ଡୁଡ୍ନୁ ଫାଉଣ୍ଡେସନର ଦ୍ୱିତୀୟ ଆଦର୍ଶ ସମ୍ମାନ ସମାରୋହ
ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ
ଭୁବନେଶ୍ୱର, : ଜାତିର ପିତା ମହାତ୍ମା ଗାନ୍ଧୀ ଥିଲେ ଅହିଂସାର ମୂଳ ମନ୍ତ୍ର । ସେ ସର୍ବଦା ସମାଜର ସାଧାରଣ ଲୋକଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରୁଥିଲେ । ତାଙ୍କର ତ୍ୟାଗ ଆଜି ଦେଶକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ତେଣୁ ୧୫୦ତମ ଗାନ୍ଧୀ ଜୟନ୍ତୀ ପୂର୍ତ୍ତି ଅବସରରେ ଆମେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ତାହା ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ବୁଧବାର ସନ୍ଧ୍ୟାରେ ଇଡ୍କଲ ଅଡ଼ିଟୋରିୟମଠାରେ ଡୁଡ୍ନୁ ଫାଉଣ୍ଡେସନ ପକ୍ଷରୁ ଦ୍ୱିତୀୟ ଆଦର୍ଶ ସମ୍ମାନ ସମାରୋହ ପାଳିତ ହୋଇଯାଇଛି । ଏହି ସମାରୋହରେ ଉଦ୍ଘାଟକ ମାନେ ବିଶିଷ୍ଟ ଗାନ୍ଧିବାଦୀ ନେତା, ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଗାନ୍ଧିଜୀଙ୍କ ଜୀବନୀ ଆଦର୍ଶରେ ଦେଶ ଅନୁପ୍ରାଣିତ । ଦେଶ ସ୍ୱାଧୀନତା କ୍ଷେତ୍ରରେ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ତେଣୁ ତାଙ୍କର ଅହିଂସା ଓ ତ୍ୟାଗକୁ ଅନୁସରଣ କରିବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ବିଶିଷ୍ଟ ଲେଖକ ଶୁଭ୍ରାଂଶୁ ପଣ୍ଡା, ଓଡ଼ିଶା ଖଦୀବାଦି ଫୋରମର ଅଧ୍ୟକ୍ଷା ଡକ୍ଟର ରୀନା ରାଉତରାୟ ପ୍ରମୁଖ ଯୋଗ ଦେଇ ଗାନ୍ଧିଙ୍କ ତ୍ୟାଗପୂତ ଜୀବନୀ ଓ ଅହିଂସା ଧର୍ମ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସମାରୋହରେ ଡୁଡ୍ନୁ ଫାଉଣ୍ଡେସନର ଅଧ୍ୟକ୍ଷା ବନ୍ଦନା ହରିଚନ୍ଦନ ସଭାପତିତ୍ୱ କରି ଡୁଡ୍ନୁ ଫାଉଣ୍ଡେସନର ବିଭିନ୍ନ କାର୍ଯ୍ୟଧାରା ଓ ଗାନ୍ଧିଜୀଙ୍କ ଜୀବନାଦର୍ଶ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସହଦେବ ବେହେରା, ଶହୀଦ ପ୍ରସନ୍ନ କୁମାର ସାହୁ, ଶହୀଦ ମନୋଜ ଜେନା, କବି ରକ୍ଷକ ନାୟକ, ସାମ୍ବାଦିକ ଏସ. ରାଜୀବ ଗୌରବ, କଥାକାର ଡଃ ଅଜୟ ସ୍ୱାଇଁ, ଗାନ୍ଧିବାଦୀ ପ୍ରବକ୍ତା ମଧୁସୂଦନ ଦାସ, ରାଜନେତା ଗୟାଧର ପରିଡ଼ା, ସମାଜସେବୀ ସତ୍ୟପ୍ରକାଶ ରାୟ ଚୌଧୁରୀ, ସୁଶାନ୍ତ ସାହୁ, ସଂଯୁକ୍ତା ମହଲ, ଶିଖର ଚନ୍ଦ୍ର ଜେନା, ମୀରା ପରିଡ଼ା, ଶଙ୍କର୍ଷଣ ପରିଡ଼ା ପ୍ରମୁଖ ୨୧ଜଣ ପ୍ରତିଭାଙ୍କୁ ଆଦର୍ଶ ସମ୍ମାନ-୨୦୧୯ରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡୁଡ୍ନୁ ଫାଉଣ୍ଡେସନର କର୍ମକର୍ତ୍ତା ସଞ୍ଜୟ କୁମାର ହରିଚନ୍ଦନ, ପ୍ରଦୀପ ମହାପାତ୍ର, ଜ୍ୟୋତିପ୍ରକାଶ ସ୍ୱାଇଁ, ପ୍ରସନ୍ନ ନାୟକ ପ୍ରମୁଖ ସହଯୋଗ କରିଥିଲେ । ସମାରୋହରେ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିବା ବେଳେ ବିକାଶ ରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।