ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ର ମୋଦୀଙ୍କ ରୋଡ ଶୋ କୁ ନେଇ ଜୋରଦାର୍ ଚର୍ଚ୍ଚା
ଅହମ୍ମଦାବାଦ:- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଅହମଦାବାଦରେ ୨୨ କିଲୋମିଟର ଲମ୍ବ ରୋଡ ଶୋ’ କରିବେ । ତେବେ ଏହି ୩ ଘଣ୍ଟାର ଗସ୍ତ ପାଇଁ ରାଜ୍ୟ ସରକାର ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। ଟ୍ରମ୍ପଙ୍କ ସ୍ବାଗତଠାରୁ ଆରମ୍ଭ କରି ବିଦାୟ ପର୍ୟ୍ୟନ୍ତ, ଏହା ସହିତ ସହରକୁ ଚାକଚକ୍ୟ କରିବା, ଆତିଥ୍ୟ ସତ୍କାର ଏବଂ ଅନ୍ୟାନ୍ୟ ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଟ୍ରମ୍ପଙ୍କ ଗସ୍ତ ଏବଂ କାର୍ୟ୍ୟକ୍ରମର ଆୟୋଜନ ଦାୟିତ୍ଵରେ ଥିବା ଆୟୋଜକମାନଙ୍କଠାରୁ ବିଶେଷ ସୂତ୍ରରୁ ଜଣାପଡ଼ିଛି । ଟ୍ରମ୍ପଙ୍କ ସ୍ବାଗତରେ ଅର୍ଥ ବାଧକ ନ ରହିବା ଉଚିତ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଆୟୋଜକମାନଙ୍କୁ କହିଛନ୍ତି । ଅହମ୍ମଦାବାଦ ମହାନଗର ନିଗମ(ଏଏମସି) ଏବଂ ଅହମ୍ମଦାବାଦ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ(ଏୟୁଡିଏ) ସହରର ସୌନ୍ଦର୍ୟ୍ୟକରଣ, ରାସ୍ତାର ଉନ୍ନତିକରଣ ଆଦିରେ ମିଳିତ ଭାବେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ୧୭ଟି ରାସ୍ତାର ଉନ୍ନତିକରଣରେ ୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ରାସ୍ତାର ସୌନ୍ଦର୍ୟ୍ୟକରଣ ଲାଗି ୬ କୋଟି ଖର୍ଚ୍ଚ ହେବ। ଟ୍ରମ୍ପ ଓ ମୋଦୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ସର୍ବ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ସହିତ ଜଡ଼ିତ ସାବରମତୀ ଆଶ୍ରମ ଯିବେ । ଆଶ୍ରମରୁ ଦୁଇ ନେତା ବିମାନବନ୍ଦର ନିକଟରେ ଥିବା ଇନ୍ଦିରା ବ୍ରିଜ, ଏସପି ରିଙ୍ଗରୋଡ ଦେଇ ମୋତେରାରେ ନବନିର୍ମିତ କ୍ରିକେଟ ଷ୍ଟାଡିୟମ ପହଞ୍ଚିବେ । ଏଠାରେ କ୍ରିକେଟ ଷ୍ଟାଡିୟମକୁ ଉଦଘାଟନ କରିବେ । ଏହି କ୍ରିକେଟ ଷ୍ଟାଡିୟମରେ ୧ ଲକ୍ଷ ୧୦ ହଜାର ଲୋକ ବସିବା ପାଇଁ ସିଟ ଅଛି । ଏହି ୨୨ କିଲୋମିଟର ଲମ୍ବ ରୋଡ ଶୋ’ରେ ପ୍ରାୟ ୫୦ ହଜାର ଲୋକ ଉପସ୍ଥିତ ରହିବାର ଆଶା ଦେଖାଯାଉଛି । କାରଣ ଅହମଦାବାଦ ପାଇଁ ବୋଧେ ଏହା ହେଉଛି ସବୁଠାରୁ ଦୀର୍ଘତମ ରୋଡ ଶୋ’ । ରୋଡ ଶୋ’ରେ ୩୦୦ ସଂଗଠନ ଏବଂ ଏନଜିଓର ସ୍ୱେଚ୍ଛାସେବୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।