ଡିଗ୍ରୀଧାରୀ କୁକୁର ଗ୍ରିଫିନ୍
(ଯୁଗାଦ୍ଦ ନ୍ୟୁଜ) , ବେଳେବେଳେ ପୋଷା ଜୀବଜନ୍ତୁ ମଣିଷ ଜୀବନର ବିଶେଷ ଅଙ୍ଗ ପାଲଟିଯାଆନ୍ତି । ଯେମିତି କି ଆମେରିକା, ନ୍ୟୁୟର୍କରେ କ୍ଲାର୍କସନ୍ ବିଶ୍ୱବିଦ୍ୟାଳୟରେ ଅକୁପେଶନାଲ ଥେରାପିରେ ଡିଗ୍ରୀ କରୁଥିବା ୨୫ ବର୍ଷୀୟା ଭିନ୍ନକ୍ଷମ ଯୁବତୀ ବ୍ରିଟନୀ ହୌଲେଙ୍କ ଜୀବନରେ ତାଙ୍କ ପୋଷା କୁକୁର ପାଲଟିଛି ସବୁକିଛି । ଗ୍ରିଫିନ୍ ନାମକ ଏହି କୁକୁର ହ୍ୱିଲ୍ ଚେୟାରରେ ଜୀବନ ବିତାଉଥିବା ବ୍ରିଟନୀଙ୍କ ଜୀବନକୁ ବେଶ୍ ସହଜ କରିଦେଇଛି । ତାଙ୍କର ଚାପଗ୍ରସ୍ତ ଜୀବନକୁ ହାଲୁକା କରିବା ସହ ଛୋଟ ଛୋଟ ଇଶାରାରେ ଗ୍ରିଫିନ ବ୍ରିଟନୀଙ୍କ ହାତକୁ ମୋବାଇଲ୍ ବଢ଼ାଇଦେବା, କବାଟ ଖୋଲିଦେବା, ଲାଇଟ୍ ସୁଇଚ୍ ଅନ୍ ଅଫ୍ କରିଦେବା, କ୍ଷଣକରେ ବିଭିନ୍ନ ଆବଶ୍ୟକ ଜିନିଷ ହାତକୁ ବଢ଼ାଇଦେବା ଏବଂ ବ୍ରିଟନୀ ରୋଗୀଙ୍କୁ ଥେରାପୀ ଦେବାବେଳେ ବି ସେ ସାହାଯ୍ୟ କରେ । ସେଥିପାଇଁ ଅନେକ ରୋଗୀ କୁହନ୍ତି ଆମର ଥେରାପିଷ୍ଟ ବ୍ରିଟନୀ ଓ ଗ୍ରିଫିନ ବୋଲି । ଏସବୁ ଦେଖିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେବଳ ବ୍ରିଟନୀଙ୍କୁ ନୁହେଁ, ଗ୍ରିଫିନ୍କୁ ବି ଡିଗ୍ରୀ ଦେବା ଲାଗି ନିଷ୍ପତ୍ତି ନେଇଥିଲେ । କାରଣ ସେ ଅନ୍ୟ ଛାତ୍ରଙ୍କ ପରି ହିଁ ଅନେକ ପରିଶ୍ରମ କରିଥିଲା । ଶେଷରେ ନିର୍ଦ୍ଧାରିତ ଦିନରେ ବ୍ରିଟନୀ ଡିଗ୍ରୀ ହାସଲ କରିବା ସହ ଗ୍ରିଫିନ୍କୁ ବି କଳା ଟୋପି ପିନ୍ଧାଇ ମଞ୍ଚ ଉପରେ ଡିଗ୍ରୀ ଧାରଣର ମାନପତ୍ର ପ୍ରଦାନ କରାଗଲା । ଏହି ସାହାଯ୍ୟକାରୀ କୁକୁରକୁ ବ୍ରିଟନୀ “ପ’ସ୍ ଫରପ୍ରିଜନ୍ସ’ରୁ ଆଣିଥିଲେ । ଯେଉଁଠି କୁକୁରଙ୍କୁ ଉଚ୍ଚମାନର ତାଲିମ ପ୍ରଦାନ କରାଯାଇଥାଏ । ସେଠି ଥିବା ଅନେକ କୁକୁର ଭିତରୁ ଗ୍ରିଫିନ୍ ହିଁ ତାଙ୍କ ନିକଟକୁ ଆସି ଗେହ୍ଲେଇ ହୋଇଥିଲା । ତେଣୁ ବ୍ରିଟନୀ ତାକୁ ନିଜ ସହ ନେଇଆସିଥିଲେ । ସେବେଠାରୁ ସେ ତାଙ୍କର ସାହାରା ପାଲଟିଛି ।