ଡୁଡୁନ୍ ଫାଉଣ୍ଡେସନ ଟ୍ରଷ୍ଟର ବନ୍ୟାଞ୍ଚଳରେ ନିଆରା ସେବା
ଭୁବନେଶ୍ୱର,(ୱାଇଏନ୍ଏସ୍): ରାଜ୍ୟରେ କରୋନା ଭୂତାଣୁ ବିଭୀଷିକା ରଚିଥିବା ବେଳେ ଏବେ ପୁଣି ବନ୍ୟାଞ୍ଚଳବାସୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଏମାନେ ଗୋଟିଏ ପଟେ କରୋନା ସହ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ବନ୍ୟାଜଳ ଘେରରେ ଫଶି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ତେବେ ଏହାରି ମଧ୍ୟରେ ଏମାନଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡୁଡୁନ୍ ଫାଉଣ୍ଡେସନ ଟ୍ରଷ୍ଟ ଅଣ୍ଟା ଭିଡ଼ିଛି । ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟ ପକ୍ଷରୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ବ୍ଲକ ଅରଙ୍ଗାବାଦ ପଞ୍ଚାୟତ ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମ ଓ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଦ୍ୱିଧେଇ ଗ୍ରାମରେ ପ୍ରାୟ ୧୫୦ରୁ ଉର୍ଦ୍ଧ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷା ଡ. ବନ୍ଦନା ହରିଚନ୍ଦନ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ କୁମାର ହରିଚନ୍ଦନଙ୍କ ନେତୃତ୍ୱରେ ଏହି ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନା ହୋଇଥିଲା । ଏହି ସେବା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ଉପସଭାପତି ବିକାଶ ରାଉତ, ବିନ୍ଦାସ ଚିନୁ, କୋଷାଧ୍ୟକ୍ଷ ମମତା ମହାପାତ୍ର, ସଭ୍ୟ ଗଣେଶ ଚନ୍ଦ୍ର ଜେନା, ଝରଣା ରାଉତ, ରଶ୍ମିତା ମହାନ୍ତି, ତାପସ ମହାନ୍ତି, ସୂର୍ଯ୍ୟାଲୋକ ସମାଜସେବା ସଭାପତି ଶ୍ରୀଯୁକ୍ତ ବାସୁ ଦାସ, ଯାଜ୍ଞଶ୍ରୀ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ । ଏଠାରେ ସୂଚନାଯୋଗ୍ୟ ମାନବ ସେବାକୁ ମାଧବ ସେବାରେ ପରିଣତ କରି ଟ୍ରଷ୍ଟ ପକ୍ଷରୁ ବିଗତ ଦିନମାନଙ୍କରେ ବହୁ ଜନହିତକର କାର୍ଯ୍ୟକ୍ରମ ଯଥା କରୋନା ସଚେତନତା ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ, ମାକ୍ସ ବଣ୍ଟନ, ସାନିଟାଇଜର, ଯାଆଁଳାସ୍ଥିତ ଲେପର୍ସି କଲୋନୀରେ ଶୁଖିଲା ଖାଦ୍ୟ ବଣ୍ଟନ ସହ ମାର୍ଶାଘାଇ ବସ୍ତିରେ ମଧ୍ୟ ବଣ୍ଟନ କରାଯିବା ସହ ବନ୍ୟା ପ୍ରଭାବିତଙ୍କୁ ନିମାପଡ଼ା ପଞ୍ଚାୟତରେ ବିଗତ ଦିନ ମଧ୍ୟରେ ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ଏଭଳି ମହତ୍ କାର୍ଯ୍ୟ ପାଇଁ ଟ୍ରଷ୍ଟ ବହୁ ପ୍ରଶଂସା ସାଉଁଟିଛି ।