ଡ୍ରେନ୍ରୁ ଅଳିଆ ଆବର୍ଜନା ସଫା କରିବାକୁ ଦାବି
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): କିଛି ଦିନ ପରେ ଆରମ୍ଭ ହେବ ମୌସୁମୀ ବର୍ଷା । ବର୍ଷା ହେଲେ କୋଣାର୍କରେ ଡ୍ରେନେଜ ସମସ୍ୟା ଉପୁଜିବ । ଗତବର୍ଷ ଲଘୁଚାପ ବର୍ଷାରେ ଡ୍ରେନ୍ ପାଣି ରାସ୍ତା ଉପରେ ଜମି ରହିବାସହ ଲୋକଙ୍କ ଘରେ ପାଣି ପଶିଥିଲା । ବର୍ଷା ଦିନ ପୂର୍ବରୁ ନିୟମିତ ଡ୍ରେନ୍ରୁ ଆବର୍ଜନା ସଫା କରାଯାଉନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି । କୋଣାର୍କ ସୂର୍ଯ୍ୟମନ୍ଦିର ପରିସର ଓ ବଜାରରୁ ଜଳ ନିଷ୍କାସନ ପାଇଁ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ଏହି ଡ୍ରେନ୍ । ସାମାନ୍ୟ ବର୍ଷା ହେଲେ ସୂର୍ଯ୍ୟ ମନ୍ଦିର ଭିତରେ ବର୍ଷା ପାଣି ଜମି ରହୁଛି । ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଥିବା ସାଧାରଣରେ ଅଭିଯୋଗ ହେଉଛି । ଡ୍ରେନ୍ରେ ଘୋଡ଼ଣି ନଥିବାରୁ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ହେଲେ ବି ପ୍ରତିକାର ହେଉନି । ଡ୍ରେନ୍ ଭିତରେ ଅଳିଆ ଆବର୍ଜନା ଜମି ରହିଥିବାରୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ । ଫଳରେ ଡେଙ୍ଗୁ ମଶା ଓ ବିଷଧର ସାପଙ୍କ ବଂଶବୃଦ୍ଧି ପାଇ ବିଭିନ୍ନ ରୋଗ ସୃଷ୍ଟି ହେବା ଆଶଙ୍କା ଦେଖା ଦେଇଛି । ଏଥିସହ ଡ୍ରେନ୍ରେ ବିଭିନ୍ନ ସମୟରେ ଗାଈଗୋରୁ, ପଥଚାରୀ ପଡି ଆହତ ହେଉଛନ୍ତି । ମେଡିକାଲ ଛକ, ବସଷ୍ଟାଣ୍ଡ, ଯାତ୍ରୀନିବାସ ସମ୍ମୁଖ,ଥାନାଛକ ଦେଇ ଯାଇଥିବା ଡ୍ରେନ୍ ଭିତରେ ଜମି ରହିଥିବା ଆବର୍ଜନାରୁ ଦୁର୍ଗନ୍ଧ ବାହାରୁଥିବା ଦେଖାଯାଇଛି । ଡ୍ରେନେଜ ବିଭାଗ ଜଳ ନିଷ୍କାସନ ପାଇଁ ୨୦୧୧ ଫେବୃୟାରୀରେ ଏହି ଡ୍ରେନ୍ ନିର୍ମାଣ କରିଥିଲା । ସୂର୍ଯ୍ୟମନ୍ଦିର ପରିସରରୁ ଜୁଣେଇ ବଜାର ନିକଟସ୍ଥ ବଂଶୀବଜାର ଛକ ପର୍ଯ୍ୟନ୍ତ ୧୯୪୦ ମିଟର, ଡାକ୍ତରଖାନା ଛକରୁ ରାଉଳପାଟଣା ୩୭୦୦ମିଟର, ଥାନାଛକରୁ କରମଙ୍ଗା ଦେଇ ପଥରବୁହା ନଦୀ ୧୯୮୦ ମିଟର ଓ ନବଗ୍ରହ ରାସ୍ତା ସମ୍ମୁଖରୁ ମେଡିକାଲ ଛକ ପର୍ଯ୍ୟନ୍ତ ୨୪୦ମିଟର ନିର୍ମିତ ଡ୍ରେନ୍ ଏବେ ଆବର୍ଜନା କୁଣ୍ଡ ପାଲଟିଛି । ବର୍ଷା ଦିନ ପୂର୍ବରୁ ଆବର୍ଜନା ସଫା ନହେଲେ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ସଂଗଠନ ଦାବି କରିଛି ।