରୀମାସ ୧୨ତାରିଖରେ ତାଙ୍କୁ ନିଲମ୍ବନ ନିର୍ଦେଶ ପ୍ରଦାନ କରାଯିବା ପଛରେ କାରଣ କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପୁନଃବିଚାର କରାଯାଇ ଘଟଣାର ନିରପେକ୍ଷ ତଦନ୍ତ ପୂର୍ବକ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଗଲେ ସେ ମାନସିକ ଚାପ ଓ ନିର୍ଯ୍ୟାତନାରୁ ମୁକ୍ତି ପାଇପାରିବେ ବୋଲି ଉପଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ