ଡିଜିଟାଲ ପ୍ରଚାର ସୁବିଧା ନାହିଁ ଅଡୁଆରେ ଦୁର୍ଗମ ଅଞ୍ଚଳର ପ୍ରାର୍ଥୀ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ) :-ଚଳିତ ବର୍ଷର ତ୍ରିସ୍ତରୀୟ ନିର୍ବାଚନ ପାଇଁ ଗତ ୧୭ ତାରିଖ ଠାରୁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ କୋଭିଡ୍ -୧୯ର ତୃତୀୟ ଲହରକୁ ଆଖିଆଗରେ ରଖି ଓଡିଶା ନିର୍ବାଚନ କମିଶନ ନୂଆ ନିୟମ ଜାରି କରିଛନ୍ତି । ଯାହାକି ସଭା, ଶୋଭାଯାତ୍ରା ଭଳି କେତେକ କାର୍ଯ୍ଯକ୍ରମ କୁ ବାରଣ କରାଯାଇଛି । ପ୍ରାର୍ଥୀ ମାନେ କେବଳ ୫ ଜଣଙ୍କୁ ନେଇ ଘରକୁ ଘର ଭୋଟ ପ୍ରଚାର କରିପାରିବେ ସେ ନେଇ ନିର୍ଦ୍ଦେଶ ରହିଅଛି । କେବଳ ପ୍ରାର୍ଥୀ ଙ୍କ ପାଇଁ ଡିଜିଟାଲ ମାଧ୍ୟମରେ ପଚାର କରିବାକୁ ପ୍ରାଧାନ୍ୟ ଦିଆଯାଇଛି । ଯଥା ହ୍ଵାଟ୍ସଆପ୍, ଫେସବୁକ୍, ୟୁ-ଟ୍ଯୁବ୍, ଟ୍ବିଟର, ଇନଷ୍ଟାଗ୍ରାମ, ଟେଲିଗ୍ରାମ ଭଳି ସାମାଜିକ ଗଣମାଧ୍ୟମକୁ ଏହି ଥର ପ୍ରଚାର ମାଧ୍ୟମ ବାଛିବାକୁ ନିର୍ବାଚନ କମିଶନର ଏକ ପ୍ରକାର ଇଙ୍ଗିତ କରିଛନ୍ତି । ତେବେ ଏହି ସବୁ ସୁବିଧା ପ୍ରାର୍ଥୀ ପାଇବେ କେଉଁଠୁ, ତାହାହିଁ ଦୁଃଖ ଓ ପରିତାପର ବିଷୟ ହୋଇଛି । କଳାହାଣ୍ଡିରେ ଆଜି ବି ଡିଜିଟାଲ ମାଧ୍ୟମରେ ପ୍ରଚାର ପାଇଁ ଭିତ୍ତିଭୂମି ସୁବିଧା ହୋଇପାରିଲା ନାହିଁ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ପାହାଡ ପର୍ବତ ଅଞ୍ଚଳରେ ଡିଜିଟାଲ ପ୍ରଚାର ପ୍ରାର୍ଥୀ ଙ୍କ ପାଇଁ ମୁଣ୍ତବ୍ୟଥାର କାରଣ ପାଲଟିଛି । ପ୍ରାର୍ଥୀ ମାନେ ଜନସାଧାରଣ ଙ୍କ ପାଖକୁ ପହଁରିବାକୁ କେତେ କଷ୍ଟକର ହୋଇପଡିବ । ଏହାର କାରଣ ହେଲା ମୁଖ୍ୟାଳୟ ଥୁଆମୂଳ ରାମପୁର ବ୍ଳକର ଅନେକ ଦୂରରେ ଦୁର୍ଗମ ଅଞ୍ଚଳରେ କେତେ ଗ୍ରାମପଞ୍ଚାୟତ ରହିଅଛି । ସେହି ଦୁର୍ଗମ ଅଞ୍ଚଳରେ ଥିବା କେତେକ ଗ୍ରାମପଞ୍ଚାୟତ ମାନଙ୍କରେ ଆଜିବି ମୋବାଇଲ ତଥା ଇଣ୍ଟରନେଟ୍ ଭଳି ସୁବିଧା ଉପଲବ୍ଧ ହୋଇପାରି ନାହିଁ, ଯାହାବି ସୁବିଧା ହୋଇଛି ତାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ। କେତେକ ଗ୍ରାମପଞ୍ଚାୟତ ମାନଙ୍କରେ ଆଂଶିକ ଭାବରେ ମୋବାଇଲ ଶେବା ରହିଅଛି । ବ୍ଳକର ୨୪ ଗୋଟି ଗ୍ରାମପଞ୍ଚାୟତ ମୁଖ୍ୟାଳୟ ଠାରେ ପ୍ରାୟ ଅନେକ ଦୂରରେ ରହିଅଛି । ଯାହାକି ଅନେକ ପାହାଡ ପର୍ବତ ଘେରରେ ରହିଅଛି । ଏହି ଅଞ୍ଚଳରେ ବାସକରୁଥିବା ଜନସାଧାରଣ ଯେଉଁ ଅସୁବିଧା ଭୋଗୁଛନ୍ତି ତାହା ସେମାନେ ହିଁ ହୃଦୟଙ୍ଗମ କରୁଛନ୍ତି । ଦେଶ ସ୍ୱାଧୀନତାର ୭ ଦଶନ୍ଧି ବିତିଯାଇଛି ।ତଥାପି ଥୁଆମୂଳ ରାମପୁର ବ୍ଳକର ଅବସ୍ଥାରେ ଉନ୍ନତି ହୋଇପାରିଲା ନାହିଁ । ଦୁର୍ଗମ ଅଞ୍ଚଳରେ ମୋବାଇଲ ସେବା ଠାରୁ ଅନେକ ସମସ୍ୟା ରହିଥଲେ ମଧ୍ୟ କୌଣସି ପ୍ରକାରରେ ସମାଧାନ ହୋଇପାରିଲା ନାହିଁ । ସମସ୍ୟା ଅନେକ ସମାଧାନର ବାଟ ଫିଟିପାରୁ ନାହିଁ, ଥୁଆମୂଳ ରାମପୁର ବ୍ଳକରେ ଥିବା ଦୁର୍ଗମ ଅଞ୍ଚଳ ପିଲାଙ୍କ ଅନଲାଇନ ପାଠ ପଢିବା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବାଧା ପ୍ରାପ୍ତ ହେଉଅଛି । ଏବେ ପ୍ରାର୍ଥୀ ଙ୍କ ପାଇଁ ନିଜ ନିଜ ଅଞ୍ଚଳରେ ଡିଜିଟାଲ ଭୋଟ ପ୍ରଚାର ଏକ ପ୍ରକାର ସମସ୍ୟା ସୃଷ୍ଟି କରିବ ବୋଲି ସ୍ଥାନେ ସ୍ଥାନେ ଚର୍ଚ୍ଚା ହେଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ