ଡି.ଟି.ଓ. ଆନୁକୂଲ୍ୟରେ ଜାତୀୟ ଶିକ୍ଷାନୀତି-୨୦୧୯ ସମ୍ପର୍କିତ ସେମିନାର
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଡ଼େମୋକ୍ରାଟିକ୍ ଟିଚର୍ସ ଅର୍ଗାନାଇଜେସନ (ଡ଼ିଟିଓ) ଆନୁକୂଲ୍ୟରେ ଆଜି ଜାତୀୟ ଶିକ୍ଷାନୀତି ୨୦୧୯ ସମ୍ପର୍କିତ ଏକ ଆଲୋଚନା ସଭା ଭୁବନେଶ୍ୱର ଲୋହିଆ ଏକାଡ଼େମୀ ହଲ୍ରେ ସଂଗଠନର ସଭାପତି ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରୁ ବହୁ ସଂଖ୍ୟକ ଶିକ୍ଷକ-ଅଧ୍ୟାପକ ଯୋଗଦେଇ ଏହି ଶିକ୍ଷାନୀତିର ମାରାତ୍ମକ ଦିଗଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସଭାକୁ ଉଦ୍ଘାଟନ କରି ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଗଣିତ ବିଭାଗର ମୁଖ୍ୟ ପ୍ରଫେସର ଡ. ବୀରେନ୍ଦ୍ର କୁମାର ନାୟକ କହିଲେ ଯେ, ଏହି ଶିକ୍ଷାନୀତି ଭାରତବର୍ଷର କର୍ପୋରେଟ ହାଉସ୍ର ସ୍ୱାର୍ଥକୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି । କଂଗ୍ରେସ ସରକାର ସମୟରେ ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣର ଯେଉଁ ଦ୍ୱାର ଉନ୍ମୃକ୍ତ କରାଯାଇଥିଲା ସେହି ରାସ୍ତା ଦେଇ ବର୍ତ୍ତମାନର ବିଜେପି ନେତୃତ୍ୱାଧୀନ ସରକାର ଏହି ଶିକ୍ଷାନୀତି ମଧ୍ୟ ଦେଇ ଶିକ୍ଷାକୁ ସମ୍ପୂର୍ଣ୍ଣ ଘରୋଇକରଣ କରିବାର ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ଓ ଏହାକୁ ଆମ ରାଜ୍ୟ ସରକାର ମଧ୍ୟ ପୂର୍ଣ୍ଣପ୍ରାଣରେ ସମର୍ଥନ କରୁଛନ୍ତି । କସ୍ତୁରୀରଙ୍ଗନଙ୍କ ନେତୃତ୍ୱାଧୀନ କମିଟି ସରକାରଙ୍କୁ ସୁପାରିଶ କରି କହିଛି ଯେ, ‘ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ସରକାରୀ ଶିକ୍ଷାନୁଷ୍ଠାନ ଭଳି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଉଚିତ୍’ । ଏହା ଘରୋଇ ଶିକ୍ଷାନୁଷ୍ଠାନର ମାଲିକମାନଙ୍କୁ ଆହୁରି ଅଧିକ ଲାଭ ଲୁଟିବାର ସୁଯୋଗ କରିଦେବ । ଅପରନ୍ତୁ ଗରୀବ ସାଧାରଣ ଘରର ପିଲାଙ୍କ ପାଇଁ ଶିକ୍ଷାର ଦ୍ୱାର ବନ୍ଦ ହୋଇଯିବ । ସଭାର ମୁଖ୍ୟ ବକ୍ତା ସାରା ଭାରତ ଶିକ୍ଷା ବଞ୍ଚାଅ କମିଟିର ସମ୍ପାଦକ ପ୍ରଫେସର ଡ. ଅନୀଶ ରାୟ କହିଲେ ଯେ, ଏହି ଶିକ୍ଷାନୀତି କେବଳ ଘରୋଇକରଣକୁ ଚୂଡ଼ାନ୍ତ ରୂପରେଖ ଦେବ, ତାହା ନୁହେଁ, ଅପରନ୍ତୁ ଏହା ଶିକ୍ଷା, ସଭ୍ୟତା, ଗଣତାନ୍ତ୍ରିକ ତଥା ଧର୍ମନିରପେକ୍ଷ ମୂଲ୍ୟବୋଧଗୁଡ଼ିକୁ ଧ୍ୱଂସ କରି ସଂସ୍କୃତି ନାମରେ ରାଜା ରାଜୁଡ଼ା ସମୟର ମଧ୍ୟଯୁଗୀୟ ଅନ୍ଧତା ଓ ଯୁକ୍ତହୀନ-ଅବୈଜ୍ଞାନିକ ମାନସିକତାକୁ ଜନ୍ମ ଦେବ । ଶିକ୍ଷା କମ୍ପେ୍ଲକ୍ସ ନାମରେ ଛୋଟ ଛୋଟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଭଙ୍ଗାଯିବ । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ ଫେଲ୍ ପ୍ରଥାକୁ ଉଚ୍ଛେଦ କରି ନବମ ଶ୍ରେଣୀରୁ ସେମିଷ୍ଟାର ପ୍ରଥା ପ୍ରଚଳନ କରି ପଢାପଢି ଉପରେ ଗୁରୁତ୍ୱ ହ୍ରାସ କରି ଶିକ୍ଷାକୁ ପରୀକ୍ଷା ବହୁଳ କରିଦେବ । ଶିକ୍ଷାର ସ୍ୱାତନ୍ତ୍ରତାକୁ ନଷ୍ଟ କରି ଅମଲାତାନ୍ତ୍ରିକ କେନ୍ଦ୍ରୀକତା ସୃଷ୍ଟି କରିବ । ଅନ୍ୟମାନଙ୍କ ମଧ୍ୟରେ ଡ଼ିଟିଓର ସାଧାରଣ ସମ୍ପାଦକ ନୃସିଂହ ଚରଣ ପଣ୍ଡା, ଉପସଭାପତି କ୍ଷୀରୋଦ ଚନ୍ଦ୍ର କର, କେଶବ ଚନ୍ଦ୍ର ବିଶ୍ୱାଳ, ଅକ୍ଷୟ ନାୟକ, ଅନିଲ୍ ରାୟ, ଡ. ପ୍ରଦିପ୍ତ ଷଡଙ୍ଗୀ, ସୁଖଲତା ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ଏହି ଜନବିରୋଧୀ ଶିକ୍ଷାନୀତି ବିରୁଦ୍ଧରେ ଦୃଢ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ ।