ଡି.ଡି.ୟୁ-ଗ୍ରାମୀଣ କୌଶଲ୍ୟ ଯୋଜନା ପରାମର୍ଶ ଶିବିର: ୨୭୭ ଜଣ ପ୍ରାର୍ଥୀ ମନୋନୀତ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବୁଧବାର ଓଡିଶା ଜୀବିକା ମିଶନ ପକ୍ଷରୁ ବନ୍ତ ପଞ୍ଚାୟତ ସମିତି ପରିସରରେ ଦୀନ୍ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୨୭୭ ଜଣ ପ୍ରାର୍ଥୀ ତାଲିମ ନେବା ପାଇଁ ମନୋନୀତ ହୋଇଥିବାର ଜଣାଯାଇଛି । ବିଡିଓ ରେବେକା ବିଲୁଙ୍ଗଙ୍କ ସଭାପତିତ୍ୱରେ ଆୟୋଜିତ ଶିବିରକୁ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ବି.ପି.ଏମ୍ ସସ୍ମିତା ଦାସ ଶିବିର ଆୟୋଜନର ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ଏ.ପି.ଡି(ସ୍କିଲ୍), ଡିଆରଡିଏ ରୂପାଲୀ ମହାପାତ୍ର, ଡି.ପି.ଏମ୍, ଓଏଲଏମ୍ ସଂଜୟ ବାରିକ, ଡି.ସି(ସ୍କିଲ୍), ଡିଆରଡିଏ ପ୍ରିୟଦର୍ଶନ ଜେନା, ଜିପିଓ ନିଶିକାନ୍ତ ଖୁଣ୍ଟିଆ, ବି.ଏଲ୍.ସି ବନଜା ବାରିକ, ସସ୍ମିତା ସାହୁ ପ୍ରମୁଖ ଯୋଗ ଦେଇ ଗ୍ରାମାଞ୍ଚଳର ବେକାର ଯୁବକଯୁବତୀ ମାନଙ୍କୁ ଉପଯୁକ୍ତ ଓ ଉନ୍ନତ ତାଲିମ ଜରିଆରେ ବିଭିନ୍ନ କାମଧନ୍ଦା ପାଇଁ ଦକ୍ଷ ଓ କୁଶଳୀ କରି ରାଜ୍ୟ ଓ ରାଜ୍ୟ ବାହାରେ ଦୀର୍ଘସ୍ଥାୟୀ କାମଧନ୍ଦା ଯୋଗାଇ ଦେବାର ସୁବନ୍ଦୋବସ୍ତ କରିବା ଏହି ଯୋଜନାର ଲକ୍ଷ୍ୟ ବୋଲି କହିଥିଲେ । ଏସ୍.ଡି.ସି ସ୍ମିତା ପାଣିଗ୍ରାହୀ ଯୋଜନାର ସଫଳତା ସଂପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ବି.ଏଲ୍.ସି ରସ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଭିନ୍ନ ନିଯୁକ୍ତି ସଂସ୍ଥାର ୧୨ ଜଣ ପି.ଆଇ.ଏ ଯୋଗ ଦେଇ ଯୁବକଯୁବତୀ ମାନଙ୍କୁ ସୁପରାମର୍ଶ ଦେଇଥିଲେ । ଶିବିରରେ ମୋଟ ୧୫ଟି ଷ୍ଟଲ ହୋଇଥିବା ବେଳେ ବ୍ଲକର ୨୫ଟି ପଞ୍ଚାୟତରୁ ୫ ଶହରୁ ଉଦ୍ଧ୍ୱର୍ ପିଲା ଏଥିରେ ଭାଗ ନେଇଥିଲେ ।