ଡିସେମ୍ବର ୧ରୁ ଦର୍ଶକଙ୍କୁ ଆକୃଷ୍ଟ କରିବ ସାହିତ୍ୟ ଓ ଚିତ୍ରକଳାର ଯୁଗଳବନ୍ଦୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତର ଅନୁପମ ସମାରୋହ କୋଣାର୍କ ଉତ୍ସବ-୨୦୨୧ ଆସନ୍ତା ଡିସେମ୍ବର ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ମୁକ୍ତାକାଶ ରଂଗମଂଚରେ ଆୟୋଜିତ ହେବ । ଏହି ସମୟରେ ପାଞ୍ଚଦିନବ୍ୟାପି ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ଆୟୋଜିତ ହେବ । ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କୋଣାର୍କ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ୫ତାରିଖ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁକ୍ତାକାଶ ରଂଗମଂଚ ପରିସରରେ ଆୟୋଜିତ ହେବ ‘ସାହିତ୍ୟ ଆସର’ ଓ ‘ଚିତ୍ରକଳା ଶିବିର’ । କୋଣାର୍କ ପ୍ରେସ୍ କ୍ଲବ ପକ୍ଷରୁ ନଭେମ୍ବର ୩୦ତାରିଖରେ ସାଇକ୍ଲୋଥନ ଏବଂ ବସନ୍ତମଂଜରୀ ପାଠାଗାର ପକ୍ଷରୁ ୧ତାରିଖ ସକାଳେ ଗଣଦୌଡ ଆୟୋଜିତ ହେବ । ଗୁରୁବାର ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରସ୍ତୁତି ବୈଠକରେ ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ପ୍ରତ୍ୟହ ସଂଧ୍ୟା ୬ଟା୩୦ରୁ ୮ଟା୩୦ ପର୍ଯ୍ୟନ୍ତ ମୁକ୍ତାକାଶ ରଂଗମଂଚରେ ଭାରତବର୍ଷର ବିଭିନ୍ନ ପ୍ରନ୍ତରୁ ଆମନ୍ତ୍ରିତ ନୃତ୍ୟାନୁଷ୍ଠାନର ପ୍ରଥିତଯଶା ନୃତ୍ୟଶିଳ୍ପୀମାନେ ଓଡିଶୀ ସମେତ ଅନ୍ୟାନ୍ୟ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିବେ । ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକାକଳାର ୩୦ଟି ଷ୍ଟଲରେ ପ୍ରତ୍ୟହ ପୂର୍ବାହ୍ନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଲୁକାକାଳା ପ୍ରଦର୍ଶିତ ହେବ । ପ୍ରଖ୍ୟାତ ବାଲୁକାଶିଳ୍ପୀ ତଥା ଓଡିଶା ଲଳିତକଳା ଏକାଡେମୀର ଅଧ୍ୟକ୍ଷ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଦେଶ ବିଦେଶର ଲବ୍ଧପ୍ରତିଷ୍ଠ ବାଲୁକାଶିଳ୍ପୀମାନେ ବାଲୁକାକଳା ପ୍ରସ୍ତୁତ କରିବେ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଉତ୍ସବ ଆୟୋଜନ ନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇସାରିଛି । ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଶାସ୍ତ୍ରୀୟ ନୃତ୍ୟ ନିମନ୍ତେ କଳାକାର ଚୟନ ସଂପନ୍ନ ହୋଇଛି । ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପର୍ଯ୍ୟଟନ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦଭ, ଅତିରିକ୍ତ ଶାସନ ସଚିବ ରୀନା ମହାପାତ୍ର, ପୁରୀ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ପି. ରାମାସାମି, ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ନିର୍ଦ୍ଦେଶିକା ଦୀପ୍ତି ମିଶ୍ର, ପୁରୀ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ନିମାପଡା ଏସଡିପିଓ ଦେବାଶିଷ ମିଶ୍ର, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀଙ୍କ ସମେତ ଉତ୍ସବ ସହିତ ଜଡିତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉତ୍ସବର ଉଦ୍‌ଯାପନୀ ଦିବସରେ ଆୟୋଜିତ ହେଉଥିବା ସାହିତ୍ୟ ଆସର ଓ ଚିତ୍ରକଳାର ଯୁଗଳବନ୍ଦୀ କଳାପ୍ରେମୀ ଦର୍ଶକଙ୍କୁ ଆକୃଷ୍ଟ କରିବ । ସାହିତ୍ୟ ଆସରରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି, ଲେଖକ, ଗବେଷକ ଓ ସାହିତ୍ୟ ପ୍ରେମୀ ଯୋଗଦେଇ ଆଲୋଚନା ଓ କବିତାପାଠ କାର୍ଯ୍ୟକ୍ରମରେ ଭାଗନେବେ ବୋଲି କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ