ଡିଜିଟାଲ ମାଧ୍ୟମରେ ଉଠିବ ଅଳିଆ ଆବର୍ଜନା
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ): ରେଶମ ସହର ବ୍ରହ୍ମପୁରକୁ ସ୍ମାର୍ଟ ସିଟି କରିବା ପାଇଁ ଗୋଟିଏ ପରେ ଗୋଟିଏ ନୂଆ ପଦକ୍ଷେପ ଗ୍ରହଣ କରୁଛି ମହାନଗର ନିଗମ । ସହରକୁ ସ୍ୱଚ୍ଛ ଓ ଆବର୍ଜନା ମୁକ୍ତ ରଖିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ବିଏମସି । ଏଥିପାଇଁ ସ୍ୱଚ୍ଛତା ଆପ ମାଧ୍ୟମରେ ରୋଡ ସଫା କରିବା, ନାଳନର୍ଦ୍ଦମା ସଫା କରିବା ଏବଂ ଅଳିଆ ଆବର୍ଜନାକୁ କିଭଳି ଭାବେ ସଠିକ ସ୍ଥାନରେ ପକାଯାଇ ପାରିବ ସେଥିପାଇଁ ମହାନଗର ନିଗମ ପ୍ରତ୍ୟେକ ଘରେ ବାରକୋଡ ଦେବାର ପ୍ରକ୍ରିୟା ଆରମ୍ଭ କରିବ । ଏହା ମଧ୍ୟମରେ ୨୪ଘଣ୍ଟା ମଧ୍ୟରେ ବିଏମସିର ଅଳିଆ ସଂଗ୍ରହ କର୍ମଚାରୀମାନେ ଅଳିଆ ନେଇପାରିବେ । ଏବଂ ଯଦି , ସେମାନେ ୨୪ଘଣ୍ଟା ମଧ୍ୟରେ ଅଳିଆ ନଉଠାନ୍ତି ତେବେ ୨୦୦ଟଙ୍କା ଜୋରିମାନା ଦେବ ବିଏମସି । ଏହାସହ ବାରକୋଡ ସିଷ୍ଟମ ହେବା ଦ୍ୱାରା ଯେଉଁମାନେ ହୋଲିଡିଂ ଟାକ୍ସ ଦେଉନାହାନ୍ତି ସେମାନଙ୍କୁ ସହଜରେ ଏହି ବାରକୋଡ ମାଧ୍ୟମରେ ଚିହ୍ନଟ କରାଯାଇପାରିବ । ଅନ୍ୟପଟେ ଯେଉଁ ଗାଡିରେ ଅଳିଆ ଆବର୍ଜନା ଗୁଡିକ ପରିବହନ କରାଯାଉଛି ସେଥିରେ ଲାଗିଥିବା ଜିପିଏସ ମାଧ୍ୟମରେ ସହଜରେ ଜାଣିହେବ ଯେ , ଉକ୍ତ ଗାଡିଟି ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଠାରୁ ଅଳଆ ଆଣିଛି କି ନାହିଁ । ମହାନଗର ନିଗମ ଅଞ୍ଚଳରେ ରହୁଥିବା ଅଧିବାସୀମାନଙ୍କୁ ଯଥାଶୀଘ୍ର ଏହି ବାର କୋଡ ବ୍ୟବସ୍ଥାରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ।