ଡିସେମ୍ବର ଶେଷ ସପ୍ତାହରେ ଗୋପାଳପୁର ବେଳାଭୂମି ମହୋତ୍ସବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହ ସମୟରେ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଗୋପାଳପୁର ବେଳାଭୂମି ମହୋତ୍ସବ ସହିତ ମିଳିତ ଭାବେ ଅନୁଷ୍ଠିତ ହେବ ଓରମାସ୍ ଦ୍ବାରା ପଲ୍ଲିଶ୍ରୀ ମେଳା, ପଲ୍ଲିଶ୍ରୀ ମେଳା ସହିତ ବେସରକାରୀ ସଂସ୍ଥା ଗୁଡିକ ମଧ୍ୟ ଷ୍ଟଲ ବୁକ୍ କରି ସେମାନଙ୍କ ବ୍ୟବସାୟ କରିପାରିବେ । ଏଥିନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ସଭାପତିତ୍ବରେ ଗୋପାଳପୁର ସ୍ବତନ୍ତ୍ର ସର୍କିଟ ହାଉସ୍ ଠାରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବେଳାଭୂମି ମହୋତ୍ସବରେ ପଲ୍ଲିଶ୍ରୀ ମେଳା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା ସାଙ୍ଗକୁ ପ୍ରତ୍ୟେକ ଦିନ ସଂଧ୍ୟାରେ ଜିଲ୍ଲାର ସ୍ଥାନୀୟ ଲୋକକଳା ସହିତ ରାଜ୍ୟର ଅନ୍ୟ ଜିଲ୍ଲାର କଳାକାରଗଣ ଏବଂ ନାମୀଦାମୀ କଳାକାରଗଣଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ସମସ୍ତ ବିଭାଗ ଦ୍ବାରା ପ୍ରଦାନ କରାଯାଉଥିବା ସେବା ସମ୍ପର୍କିତ ସଚେତନତାମୂଳକ ସୂଚନା ପ୍ରଦର୍ଶିତ ହେବ । ସମସ୍ତ ବିଭାଗକୁ ଏଥି ସମ୍ପର୍କରେ କାର୍ଯ୍ୟଖସଡା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଆଜି ଅନୁଷ୍ଠିତ ଏହି ପ୍ରଥମ ପ୍ରସ୍ତୁତି ବୈଠକରେ ଷ୍ଟଲ୍ ଗୁଡିକର, ପରିମଳ ବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତି, ରାସ୍ତା ଗୁଡଜିକର ମରାମତି, କଳାକାର ଚୟନ, ବ୍ୟବସାୟ ନିମନ୍ତେ ଆସିବାକୁ ଥିବା ଦଳ ଓ କଳାକାରମାନଙ୍କ ରହିବା ବ୍ୟବସ୍ଥା, ଯାତାୟତ ସୁବିଧା, ବିଦ୍ୟୁତ ବ୍ୟବସ୍ଥା, ସିସି ଟିଭି ବ୍ୟବସ୍ଥା, ଟ୍ରାଫିକ୍ କଣ୍ଟ୍ରୋଲ, ଅଗ୍ନିଶମ ବ୍ୟବସ୍ଥା, ସ୍ବାସ୍ଥ୍ୟ ସୁରକ୍ଷା, ଖାଦ୍ୟ ମାନ ଯାଂଚ, ପ୍ରଚାର ପ୍ରସାର, ସ୍ମରଣୀକା ପ୍ରକାଶନ ଇତ୍ୟାଦି ସମସ୍ତ ବିଷୟ ନେଇ ଆଲୋଚନା ହୋଇଯାଇଛି । ସାଂସ୍କୃତିକ ଦଳ ସକାଶେ ସଂସ୍କୃତି ବିଭାଗ ଏବଂ ବିଭିନ୍ନ ଜିଲ୍ଲା ସହିତ ଯୋଗାଯୋଗ କରିବାକୁ କୁହାଯାଇଛି । ସ୍ମରଣୀକା ପ୍ରକାଶନ ନିମନ୍ତେ ଲେଖକ ମାନଙ୍କ ଠାରୁ ଜିଲ୍ଲାର ସଂସ୍କୃତି, ବୈଭବ, କଳାକୃତି, ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ସମ୍ପର୍କିତ ଲେଖା ସଂଗ୍ରହ କରିବାକୁ କୁହାଯାଇଛି । ଏହି ବୈଠକ ପରେପରେ ଜିଲ୍ଲାପାଳଙ୍କ ସମେତ ସଂପୃକ୍ତ ଅଧିକାରୀଗଣ ବେଳାଭୂମି ମହୋତ୍ସବ ସ୍ଥାନରେ କେଉଁଠି ମଞ୍ଚ ଏବଂ କେଉଁ ସ୍ଥାନରେ ମେଳା ଆୟୋଜିତ ହେବ ସେହି ସ୍ଥାନ ପରିଦର୍ଶନ କରିଥିଲେ ଏବଂ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହି ପ୍ରଥମ ପ୍ରସ୍ତୁତି ବୈଠକରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କୀର୍ତ୍ତି ଭାସନ୍ ଭି.,ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡି ଶ୍ରବଣ ବିବେକ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ସମସ୍ତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ସମେତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ