ଡିସେମ୍ବର ୧ ବିଶ୍ୱ ଏଡ୍ସ ଦିବସରାଜ୍ୟର ମୋଟରୋଗୀରୁ ୩୨.୨୪ % ଗଞ୍ଜାମରେ
ବୁଗୁଡା ( ଅନିଲ କୁମାର ମହାରଣା )୨୦୧୮-୧୯ ରେ ଓଡ଼ିଶାରେ ମୋଟ ୪୯୬୬୧ ଙ୍କ ଏଚଆଇଭି ପଜେଟିଭ ଥିବା ବେଳେ ସେଥି ମଧ୍ୟରୁ ଗଞ୍ଜାମରେ ଅଛନ୍ତି ୧୬୦୧୧ ଜଣ। ଅର୍ଥାତ ରାଜ୍ୟର ମୋଟ ଏଡ୍ସ ରୋଗୀ ମଧ୍ୟରୁ ଶତକଡା ୩୨.୨୪ ଭାଗ ରୋଗୀ ହେଉଛନ୍ତି ଗଂଜାମ ଜିଲ୍ଲାର।ଏହା ରାଜ୍ୟର ମୋଟ ଏଡ୍ସ ରୋଗୀ ସଂଖ୍ୟାର ପ୍ରାୟ ତିନି ଭାଗରୁ ଏକ ଭାଗ।ଏହା ବାସ୍ତବିକ ଉଦବେଗର କାରଣ ଅଟେ।ତଥାପି ଚଳିତ ବର୍ଷ ଗଂଜାମ ପାଇଁ ଖୁସି ଖବର ଅଟେ। ଗଂଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କ ତଥ୍ୟ ଅନୁସାରେ ୨୦୧୭-୧୮ରେ ୬୭୧ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୧୮-୧୯ରେ ୫୦୫ ଜଣ ଚିହ୍ନଟ ହୋଇଛି।ଗତ ବର୍ଷ ଅପେକ୍ଷା ଚଳିତ ବର୍ଷରେ କମିଛି ପ୍ରାୟ ଶତକଡା ୨୫ ଭାଗ।ସେହିପରି ବୁଗୁଡା ବ୍ଳକରେ ୫୨୮ ଜଣ ଏଡ୍ସ ରୋଗୀ ଥିବା ପ୍ରକାଶ କରିଛନ୍ତି ବୁଗୁଡା ମେଡିକାଲ ଅଫିସର ଡ଼ାକ୍ତର ଗୋପବନ୍ଧୁ ବେହେରା।୨୦୧୭-୧୮ରେ ବୁଗୁଡ଼ାରେ ୨୮ଜଣ ଚିହ୍ନଟ ହୋଇଥିବା ବେଳେ ୨୦୧୮-୧୯ରେ ମାତ୍ର ୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅର୍ଥାତ ବୁଗୁଡା ବ୍ଳକରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରାୟ ଶତକଡା ୭୧ ଭାଗ କମିଛି। ସ୍ୱାସ୍ଥ୍ୟ ବିଭାଗ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜନସଚେତନା କାର୍ୟ୍ୟ ହାତକୁ ନେଇ ଥିବା ଯୋଗୁଁ ଗଞ୍ଜାମରେ ରୋଗୀଙ୍କ ହାର କମିଥିଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ।ଗଂଜାମ ଭଳି ଏଡ୍ସ ବହୁଳ ଜିଲ୍ଲାରେ ସଚେତନତା କାର୍ୟ୍ୟ ଆହୁରି ବହୁଳ ଭାବେ ହବା ଜରୁରୀ ଅଟେ। ବିଶେଷ କରି ଘରଦ୍ୱାର ଛାଡି ଅନ୍ୟ ରାଜ୍ୟକୁ ରୋଜଗାର ପାଇଁ ଯାଉଥିବା ବ୍ୟକ୍ତି ଓ ଯୁବ ପିଢୀକୁ ଏଡ୍ସ ବିଷୟରେ ସଚେତନତା କାର୍ୟ୍ୟ ଆହୁରି ଯଥେଷ୍ଟ ବ୍ୟାପକ ହେବା ଦରକାର।