ଡିଜିଟାଲ୍ ଦୁନିଆରେ ଅଲୋଡା ହେବାକୁ ବସିଲାଣି ଡାକବକ୍ସ
ଆସିକା, (ୱାଇଏନ୍ଏସ୍):ଦିନଥିଲା ଗାଁ ଗହଳି ହେଉ ଅବସହରର ସାହିବସ୍ଥିରେ ଡାକବାଲାକୁ ଦେଖିଲେ ଲୋକ ମାନେ ଘରୁ ବାହାରକୁ ଦୌଡି ଆସୁଥିଲେ । ଆମର କିଛି ଚିଠି ପତ୍ର ଆସିଛି କି ସେ ସଂକ୍ରାନ୍ତରେ ପୋଷ୍ଟ ମ୍ୟାନଙ୍କୁ ପଚାରି ବୁଝୁଥିଲେ । ସମୟ ବଦଳିବା ସଙ୍ଗେ ସଙ୍ଗେ ଲୋକଙ୍କ ସାମାଜିକ ଚଳଣି ମଧ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି । ବିଗତ କିଛି ବର୍ଷ ହେଲା ଚିଠି ପତ୍ରର ସ୍ଥାନ ନେଇଛି ସ୍ମାର୍ଟ ଫୋନ୍ । ଯାହାରି ଫଳରେ ଡିଜିଟାଲ୍ ଦୁନିଆରେ ଡାକବାକ୍ସ ସାଧାରଣ ଜନତାଙ୍କ ମାନସ ପଟରୁ ଲିଭିବାକୁ ବସିଥିବା ବେଳେ ଏବେ ଆଉ ଆଗଭଳି ଡାକବାକ୍ସର ଚାହିଦା ନଥିବା ଦେଖିବାକୁ ମିଳିଛି । ଏପରିକି ଆଗାମୀ କିଛିବର୍ଷ ପରେ ଯୁବପିଢୀ ମାନେ ଡାକବାକ୍ସ କହିଲେ ଆଉ କିଛି ବୁଝି ପାରିବେ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ସମୟ ଆସିବ ଡାକବାକ୍ସ ସଂଗ୍ରାହାଳୟରେ ସ୍ମୃତି ହୋଇ ରହିଯିବାର ସମ୍ଭାବନାକୁ ମଧ୍ୟ ଏଡାଇ ହେଉନାହିଁ । ବିଗତ କିଛି ବର୍ଷ ତଳେ ଖବର ପହଁଞ୍ଚାଇବାକୁ ଖୋଜା ପଡୁଥିଲା ଡାକବାକ୍ସ । ଆସିକା ସହର ତଥା ଏହାର ଆଖପାଖ ଗ୍ରାମାଞ୍ଚଳର କୋଣ ଅନୁକୋଣରେ ଥିବା ଡାକଘର ଠାରୁ ଆରମ୍ଭ କରି ବିଭିନ୍ନ ସାହି ବସ୍ତିରେ ଲାଲ୍ ରଙ୍ଗର ଡାକବାକ୍ସ ଶୋଭା ପାଉଥିଲା । ତେବେ ଏବେ କିନ୍ତୁ ଆଉ ଖୋଜିଲେ ବି ପ୍ରାୟତଃ ମିଳୁ ନି ଡାକବାକ୍ସ । ହାତଗଣତି କିଛି ସ୍ଥାନରେ ପଡି ରହିଛି ଡାକବାକ୍ସ । ସେସବୁ ମଧ୍ୟରୁ କେତେକ ଭଙ୍ଗା ଦଦରା ଅବସ୍ଥାରେ ଥିବା ବେଳେ ଆଉ କେତେକ ଡାକବାକ୍ସ କଳଙ୍କି ଲାଗିଯାଇଥିବା ଦେଖିବାକୁ ମିଳୁଛି । ସତେ ଯେମିତି ଡାକବାକ୍ସର ଆୟୁଷ ସରିସରି ଆସୁଛି । ଅତୀତରେ ଖବର ପହଁଞ୍ଚାଇବାର ପ୍ରମୁଖ ମାଧ୍ୟମ ସାଜିଥିବା ଡାକବାକ୍ସ ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି । ଚିଠି କଥା ଭାବିଲେ ମନକୁ ଆସୁଥିଲା ଲାଲ୍ ରଙ୍ଗର ଡାକବାକ୍ସ । ତା ସାଙ୍ଗକୁ ମାଟିଆ ବସ୍ତାରେ ସିଲ୍ ହୋଇଥିବା ବସ୍ତାଏ ଚିଠିକୁ ନେଇ ସାଇକେଲ୍ରେ ମାଟିଆ ରଙ୍ଗର ପୋଷାକ ପିନ୍ଧି ଯାଉଥିଲା ଡାକବାଲା । ଦୀର୍ଘ ଶତାଧିକ ବର୍ଷ ତଳୁ ନିଜର ସ୍ୱତନ୍ତ୍ର ଏକ ପରିଚୟ ପାଇଥିଲା ଏହି ଡାକବାକ୍ସ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଡାକବାକ୍ସ ଗୁଡିକରେ ଶହଶହ ଚିଠି ପଡୁଥିଲା । ସରକାରୀ ଚିଠି ଯେତିକି ପଡୁଥିଲା ତାଠାରୁ ଡାକବାକ୍ସ ଗୁଡିକରେ ଘରୋଇ ଚିଠି ଅଧିକ ପଡୁଥିଲା । ଆଉ ଏହି ଡାକବାକ୍ସରୁ ଚିଠି ଗୁଡିକୁ କାଢି ପୋଷ୍ଟ ମ୍ୟାନ୍ ଲୋକଙ୍କ ନିକଟରେ ପହଁଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରୁଥିଲେ । ଏବେ କିନ୍ତୁ ଯୁଗ ବଦଳିଯାଇଛି । ଚାଲିଛି ଡିଜିଟାଲ୍ ଯୁଗ । ଆଉ ଏହାର ସ୍ଥାନ ନେଇଛି ସ୍ମାର୍ଟ ଫୋନ୍ । ନିଜ ଲୋକଙ୍କ ସହ ଭାବର ଆଦାନପ୍ରଦାନ ପାଇଁ ଆଉ କେହି ଡାକବାକ୍ସ ଜରିଆରେ ପ୍ରାୟତଃ ଚିଠି ପଠାଉ ନାହାନ୍ତି । ସ୍ମାର୍ଟ ଫୋନ୍ରେ ଭାବର ଆଦାନ ପ୍ରଦାନ କରିବା ସାଙ୍ଗକୁ ମନର କଥା ନିମିଷକ ମଧ୍ୟରେ ଆପଣା ଲୋକଙ୍କ ପାଖରେ ଆଖି ପିଛୁଳାକେ ପହଁଞ୍ଚି ଯାଉଛି । ଯେଉଁଥି ପାଇଁ ଆଧୁନିକତାରେ ଅଲୋଡା ହେବାରେ ବସିଛି ଡାକବାକ୍ସ । ଡାକବାକ୍ସରେ ସାଧାରଣ ଲୋକଙ୍କ ଘରୋଇ ଚିଠି ଆଗଭଳି ଆସୁନି । କେବଳ ସରକାରୀ ଚିଠି, ଘରୋଇ କମ୍ପାନୀ ଚିଠି କେତେବଳେ କେମିତି ଆସୁଛି । ଆଧୁନିକତାର ଛାପରେ ଡାକବକ୍ସ ଅଲୋଡା ହେବାକୁ ବସିଲାଣି । ଦିନ ଥିଲା ସୁଖଦୁଃଖ ଖବରର ମାଧ୍ୟମ ପାଲଟିଥିଲା । ଚିିଠି ପାଇବା ପାଇଁ ପୋଷ୍ଟପିଅନ୍ର ଆସିବା ବାଟକୁ ଲୋକେ ଚାହିଁ ରହୁଥିଲେ । ଦିନକୁ ଦିନ ଇଣ୍ଟରନେଟ୍ ବ୍ୟବସ୍ଥା ବ୍ୟାପକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ସେହି ତୁଳନାରେ ଚିଠିର ଆଦାନପ୍ରଦାନ ମଧ୍ୟ କମିବାରେ ଲାଗିଛି । କେତେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଚିଠି ଗୁଡିକ ଇଣ୍ଟରନେଟ୍ ମାଧ୍ୟମରେ ପ୍ରେରଣ କରାଯାଉଛି । ଯାହାରି ଫଳରେ ଆଗାମୀ ଦିନରେ ଡାକବାକ୍ସ ସ୍ମୃତି ହୋଇ ରହିଯିବା ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।