ଡିସେମ୍ବର ୧ ରୁ କୋଣାର୍କ ଇକୋ-ରି ଟ୍ରୀଟ
ନିମାପଡ଼ା, (ସନ୍ତୋଷ ଦାଶ):ବିଶ୍ଵ ପର୍ଯ୍ୟଟନ ସ୍ଥଳୀ ପୁରୀ ଜିଲ୍ଲା ର କୋଣାର୍କ ଠାରେ ଇକୋ- ରି ଟ୍ରିଟ ର ଚତୁର୍ଥ ସଂସ୍କରଣ ଡିସେମ୍ବର ୧ ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ପର୍ଯ୍ୟଟନ ବିଭାଗ ,ଜିଲ୍ଲା ପ୍ରଶାସନ, ଓ ଇଫାକ୍ଟର ଏଜେନ୍ସୀ ପକ୍ଷରୁ ମିଳିତ ଭାବେ ଇକୋ- ରିଟ୍ରୀଟ ର ଚତୁର୍ଥ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଇକୋ- ରିଟ୍ରିଟ କୁ ସଫଳ କରିବା ପାଇଁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହାକୁ ଆକର୍ଷଣୀୟ ଓ ମନୋଜ୍ଞ କରିବା ପାଇଁ ସମସ୍ତ ବିଭାଗ ନିରବଚ୍ଛିନ୍ନ ସେବା ଯୋଗାଇ ଦେବାକୁ ଶ୍ରୀ ବର୍ମା ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ନିରବଚ୍ଛିନ୍ନ ବିଦ୍ୟୁତ୍,ପାଣି,ମୋବାଇଲ ନେଟୱର୍କ ସହ ଚିକିତ୍ସା ବ୍ୟବସ୍ଥା ,ଅଗ୍ନି ନିର୍ବାପକ ବ୍ୟବସ୍ଥା ,ପାର୍କିଂ ସୁରକ୍ଷା ବ୍ୟବସ୍ଥା ଓ ୨୪ ଘଣ୍ଟିଆ ଲାଇଫ ଗାର୍ଡ ବ୍ୟବସ୍ଥା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ପର୍ଯ୍ୟଟକ ଙ୍କ ରହଣି କାଳରେ ଯେପରି ସାନ୍ଧ୍ୟ ଅବସର କୁ ଉପଭୋଗ କରିବେ ସେ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯିବାକୁ ସ୍ଥିର ହୋଇଛି ।ପର୍ଯ୍ୟଟକ ମାନେ ଇକୋ -ରିଟ୍ରିଟ କୁ ଆସି ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କରି ସୁଖଦ ଅନୁଭବ ନେଇ ଯେପରି ଫେରିବେ ସେ ଉପରେ ସମସ୍ତ ବିଭାଗ ନିଜ ନିଜ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।ଓଡ଼ିଶାରେ ପର୍ଯ୍ୟଟନ ବୈଭବ କୁ ଆଗକୁ ବଢ଼ାଇବାକୁ ଅଣ୍ଟା ଭିଡ଼ିଛି ପର୍ଯ୍ୟଟନ ବିଭାଗ। କରୋନା ଯୋଗୁଁ ଗତ ଦୁଇ ବର୍ଷ ହେବ ବିଗିଡି ଯାଇଥିବା ପର୍ଯ୍ୟଟନ ଶିଳ୍ପକୁ ପୁଣି ଥରେ ରାସ୍ତାକୁ ଆଣିବା ପାଇଁ ରାଜ୍ୟ ସରକାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ।ପ୍ରଥମ ପର୍ଯ୍ୟାୟ ରେ ରାଜ୍ୟର ୧୭ ଟି ପର୍ଯ୍ୟଟନ ସ୍ଥଳୀକୁ ଚିହ୍ନଟ କରାଯାଇ ତାହାର ବିକାଶ ଲାଗି ନକ୍ସା ପ୍ରସ୍ତୁତ ହୋଇଛି ।ଯେଉଁଥିରେ ଭିତରକନିକା ,ନୃସିଂହ ନାଥ,ହରିଶଙ୍କର,କୋଣାର୍କ ର ଚନ୍ଦ୍ରଭାଗା ଓ ରାମଚଣ୍ଡି ବେଳାଭୁମି, ପୁରୀ ଜିଲ୍ଲାର ବକୁଳବନ ଓ ରଘୁ ରାଜପୁର ପ୍ରମୁଖ ସ୍ଥାନ ରେ ମାଷ୍ଟର ପ୍ଲାନ ହାତକୁ ନିଆଯାଇଛି ।ଉକ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ବିକାଶ କରାଯିବା ଦ୍ଵାରା ରାଜ୍ୟକୁ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଙ୍କ ଆଗମନ ବହୁ ପରିମାଣରେ ବଢିବ ବୋଲି ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି ।ଅନୁଷ୍ଠିତବୈଠକରେ ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ ,ଦିଲ୍ଲୀପ କୁମାର ମହାପାତ୍ର ,ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ ଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ ଇକୋ -ରିଟ୍ରୀଟ ର ଆୟୋଜକ ମାନେ ଉପସ୍ଥିତ ଥିଲେ । ଶେଷରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କୋଣାର୍କ ଯାଇ ଇକୋ ରିଟ୍ରୀଟ ହେବା ସ୍ଥଳ ପରିଦର୍ଶନ କରି ଘଟଣା ର ଅନୁଧ୍ୟାନ କରିଥିଲେ।


