ଡ. ଅଚ୍ୟୁତ ସାମନ୍ତଙ୍କୁ ଅଭିନନ୍ଦନ ଜଣାଇଲା ପାଇକ ମହାସଂଘ

ଭୁବନେଶ୍ୱର : ଅନେକ ଦିନ ହେବ କଳିଙ୍ଗ ରେଜିମେଣ୍ଟ ବା ପାଇକ ରେଜିମେଣ୍ଟ ଗଠନ ପାଇଁ ପାଇକ ମହାସଂଘ ଦାବିକରି ଆସୁଥିଲା । ସେ ପ୍ରତିରକ୍ଷା ମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ କିମ୍ବା ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଆଗମନ ଅବା ରାଷ୍ଟ୍ରପତି ଭବନ, ବହୁବାର ଏହି ପ୍ରସଙ୍ଗରେ ନିଖିଳ ଓଡ଼ିଶା ପାଇକ ମହାସଂଘ ଦାବୀକୁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟି କଳିଙ୍ଗ ରେଜିମେଣ୍ଟ ଗଠନ ସମ୍ପର୍କରେ ଆଲୋଚନା କରିବା ଏକ ସ୍ୱାଗତଯୋଗ୍ୟ ଓ ବଳିଷ୍ଠ ପଦକ୍ଷେପ ବୋଲି ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପ୍ରକାଶ କରିଛନ୍ତି । ଭାରତବର୍ଷର ପ୍ରଥମ ସ୍ୱାଧୀନତାର ବହ୍ନି ଏହି କଳିଙ୍ଗ ମାଟିରୁ ଆରମ୍ଭ ହୋଇଥିଲା । ଏହି ମାଟି ହେଉଛି ଲାଲ୍ ରକ୍ତର ମାଟି, ଅନ୍ୟାୟ ବିରୋଧୀ, ବଳିଦାନର ମାଟି । ଦେଶ ମାତୃକା ପାଇଁ ପ୍ରଥମେ ଏହି ମାଟିର ବୀର ପାଇକମାନେ ନିଜ ଜୀବନକୁ ବାଜି ଲଗାଇ ବ୍ରିଟିଶ ବିରୁଦ୍ଧରେ ଲଢେଇ କରି ଫାଶି ଖୁଣ୍ଟରେ ଝୁଲି ପଡ଼ିଥିଲେ । ‘ବଳିଦାନ’ଏହି ମାଟିର ପଟ୍ଟାନ୍ତର ନାହିଁ । ଭାରତ ସ୍ୱାଧୀନତା ଇତିହାସରେ ପ୍ରଥମ ପୃଷ୍ଠାରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କଲେ ଏ ମାଟିର ସହିଦ୍‌ଙ୍କ ଅମର ଗାଥା ସରିବ ନାହିଁ । ପାଇକ ପୁଅର ‘ପାଇକ ଆଖଡ଼ା’ ବା ‘ସମର କଳା’ ଆଜି ବିଦେଶରେ ଆଦୃତ । ଯେଉଁ ଲାଠି ମାଧ୍ୟମରେ ବ୍ରିଟିଶଙ୍କୁ ପିଟି ପିଟି ମାରିଥିଲେ, ସେହି ଲାଠି, ଢାଲ, ତଲବାରୀ, ପାଇକ ଆଖଡ଼ା ଆଜି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଲୁପ୍ତ, ଶୁପ୍ତ ହୋଇଗଲାଣି ଯାହା ଦୁଃଖ ଓ ପରିତାପର ବିଷୟ । ପାଇକମାନଙ୍କ କଥା ପଚାରେ କିଏ । ପାଇକମାନଙ୍କର ଅର୍ଥନୈତିକ ବିକାଶ ଏପର୍ଯ୍ୟନ୍ତ ଘଟିପାରି ନାହିଁ । ଦାଦନ ପାଇଁ ପାଇକ ପୁଅ ଦେଶାନ୍ତର ହୁଏ । ନା ରାଜ୍ୟ ସରକାର ନା କେନ୍ଦ୍ର ସକରାର, କାହାର ଏଥିପ୍ରତି ଦୃଷ୍ଟି ପଡ଼ୁନାହିଁ । ପାଇକ ଆଖଡ଼ାକୁ ପୁନରୁଦ୍ଧାର କରିବା ସହିତ ପାଇକ ରେଜିମେଣ୍ଟ ବା କଳିଙ୍ଗ ରେଜିମେଣ୍ଟ ଗଠନ କରି ଅଗ୍ରାଧିକାର ଭିତ୍ତିରେ ପାଇକ ପୁଅକୁ ନିଯୁକ୍ତି ଦେଲେ ବୀର ପାଇକ ପୁଅ ତାର ପୂର୍ବସୁରୀର ସ୍ୱପ୍ନକୁ ସାର୍ଥକ କରିବା ସହିତ ଦେଶ ମାତୃକାର ସେବା କରିପାରିବ । ରାଜ୍ୟ ଉପଦେଷ୍ଟା ପାଇକ ମହାରଥୀ ଭୀମସେନ ବିଶ୍ୱାଳ, ଉପଦେଷ୍ଟା ତଥା ସ୍ତମ୍ଭକାର ବିଭୂତି ସ୍ୱାଇଁ, ପାଇକ ଜିନ୍ ଗବେଷକ ପ୍ରଫେସର ଗାୟନ ସାମଲ, ଖୋର୍ଦ୍ଧା ଜିଲ୍ଲା ସଭାପତି ଗୁରୁ ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ଭୁବନେଶ୍ୱର ଜିଲ୍ଲା ସଭାପତି ଅଜୟ ନାୟକ, ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ, ପାଇକ ବିଶାରଦ କେଦାର ଦାସ, ଗୁରୁ ଭାସ୍କର ସୁନ୍ଦରାୟ, ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, କଟକ ଜିଲ୍ଲା ସଭାପତି ରାଜକିଶେଶର ବେହେରା ପ୍ରମୁଖ ଡ. ସାମନ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ