ଡିସେମ୍ବର ୫ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବେ କଳା ଓ କ୍ରୀଡ଼ା ଶିକ୍ଷକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତିପ୍ରାପ୍ତ ପାର୍ଟଟାଇମ କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନେ ୨୦୧୩ ମସିହା ଠାରୁ ନିଯୁକ୍ତି ପାଇ ଅଦ୍ୟାବଧି କାର୍ଯ୍ୟ କରିଆସୁଛନ୍ତି । ପୂର୍ବ ସରକାରଙ୍କ ସମୟରେ ଦୀର୍ଘ ୧୨ ବର୍ଷ ଧରି ବିଭିନ୍ନ ତରିକାରେ ଦାବି (ନିୟମିତ କରିବାକୁ) ଉପସ୍ଥାପନ କରୁଥିବା ସ୍ଥଳେ ଖାଲି ପ୍ରତିଶ୍ରୁତି ବିନା ଆଉକିଛି ମିଳିଲା ନାହିଁ । କିନ୍ତୁ ବର୍ତ୍ତମାନର ନୂତନ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ ଏବଂ ଓସେପା ନିର୍ଦ୍ଦେଶକ ସମସ୍ତଙ୍କୁ ମଧ୍ୟ ଏ ବିଷୟରେ ଲିଖିତ ଅବଗତ କରାଯାଇଛି । କଳା, ସଂସ୍କୃତି ଓ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଉଥିବା ନୂତନ ସରକାର କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କ ଦାବିକୁ ନିଶ୍ଚିତ ପୂରଣ କରିବେ ବୋଲି ପ୍ରାୟ ୫ ହଜାର କଳା ଓ କ୍ରୀଡ଼ା ଶିକ୍ଷକ, ଶିକ୍ଷୟିତ୍ରୀ ଓ ସେମାନଙ୍କ ପରିବାର ଆଶାପୋଷଣ କରିଛନ୍ତି ।
କିନ୍ତୁ ଦୁଃଖ ଓ ବିଡ଼ମ୍ବନାର ବିଷୟ, ନୂଆ ସରକାର ଆସିବାର ପ୍ରାୟ ୬ମାସ ବିତି ଯାଇଥିଲେ ମଧ୍ୟ ସରକାରୀସ୍ତରରେ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ନିୟମିତକୁ ନେଇ କୌଣସି ଲିଖିତ ପଦକ୍ଷେପ ଏପର୍ଯ୍ୟନ୍ତ ନଜିର ଆସିନାହିଁ । ତେଣୁ ବାଧ୍ୟ ହୋଇ ୫ ହଜାର ଶିକ୍ଷକ ସେମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଉପସ୍ଥାପନ କରିବା ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରୁ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ନୂତନ ଲୋକପ୍ରିୟ ସରକାରଙ୍କୁ ଏହି ପ୍ରେସ୍ ବିଜ୍ଞପ୍ତି ଜରିଆରେ ଅନୁରୋଧ କରାଯାଇଛି ଯେ, ଆସନ୍ତା ଡିସେମ୍ବର ୫ ତାରିଖ ପୂର୍ବରୁ ଯଦି ରାଜ୍ୟ ସରକାର ପାର୍ଟ ଟାଇମ୍ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କ ଦାବିକୁ ମାନି ନିଅନ୍ତି, ତେବେ ୧୨ ବର୍ଷ ଧରି ହନ୍ତସନ୍ତ ହେଉଥିବା କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନ୍ଦୋଳନକୁ ନଯାଇ ମିଳିତ ଭାବେ ନୂତନ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ତୃଣମୂଳସ୍ତରରୁ କଳା, ସଂସ୍କୃତି, କ୍ରୀଡ଼ା, ଯୋଗ, ଐତିହ୍ୟ ଓ ପରମ୍ପରାର ବିକାଶର ସ୍ୱପ୍ନ ସାର୍ଥକ ହୋଇପାରିବ ବୋଲି ମହାସଂଘର ସଭାପତି ପାଣ୍ଡବ ବିଶି, ସମ୍ପାଦକ ସ୍ମିତାଞ୍ଜଳି ମହାପାତ୍ର, ରଶ୍ମୀରଞ୍ଜନ ସାହାଣୀ, ଧର୍ମେନ୍ଦ୍ର ପଣ୍ଡା, ପ୍ରଦୀପ କୁମାର ଦାସ, ମନୋଜ କୁମାର ଚୌଧୁରୀ, ସ୍ୱପ୍ନେଶ୍ୱର ପ୍ରଧାନ, ରଘୁନାଥ ସାମଲ, ଶଙ୍କର ପ୍ରସାଦ ମହାପାତ୍ର ଏବଂ ଗୋବିନ୍ଦ ସବର ପ୍ରମୁଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ