ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୧ତମ ଜନ୍ମବାର୍ଷିକୀ ଅବସରରେ : ରକ୍ତଦାନ କରି ଶ୍ରଦ୍ଧାଞ୍ଜଳି ଦେଲେ ଯୁବକ, ଯୁବତୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ବିଶିଷ୍ଟ ଜନନାୟକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୧ତମ ଜନ୍ମବାର୍ଷିକୀ ପାଳନ ଅବସରରେ ରାଜଧାନୀ ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ପରିସର ମଧ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ପକ୍ଷରୁ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ସେଞ୍ଚୁରିୟାନ୍ ବ୍ଲଡ଼ ଡ଼ୋନର ଗୋପୀମୋହନ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଡାକ୍ତର ଦେବାଶିଷ ମିଶ୍ର, ଜିଲ୍ଲା ଯୁବ ଅଧିକାରୀ ବିପିନ କୁମାର, ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଡ. ମୁଖାର୍ଜୀଙ୍କ ତ୍ୟାଗ, ସେବା ଓ ବଳିଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଶିବିରରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟ, ସ୍ୱେଚ୍ଛାସେବୀ ଏବଂ ଯୁବକ, ଯୁବତୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ର ଖୋର୍ଦ୍ଧାର କର୍ମଚାରୀ କୁଳମଣି ମଲ୍ଲିକ, ଶୁଭେନ୍ଦ୍ର ନାଥ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


