ଡି.ଆଇ.ଇ.ଟି.ର ପୂର୍ବତନ କିରାଣି ଭାରମୁକ୍ତର ବର୍ଷକ ପରେବି ଦାୟୀତ୍ୱ ହସ୍ତାନ୍ତର କରୁନାହାନ୍ତି
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଭାଗବତପୁର ପଂଚାୟତର ବାଲିଆସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଡି.ଆଇ.ଇ.ଟି.)ର ପୂର୍ବତନ କନିଷ୍ଠ କିରାଣୀ ରାଜକିଶୋର ଲେଙ୍କାଙ୍କର ଗତ ୨୦୧୯ମସିହା ଜୁଲାଇମାସରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି ହେବା ପରେ ସେ ପ୍ରତିଷ୍ଠାନରୁ ଭାରମୁକ୍ତ ହୋଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗଦେଇଥିଲେ । କିନ୍ତୁ ଅଦ୍ୟାବଧି ଏକବର୍ଷରୁ ଉର୍ଦ୍ଧ୍ୱ ହେବ ଭାରମୁକ୍ତ ହୋଇଥିବା କନିଷ୍ଠ କିରାଣୀ ଶ୍ରୀ ଲେଙ୍କା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଦାୟୀତ୍ୱ ହସ୍ତାନ୍ତର କରିନଥିବା ଅଭିଯୋଗ ହୋଇଛି । ଫଳରେ ପ୍ରତିଷ୍ଠାନର ଦୈନନ୍ଦିନ କାର୍ଯ୍ୟ ଗୁରୁତ୍ତର ଭାବେ ବ୍ୟାଘାତ ହେଉଛି । ଏଠାରେ ସୂଚନା ଯୋଗ୍ୟ ଯେ କନିଷ୍ଠ କିରାଣୀ ଶ୍ରୀ ଲେଙ୍କା ଦୀର୍ଘ ୧୦ବର୍ଷଧରି କାର୍ଯ୍ୟରତ ଥିବା ବେଳେ ଡଃ.ମୀନାକ୍ଷୀ ମହାପାତ୍ର ଅନୁଷ୍ଠାନରେ ଅଧ୍ୟକ୍ଷା ଭାବରେ ୨୦୧୮ମସିହା ମଇମାସରେ ଯୋଗଦେଇଥିଲେ । ଅଧ୍ୟକ୍ଷା ଡଃ. ମହାପାତ୍ର ଦାୟୀତ୍ୱ ଗ୍ରହଣ କରିବାର ପ୍ରାୟ ୨ମାସ ପରେ ଶ୍ରୀ ଲେଙ୍କାଙ୍କ ଗାଳିଗୁଲଜର ଶୀକାର ହୋଇଥିଲେ । ପୂର୍ବରୁ ମଧ୍ୟ ସେଠାରେ ଯୋଗଦେଇଥିବା ଅଧ୍ୟକ୍ଷମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ସ୍ଥାନୀୟବ୍ୟକ୍ତି ଭାବରେ ପ୍ରତିଷ୍ଠାନରେ ଆଧିପତ୍ୟ ବିସ୍ତାର କରିବାକୁ ସର୍ବଦା ଚେଷ୍ଟା କରିଥାନ୍ତି ଓ ନୀତି ନିୟମ ବହିର୍ଭୁତ କାର୍ଯ୍ୟ କରାଇନେବାକୁ ସେମାନଙ୍କୁ ଏକପ୍ରକାର ବାଧ୍ୟ କରାଇଥାନ୍ତି । ଏସବୁ ଜାଣିବା ପରେ ଅଧ୍ୟକ୍ଷା ଡଃ.ମହାପାତ୍ର ଶ୍ରୀ ଲେଙ୍କାଙ୍କ ଏଭଳି ଅଭଦ୍ରୋାଚିତ ବ୍ୟବହାର ସମ୍ପର୍କରେ ତତକାଳୀନ ଏସ.ସି.ଇ.ଆର.ଟି.ନିର୍ଦେଶକ ଏବଂ ଜିଲ୍ଲାପାଳଙ୍କୁ ଗତ ୨୦୧୮ମସିହା ଡିସେମ୍ବରମାସରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଅନୁଯାଇ ଗତ ୨୦୧୯ମସିହା ଫେବୃୟାରୀମାସରେ ତତକାଳୀନ ଉପଜିଲ୍ଲାପାଳ ଅଭିଯୋଗର ତଦନ୍ତ କରିବା ସହିତ ସାକ୍ଷୀମାନଙ୍କ ଠାରୁ ଘଟନାର ସତ୍ୟତା ସମ୍ପର୍କରେ ତଥ୍ୟ ପାଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ କନିଷ୍ଠ କିରାଣୀ ଶ୍ରୀ ଲେଙ୍କାଙ୍କର ପ୍ରତିଷ୍ଠାନରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି ଆଦେଶ ବାହାରିଥିଲା । ଶ୍ରୀ ଲେଙ୍କା ସେଠାରୁ ଭାରମୁକ୍ତ ହୋଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗଦେଇଥିଲେ । କିନ୍ତୁ ଶ୍ରୀ ଲେଙ୍କା ବଦଳି ହେବାର ରାଗରେ ପ୍ରତିଷ୍ଠାନର ବହୁ କ୍ଷତିସାଧନ କରିଥିଲେ । ପ୍ରତିଷ୍ଠାନର ହଷ୍ଟେଲ ଥିବା ବେଳେ ଶ୍ରୀ ଲେଙ୍କା ୫୦ଜଣ ଛାତ୍ରୀଙ୍କୁ ନିଜ ଘରେ ଭଡାରେ ରଖିଥିଲେ । ଏଥିସହିତ ନୂତନ ହଷ୍ଟେଲ ନିର୍ମାଣ କାର୍ଯ୍ୟ ଯେପରି ନହୋଇପାରିବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିଥିବା ଅଭିଯୋଗ ହୋଇଥିଲା । ଏଥିସହିତ ପ୍ରତିଷ୍ଠାନର ଅଧ୍ୟକ୍ଷାଙ୍କୁ ସେଠାରୁ ବଦଳି କରାଇବା ପାଇଁ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଉସକାଇ ଅଧ୍ୟକ୍ଷାଙ୍କ ବିରୋଧରେ ୧୨ଦିନ ଧରି ଷ୍ଟ୍ରାଇକ କରାଇଥିଲେ । ଏସବୁ ବେଆଇନ କାର୍ଯ୍ୟ କରିଥିବା ଶ୍ରୀ ଲେଙ୍କା ବଦଳିର ଏକବର୍ଷ ପରେବି ଦାୟୀତ୍ୱ ହସ୍ତାନ୍ତର କରିନଥିବାରୁ ପ୍ରତିଷ୍ଠାନର ପ୍ରତ୍ୟେକଦିନ କାର୍ଯ୍ୟରେ ଘୋର ଅସୁବିଧା ହେଉଥିବା ଅଧ୍ୟକ୍ଷା ଡଃ.ମହାପାତ୍ର କହିଛନ୍ତି । ପ୍ରତିଷ୍ଠାନର ସମୁହ ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲାପାଳ ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି ।