ଡେଥ୍‌ ୱାରେଣ୍ଟ୍‌ ସଂକ୍ରାନ୍ତ ଆବେଦନର ଶୁଣାଣି ସୋମବାରକୁ ଘୁଞ୍ଚିଲା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଜଣ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କୁ ଫାଶୀ ଦିଆଯିବା ସକାଶେ କୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ ହେଁ ଇତିମଧ୍ୟରେ ତିନି ଥର ଏହି ତାରିଖକୁ ଘୁଞ୍ଚାଯାଇ ସାରିଲାଣି। ତେବେ ୩ ଦୋଷୀଙ୍କ ଆଇନଗତ ସହାୟତା ବିକଳ୍ପ ଶେଷ ହୋଇଥିବା ବେଳେ କେବଳ ଚତୁର୍ଥ ଦୋଷୀ ପୱନ୍‌ ଗୁପ୍ତା ପାଖରେ କ୍ୟୁରେଟିଭ୍‌ ଓ ରାଜକ୍ଷମା ପାଇଁ ଆବେଦନର ବିକଳ୍ପ ଏବେ ବି ରହିଛି। ତେବେ ଦିଲ୍ଲୀ ହାଇକୋର୍ଟ ସପ୍ତାହକ ଭିତରେ ଉପଲବ୍ଧ ବିକଳ୍ପର ସହଯୋଗ ନେବା ସକାଶେ ଦୋଷୀମାନଙ୍କୁ କହିଥିଲେ ହେଁ ଅଦ୍ୟାବଧି କୌଣସି ଦୋଷୀ ଫାଶୀ ଦଣ୍ଡାଦେଶ ବିରୋଧରେ କୌଣସି ପ୍ରକାର ଆବେଦନ କରି ନ ଥିବାରୁ ସେମାନଙ୍କ ସକାଶେ ଡେଥ୍‌ ୱାରେଣ୍ଟ୍‌ ପାଇଁ ଆବେଦନ କରିବା ସକାଶେ ସୁପ୍ରିମ୍‌କୋର୍ଟ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଅଧିକାର ପ୍ରଦାନ କରିଥିଲେ। ତେବେ ଗୁରୁବାର ଦିଲ୍ଲୀ କୋର୍ଟ ଏ ସଂକ୍ରାନ୍ତ ଆବେଦନର ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।
ଅତିରିକ୍ତ ଦୌରାଜଜ୍‌ ଧର୍ମେନ୍ଦର ରାନା ଧାରା ୨୧ ଅନୁସାରେ ଦୋଷୀମାନଙ୍କ ଅଧିକାର ଉପରେ ଗୁରୁତ୍ବାରୋପ କରିଥିଲେ। କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସତ୍ତ୍ବେ ଉକ୍ତ ବ୍ୟକ୍ତିଙ୍କୁ ଆଇନଗତ ସହାୟତା ପ୍ରଦାନ କରାଯାଇପାରିବ। କାରଣ ତାହା ତାଙ୍କର ମୌଳିକ ଅଧିକାର। ଏପରି ମୌଳିକ ଅଧିକାରକୁ କୌଣସି କୋର୍ଟ କଦାପି ଅଣଦେଖା କରିପାରିବ ନାହିଁ ବୋଲି ଜଷ୍ଟିସ୍‌ ରାନା କହିଥିଲେ। ପୱନ୍‌ ଗୁପ୍ତା ପୂର୍ବରୁ ଦିଲ୍ଲୀ ଷ୍ଟେଟ୍‌ ଲିଗାଲ୍‌ ସର୍ଭିସେସ୍‌ (ଡିଏଲ୍‌ଏସ୍‌ଏ) ପକ୍ଷରୁ ଯୋଗାଇ ଦିଆଯାଇଥିବା ଆଇନଜୀବୀଙ୍କୁ ଗ୍ରହଣ କରିବା ସକାଶେ ମନା କରିଥିବା ବେଳେ ଗୁରୁବାର ଜଷ୍ଟିସ୍‌ ରାନା ତା’ ପାଇଁ ନୂଆ ଓକିଲ ନିଯୁକ୍ତ କରିଥିଲେ। ଏହି ଓକିଲ ପୱନ୍‌ ପକ୍ଷରୁ ମାମଲା ପରିଚାଳନା କରିବା ସକାଶେ ଆବଶ୍ୟକ ସମୟ ନେଇପାରିବେ। କାରଣ ଦୋଷୀ ପକ୍ଷରୁ କୋର୍ଟରେ ମାମଲା ପରିଚାଳନା କରିବା କଦାପି ଲୋକଦେଖାଣିଆ ଓ ଉପରଠାଉରିଆ ହୋଇପାରିବ ନାହିଁ ବୋଲି ଜଷ୍ଟିସ୍‌ ରାନା କହିଛନ୍ତି। ତେବେ ଜଷ୍ଟିସ୍‌ଙ୍କ ଏପରି ମତାମତ ପ୍ରସଙ୍ଗରେ ନିଜ ଆଇନଜୀବୀଙ୍କ ଜରିଆରେ ନିର୍ଭୟାଙ୍କ ମା’ ଆଶା ଦେବୀ କହିଥିଲେ, ମୋର ଆପଣଙ୍କ ଉପରେ ବିଶ୍ବାସ ରହିଛି। କିନ୍ତୁ ଡେଥ୍ ୱାରେଣ୍ଟ୍‌ ଜାରି ହେଉ ନ ଥିବାରୁ ମୁଁ ପୁଣି ଆଉ ଏକ ତାରିଖରେ ଏଠାକୁ ସେଇ ଆଶା ଓ ବିଶ୍ବାସ ନେଇ ଆସିବି ବୋଲି କୋହଭରା କଣ୍ଠରେ ଆଶା ଦେବୀ କହିଥିଲେ।
ସେହିପରି ତାଙ୍କ ଆଇନଜୀବୀ କହିଥିଲେ, ଏପରି ଏକ ଜଘନ୍ୟ ଅପରାଧ ସମଗ୍ର ସମାଜକୁ ଦୋହଲାଇ ଦେଇଥିବା ବେଳେ ଦୋଷୀଙ୍କୁ ତୁରନ୍ତ ଫାଶୀଖୁଣ୍ଟରେ ଝୁଲାଇବା ସକାଶେ ଦାବି ହେଉଛି। କିନ୍ତୁ କୋର୍ଟରେ ଦେଶର ଜନସାଧାରଣଙ୍କ ଭାବାବେଗକୁ ଦଳିମକଚି ନଷ୍ଟ କରିଦିଆଯାଉଛି ବୋଲି ପବ୍ଲିକ୍‌ ପ୍ରସିକ୍ୟୁଟର୍‌ ଇର୍‌ଫାନ୍‌ ଅହମଦ କହିବା ସହ ତୁରନ୍ତ ଏହି ମାମଲାରେ ଡେଥ୍ ୱାରେଣ୍ଟ୍‌ ଜାରି କରିବା ସକାଶେ ନିବେଦନ କରଥିଲେ। ସୂଚନାଯୋଗ୍ୟ ଏହି ମାମଲାରେ ବୁଧବାର ବିଚାର ପରେ କୋର୍ଟରୁ ନିରାଶ ହୋଇ ଆଶା ଦେବୀ ଦୁଃଖରେ ଭାଙ୍ଗିପଡ଼ିଥିଲେ। କୋହଭରା କଣ୍ଠରେ ବିଚାରପତିଙ୍କୁ ତାଙ୍କ ଝିଅକୁ ନ୍ୟାୟ ଦେବା ସକାଶେ ଡେଥ୍ ୱାରେଣ୍ଟ୍‌ ଜାରି କରିବା ସକାଶେ ନିବେଦନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ