ଡେରାବିଶି ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟା ଆଶଙ୍କା
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଚଳିତ ଅଗଷ୍ଟମାସ ୧୪ରୁ ୨୬ତାରିଖ ପର୍ଯ୍ୟନ୍ତ ଲଗାତର ଭାବେ ବୃଷ୍ଟିପାତ ଯୋଗୁଁ ଡେରାବିଶି ବ୍ଲକର ବେଣୀପୁର, ଛୋଟୀମଙ୍ଗଳପୁର, ନହଙ୍ଗ, ରଘୁଦେଇପୁର, ଲକ୍ଷ୍ମୀନାରାୟଣପୁର, ଦୁମୁକା ହାଟ, ବାଲିଆ, ଚାଟରାଚକଡା, କାଉପଡା, ଗୁଆଳସିଂ, କୁଶିଆପାଳ ଓ କୁରୁଜଙ୍ଗା ପଂଚାୟତର ବ୍ୟାପକ ଅଂଚଳ ଜଳମଗ୍ନ ହୋଇଥିବାର ଦେଖାଯାଇଛି । ଏଥିସହିତ ଶହ ଶହ ହେକ୍ଟର ଚାଷଜମିର ଧାନ ଓ ପନିପରିବା ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଦେଖାଯାଇଛି । ଚାରଣ ଭୂମି,ଦଣ୍ଡା ଓ ପଡିଆ ପ୍ରଭୃତି ଜଳମଗ୍ନ ହୋଇଯାଇଥିବାରୁ ଗୃହପାଳିତ ପଶୁ ଖାଦ୍ୟ ପାଉନଥିବା ଦେଖିବାକୁ ମିଳିଛି । ଖାଲୁଆ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କ ଘରେ ମଧ୍ୟ ପାଣି ଲହଡି ମାଡୁଛି । ଏହାଦ୍ୱାରା ସେହି ଅଂଚଳର ଲୋକମାନଙ୍କ ସହିତ ଗୃହ ପାଳିତ ପଶୁବି ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ତେଣୁ ଏଭଳି ସମସ୍ୟାର ସମାଧାନ ନିମନ୍ତେ ପାଣି ଘେରରେ ଥିବା ଲୋକମାନଙ୍କୁ ରିଲିଫ ପ୍ରଦାନ ସହ ପଶୁମାନଙ୍କ ପାଇଁ ଗୋଖାଦ୍ୟ ଯୋଗାଇଦିଆଯିବା ସହ ଆସନ୍ତା ରବି ଫସଲ ପାଇଁ ମାଗଣାରେ ବିହନ,ସାର ଏବଂ ଔଷଧ ଯୋଗାଇ ଦେବାକୁ ଡେରାବିଶି ବିକାଶ ପରିଷଦର ସଭାପତି ଦୁର୍ଯ୍ୟୋଧନ ସ୍ୱାଇଁ, ସମ୍ପାଦକ ରାଜକିଶୋର ଜେନା, ଗୋଲକ ଚନ୍ଦ୍ର ସାହୁ, କ୍ଷୀରୋଦ ଚନ୍ଦ୍ର ସାମଲ, ଅଭିମନ୍ୟୁ ସାହୁ ପ୍ରମୁଖ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।