ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ପ୍ରଭାବିତ ଜନଜୀବନ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ଡ୍ରାଇଭର ଏକତା ମଞ୍ଚର ଆହ୍ୱାନ କ୍ରମେ ବୁଧବାର ଆରମ୍ଭ ହୋଇଥିବା ରାଜ୍ୟ ବ୍ୟାପୀ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ପ୍ରତିଫଳନ ବାଲେଶ୍ୱରରେ ବେଶ ପ୍ରିଫଳିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ବିଭିନ୍ନ ସ୍ଥାନରେ ଗାଡ଼ିମୋଟର ବନ୍ଦ ରହିବା ଫଳରେ ସାଧାରଣ ଲୋକେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ତେବେ ବାଲେଶ୍ୱର ଘରୋଇ ବସ ମାଲିକ ସଂଘ, ଟ୍ରକ ମାଲିକ ଓ ଡ୍ରାଇଭର ସଂଘ ଏବଂ ନିଖିଳ ଓଡ଼ିଶା ଅଟୋ ମହାସଂଘ ପ୍ରଭୃତି ସଂଗଠନ ଏହି ଆନ୍ଦୋଳନରୁ ନିବୃତ ହୋଇଥିବା ବେଳେ ଅନ୍ୟାନ୍ୟ ବର୍ଗର ଡ୍ରାଇଭରମାନେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଡ୍ରାଇଭରମାନେ ସହର ଉପକଣ୍ଠ ଜାତୀୟ ପଥରେ ଏକାଧିକ ସ୍ଥାନରେ ସମ୍ମିଳିତ ହୋଇ ଓଡ଼ିଶା ଡ୍ରାଇଭର ଏକତା ମଞ୍ଚର ଦାବିକୁ ସମର୍ଥନ ଜଣାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ଉଦାସୀନତା ଅସହ୍ୟ ହୋଇଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଡ୍ରାଇଭରମାନେ ସୂଚନା ଦେଇଛନ୍ତି । ଜାତୀୟ ରାଜପଥରେ ଯାଉଥିବା ବ୍ୟବସାୟିକ ପରିବହନରେ ନିୟୋଜିତ ଗାଡ଼ିଗୁଡିକୁ ଅଟକାଇ ତା’ର ଡ୍ରାଇଭରଙ୍କ ବେକରେ ସେମାନେ ଫୁଲମାଳ ପକାଉଥିବା ଲକ୍ଷ୍ୟ କରାଯାଇଥିଲା । ତେବେ ମଞ୍ଚର ନିଷ୍ପତ୍ତି କ୍ରମେ ସ୍କୁଲ ବସ୍‌, ପରୀକ୍ଷା ଡ୍ୟୁଟିରେ ନିୟୋଜିତ ଗାଡି, ଛାତ୍ରଛାତ୍ରୀ ଯାଉଥିବା ଗାଡି, ଆମ୍ବୁଲାନ୍ସ, ମେଡିକାଲ ଷ୍ଟାଫ୍ ଯାଉଥିବା ଗାଡ଼ି, ବିଦ୍ୟୁତ ବିଭାଗ ଗାଡି, ଦମକଳ ଓ ଘରୋଇ ନମ୍ବର ଥିବା ଗାଡ଼ି ବ୍ୟତୀତ ହଳଦିଆ ନମ୍ବର ପ୍ଲେଟ ଥିବା ଗାଡ଼ିକୁ ଆନ୍ଦୋଳନକାରୀ ଅଟକାଉଥିଲେ । ତେବେ ୧୦ ଦଫା ଦାବି ମଧ୍ୟରୁ କର୍ମଜୀବୀ ଡ୍ରାଇଭରଙ୍କ ପାଇଁ ଦୁର୍ଘଟଣା ଜନିତ ମୃତ୍ୟୁ ବାବଦରେ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ଦୁର୍ଘଟଣାରେ ବିକଳାଙ୍ଗ ହେଲେ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ସହ ଆହତ ଡ୍ରାଇଭରଙ୍କ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କାର ସହାୟତା ରାଶି ତୁରନ୍ତ ଯୋଗାଇ ଦେବା ଦାବି ଉପରେ ସରକାର ସମ୍ମତି ପ୍ରକାଶ କରିଥିବା ସତ୍ତ୍ୱେ୍ୱ ପରବର୍ତ୍ତୀ ସମୟରେ ଏଥିରୁ ଓହରିବା ଯୋଗୁଁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ଡ୍ରାଇଭର ସଂଘ ବାଲେଶ୍ୱର ଶାଖା କର୍ମକର୍ତ୍ତା କହିଛନ୍ତି । ସେହିଭଳି ଡ୍ରାଇଭରଙ୍କୁ କରୋନା ଯୋଦ୍ଧାର ମାନ୍ୟତା, ଦୁର୍ଘଟଣା ବେଳେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ, ଯାତାୟତ ସମୟରେ ପ୍ରତି ୧୦୦କିଲୋମିଟର ବ୍ୟବଧାନରେ ଗାଡି ପାର୍କିଂ, ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ, ଡ୍ରାଇଭରଙ୍କ ପାରିଶ୍ରମିକ ଓ ଗାଡ଼ି ଚଳାଇବା ସମୟ ସୀମା ନିର୍ଦ୍ଧାରଣ, ଡ୍ରାଇଭର ପରିବାରର ପିଲାଙ୍କ ପାଇଁ ଉଚ୍ଚଶିକ୍ଷା ବ୍ୟବସ୍ଥା, କାଗଜପତ୍ର ଯାଞ୍ଚ ଆଳରେ ରାଜ ରାସ୍ତାରେ ଡ୍ରାଇଭରଙ୍କୁ କରାଯାଉଥିବା ହଇରାଣ ହରକତ ବନ୍ଦ ପ୍ରଭୃତି ଦାବି ପୂରଣ ନେଇ ମହାସଂଘ ଅଟଳ ରହିଥିବା ଆନ୍ଦୋଳନକାରୀ କହିଛନ୍ତି । ଏହା ସହିତ ଡ୍ରାଇଭରଙ୍କ ଲାଇସେନ୍‌ସ ପାଇଁ ସରକାରଙ୍କ ପକ୍ଷରୁ ସ୍ଥିରୀକୃତ ୧୫ହଜାର ଟଙ୍କାର ଦେୟକୁ ହ୍ରାସ ପାଇଁ ସେମାନେ ଦାବି ଜଣାଇଛନ୍ତି । ତେବେ ବାଲେଶ୍ୱରରେ ଏହି ଆନ୍ଦୋଳନ କୌଣସି ଅଘଟଣ ଘଟି ନଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ