ଡ.ରମାକାନ୍ତ ବେହେରା ସାହିତ୍ୟ-ସଂସ୍କୃତି ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ବିଜୟାଦଶମୀ ଅବସରରେ ଓଡ଼ିଶାର ଅନ୍ୟତମ ଯଶସ୍ୱୀ ତଥା ବରିଷ୍ଠ ସାହିତ୍ୟିକ ଡ.ରମାକାନ୍ତ ବେହେରାଙ୍କ ନାମରେ ପ୍ରତିଷ୍ଠା କରାଯାଇଥିବା ଡ.ରମାକାନ୍ତ ବେହେରା ସାହିତ୍ୟ ଓ ସଂସ୍କୃତି ଫାଉଣ୍ଡେସନ ଟ୍ରଷ୍ଟର ଶୁଭ ଉଦ୍‌ଘାଟନ ଉତ୍ସବ ବାଲେଶ୍ୱର ସହରସ୍ଥ ତାଙ୍କ ବାସଭବନ ‘ସାଧନାଳୟ’ରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂସ୍କୃତି, ପର୍ଯ୍ୟଟନ ଭାଷା ଓ ସାହିତ୍ୟ ତଥା ଅବକାରୀ ବିଭାଗର ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏହାକୁୁ ଉଦଘାଟନ କରିଥିଲେ । ଡ.ବେହେରାଙ୍କ ଆଜୀବନ ସାହିତ୍ୟ ସାଧନାକୁ ରାଜ୍ୟର ସବୁ ପ୍ରାନ୍ତରେ ପହଞ୍ଚାଇବାରେ ଏହି ଟ୍ରଷ୍ଟ ଉଦ୍ୟମ କରିବା ସହ ଓଡ଼ିଆ ଭାଷା ଓ ସାହିତ୍ୟର ଲେଖକମାନଙ୍କୁ ପ୍ରୋତ୍ସାହନ ଯୋଗାଇବାରେ ବିଶେଷ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ । ବାଲେଶ୍ୱର ଲୋକସଭା ସାଂସଦପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜର ବାସଭବନକୁ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ଅଙ୍ଗାରଗଡ଼ିଆକୁ ପ୍ରଦାନ କରି ଯେଉଁ ଆଦର୍ଶ ସୃଷ୍ଟି କରିଛନ୍ତି, ତାହା କ୍ୱଚିତ୍ ଦେଖିବାକୁ ମିଳେ ବୋଲି କହିଥିଲେ । ସେ ଯେଉଁ ଟ୍ରଷ୍ଟ ଗଠନ କରି ଓଡ଼ିଆ ସାହିତ୍ୟର ସମୃଦ୍ଧି ପାଇଁ ଶୁଭ ସଂକଳ୍ପ ନେଇଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବ । ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଗୃହନିର୍ମାଣ ନିମନ୍ତେ ତାଙ୍କ ସାଂସଦର ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଅର୍ଥରାଶି ଦେବାପାଇଁ ଶ୍ରୀ ଷଡ଼ଙ୍ଗୀ ଏହି ଅବସରରେ ଘୋଷଣା କରିଥିଲେ । ଟ୍ରଷ୍ଟର ଉପଦେଷ୍ଟା ତଥା ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଭୋଗରାଇର ବିଧାୟକ ଅନନ୍ତ କୁମାର ଦାସ ଏଥିରେ ପୌରୋହିତ୍ୟ କରି ଭୋଗରାଇ ମାଟିର ସୁଯୋଗ୍ୟ ସନ୍ତାନ ମୋର ବନ୍ଧୁ ଡ.ବେହେରାଙ୍କ ୮୦ତମ ଜନ୍ମଦିନରେ ଜାତି ଉଦ୍ଦେଶ୍ୟରେ ଏଭଳି ଏକ ଟ୍ରଷ୍ଟ ଗଠନ କରିବା ବିଶେଷ ଆନନ୍ଦର ବିଷୟ ବୋଲି କହିଥିଲେ । ଉତ୍ସବରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ରାଜ୍ୟ ସଦସ୍ୟ ତଥା ଟ୍ରଷ୍ଟର ସମ୍ପାଦକ କବି କାଳୀପଦ ପଣ୍ଡା ଯୋଗଦେଇ ଡ.ବେହେରାଙ୍କ ଭଳି ପ୍ରାଜ୍ଞପୁରୁଷ ନିଜ ଅର୍ଜିତ ଭୂସମ୍ପତ୍ତିର ଅଧିକ ଅଂଶ ଭାଷା-ସାହିତ୍ୟ ଓ ସଂସ୍କୃତି ପାଇଁ ସମର୍ପିତ କରିବା ଭଳି ସାଧୁ ମାନସିକତା କ୍ୱଚିତ ବ୍ୟକ୍ତିତ୍ୱଙ୍କଠାରେ ଦେଖାଯାଏ ବୋଲି କହିଥିଲେ । ଡ.ବେହେରାଙ୍କ କୃତି ଓ କୀର୍ତ୍ତୀର ପର୍ଯ୍ୟାଲୋଚନା ପାଇଁ ଏହା କ୍ଷେତ୍ର ପ୍ରସ୍ତୁତ କରିବ ବୋଲି ସେ ମତ ଦେଇଥିଲେ । ଡ.ଅରବିନ୍ଦ ଗିରି, ଡ.ଶିରୀଶ ଚନ୍ଦ୍ର ଜେନା, ଓଡ଼ିଶା ସାହିତ୍ୟ ଏକାଡ଼େମୀର ବାଲେଶ୍ୱର ଜିଲ୍ଲା ପ୍ରତିନିଧି ଭରତ ଚନ୍ଦ୍ର ଦାଶ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଡ.ବେହେରାଙ୍କ ସୃଷ୍ଟିର ଦିଗଦିଗନ୍ତ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟମାନଙ୍କ ଦ୍ୱାରା ଡ.ବେହେରାଙ୍କ ୮୦ତମ ଜନ୍ମଦିନରେ ବନ୍ଦନା କରାଯାଇ ଶତାୟୁ ସାରସ୍ୱତ ଜୀବନର କାମନା କରାଯାଇଥିଲା । ଡ.ବେହେରାଙ୍କ ଲିଖିତ ଆରତି ବନ୍ଦନାକୁ କେତେକ କବୟିତ୍ରୀ ପରିବେଷଣ କରିଥିବା ବେଳେ ଯଦୁନାଥ ସାହୁ ସ୍ୱାଗତଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରଷ୍ଟ ପକ୍ଷରୁ ଆଜୀବନ ସାରସ୍ୱତ ସାଧନା ପାଇଁ ବରିଷ୍ଠ ଲେଖକ ଡ.ଶ୍ରୀକାନ୍ତ ଚରଣ ପାତ୍ର, ସୈରିନ୍ଧ୍ରୀ ସାହୁ ଓ ସୁକୁମାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ପାତ୍ର, ସୁବାସ ଚନ୍ଦ୍ର ଦାସ, ବିପଦଭଞ୍ଜନ ମିଶ୍ର, ସୁଶାନ୍ତ କୁମାର ନାୟକ, ଦେବେନ୍ଦ୍ର ପ୍ରଧାନ, ଅଧ୍ୟାପକ ଚେମେଇ ଦାସ, ଚନ୍ଦ୍ରମୋହନ ମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ଡ.ବେହେରାଙ୍କୁ ଜନ୍ମଦିନରେ ଉପଢ଼ୌକନ ଓ ଉପାୟନ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜ୍ଞାପନ କରିଥିଲେ । ‘ସୁବର୍ଣ୍ଣ ପ୍ରତିଷ୍ଠାନ’ ପକ୍ଷରୁ ଡ.କେଶବ ଚରଣ ପଣ୍ଡା, ରମେଶ ଚନ୍ଦ୍ର ଜେନା, ଡ.ଶ୍ରୀକାନ୍ତ ଚରଣ ପାତ୍ର, ଅଧ୍ୟାପକ କମଳାକାନ୍ତ ଦାସ ପ୍ରମୁଖ ଡ.ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ କାଳୀପଦ ପଣ୍ଡାଙ୍କ ଦ୍ୱାରା ସମ୍ପାଦିତ ସାହିତ୍ୟ ପତ୍ରିକା ‘ଓଡ଼ିଆ ମୁଖଶାଳା ସୁବର୍ଣ୍ଣଶ୍ରୀ’ର ଶାରଦୀୟ ସଂଖ୍ୟା ‘ମୋ ସାହିତ୍ୟ ମୋ ଜୀବନ’ ଶୀର୍ଷକ ବିଶେଷାଙ୍କ ଉନ୍ମୋଚନ କରାଯାଇଥିଲା । ରଣଜିତ ଦେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ