ଡିସେମ୍ବର ୨୭ରେ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡ଼ର) ମହାସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡ଼ର)ମାନଙ୍କର ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିବା ସତ୍ତ୍ୱେ ସମାଧାନ ହୋଇ ନ ପାରିବାରୁ ଆସନ୍ତା ଡ଼ିସେମ୍ବର ୨୭ ତାରିଖରୁ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବାକୁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଏ ସମ୍ପର୍କରେ ଭୁବନେଶ୍ୱର ଖାରବେଳ ନଗରସ୍ଥିତ ଶିକ୍ଷକ ଭବନରେ ଏକ ଖବରଦାତା ସମ୍ମିଳନୀରେ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ଇଜିଏସ୍ ଯୋଜନା ବନ୍ଦ ହେବା ପରେ ଛଟେଇ ଶିକ୍ଷା ସ୍ୱେଚ୍ଛାସେବୀ ମାନଙ୍କୁ ରାଜ୍ୟ ସରକାର ୨୦୦୮ ମସିହାରେ ସେମାନଙ୍କୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଗଣଶିକ୍ଷକ ଭାବରେ ନିୟୋଜିତ କଲେ । ପରବର୍ତ୍ତୀ ସମୟରେ ଏମାନଙ୍କୁ ନିୟମିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ନଂ-୧୪୪୬୭ ତା ୨୫.୦୭.୨୦୧୬ ଓ ବିଜ୍ଞପ୍ତି ନଂ-୧୫୨୯୦ ତା ୨୨.୧୨.୨୦୧୬ରେ ନିର୍ଦ୍ଦେଶନାମା ପ୍ରକାଶ କରିଥିଲେ । ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଯେଉଁମାନେ ୮ ବର୍ଷ ପୂରଣ କରିଥିଲେ, ସେମାନେ ତା ୦୧.୦୩.୨୦୧୭ରୁ ନିୟମିତ ଶିକ୍ଷକ ହେଲେ । କିନ୍ତୁ ବିଭିନ୍ନ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪୦୦୦ ଗଣଶିକ୍ଷକ ନିୟମିତ ହେବାରୁ ବାଦ୍ ପଡ଼ିଛନ୍ତି । ଏଣୁ ଗଣଶିକ୍ଷକଙ୍କ ନିୟୋଜିିତ ବର୍ଷ ୨୦୦୮ରୁ ୮ ବର୍ଷ ଅବଧି ଗଣନା କରାଯାଇ ଥିବାରୁ ୨୦୧୨ ମସିହାରୁ ଓଡ଼ିଶାରେ ଲାଗୁ କରାଯାଇଥିବା ଓଟିଇଟି ସେମାନଙ୍କ ପାଇଁ ଆବଶ୍ୟକ ନାହିଁ ବୋଲି ଶିକ୍ଷକନେତାମାନେ ପ୍ରକାଶ କରିଛନ୍ତି । ଏଣୁ ଓଟିଇଟି ଉଚ୍ଛେଦ କରି ଯୋଗ୍ୟ ଗଣଶିକ୍ଷକ ମାନଙ୍କୁ ତା ୦୧.୦୩.୨୦୧୭ରୁ ନିୟମିତ କରି ଅବଶିଷ୍ଟ ଗଣଶିକ୍ଷକଙ୍କ ଦରମା ବୃଦ୍ଧି କରିବାକୁ ଦାବୀ କରିଛନ୍ତି । ଏହା ବ୍ୟତୀତ ଏକ୍ସ-କ୍ୟାଡ଼ର ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ଯଥା ୩୧.୦୩.୨୦୧୯ ପରେ ଓଟିଇଟି ପାସ୍ କରିଥିବା ଏକ୍ସ-କ୍ୟାଡ଼ର ଶିକ୍ଷକଙ୍କ ୦୧.୦୩.୨୦୨୦ରୁ ବନ୍ଦ ଥିବା ଇନକ୍ରିମେଣ୍ଟ ପ୍ରଦାନ କରିବା, ସମଗ୍ର ଶିକ୍ଷା ଅଭିଯାନରେ କରାଯାଇଥିବା ଡେପୁଟେସନ ବାତଲ୍ କରି ଏକ୍ସ-କ୍ୟାଡ଼ର ବ୍ୟବସ୍ଥା ଉଚ୍ଛେଦ ସହ ୦୧.୦୩.୨୦୧୭ରୁ କ୍ୟାଡ଼ରଭୁକ୍ତ କରିବା, ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ କରିବା, ପୁରୁଣା ପେନସନ ବ୍ୟବସ୍ଥା (ଓପିଏସ୍) ଲାଗୁ କରିବା, ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା, ମୃତ ଗଣଶିକ୍ଷକ ମାନଙ୍କୁ ଏକ୍ସ-ଗ୍ରାସିଆ ପ୍ରଦାନ କରିବା, ଏକ୍ସ-କ୍ୟାଡ଼ର ଶିକ୍ଷକମାନେ ଏଲିମେଣ୍ଟାରୀ କ୍ୟାଡ଼ରର ଲେବୁଲ-୫ ଭଳି ସମସ୍ତ ସୁବିଧା ସୁଯୋଗ ପାଇବେ ବୋଲି ଜିଲ୍ଲା ଓ ବ୍ଲକସ୍ତରକୁ ସ୍ପଷ୍ଟ ନିର୍ଦ୍ଦେଶନାମା ପ୍ରେରଣ କରିବା, ଦାବୀଗୁଡ଼ିକ ଆଗାମୀ ୨୬.୧୨.୨୦୨୨ସୁଦ୍ଧା ମହାସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ପୂରଣ କରିବାକୁ କୌଣସି ପଦକ୍ଷେପ ନିଆନଗଲେ ଆସନ୍ତା ୨୭.୧୨.୨୦୨ରିଖରୁ ବିଧାନସଭା ସମ୍ମୁଖରେ ହଜାର ହଜାର ଏକ୍ସ-କ୍ୟାଡ଼ର ଶିକ୍ଷକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ଖମାରୀ ପ୍ରକାଶ କରିଛନ୍ତି । ଏଥିପାଇଁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଓଡ଼ିଶା ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି ମହାସଂଘର କାର୍ଯ୍ୟକାରୀ ସଭାପତି ଜୟନ୍ତୀଲାଲ ସାହୁ ଚେତାବନୀ ଦେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ମହାସଂଘର କାର୍ଯ୍ୟକାରୀ ସଭାପତି ଅଲେଖ ସାହୁ, ମହାସଚିବ ହାନେଶ ପାତ୍ର ବାଗ, କୋଷାଧ୍ୟକ୍ଷ ବିଜୟ ମିଶ୍ର, ଉପସଭାପତି ବିଶ୍ୱରଞ୍ଜନ ଦାସ, ରାଜୀବ ଲୋଚନ ପ୍ରଧାନ, ସୁରେନ୍ଦ୍ର ମଲ୍ଲିକ, ରାଜକିଶୋର ପ୍ରଧାନ, ସପ୍ତମ କିଶୋର ବେହେରା, ମିନତୀ ମିଶ୍ର, ମୁଖ୍ୟ ସାଂଗଠନିକ ସମ୍ପାଦକ ଗଙ୍ଗା ନାରାୟଣ ପାଢୀ, ସୁଦର୍ଶନ ବରାଳ, ରାଜକିଶୋର ବାରିକ, ପ୍ରମୋଦ ବେହେରା, ଅଭିମନ୍ୟୁ ସାହୁ, ଅନିୟ ବରାଳ, ସୁବ୍ରତ ଦଣ୍ଡସେନା, ଉପସଭାପତି ଉମେଶ ସ୍ୱାଇଁ, ଆଲୋକ ରାୟ ଏବଂ ଗଣମାଧ୍ୟମ ସଂଯୋଜକ ରଞ୍ଜୁ ଅମାତ ପ୍ରମୁଖ ଉପସ୍ଥିତ ଥିଲେ ।